Site icon ଆଜିକାଲି

ଆଜି ଦ୍ୱିତୀୟ ଦିନିକିଆ: କର ବା ମର ସ୍ଥିତିରେ ଭାରତ

ଢାକା: ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଦିନିକିଆ ବୁଧବାର ଖେଳାଯିବ । ପ୍ରଥମ ମ୍ୟାଚରେ ବିଜୟ ସୁଯୋଗ ହାତଛଡ଼ା କରିଥିବା ଭାରତ ନିଜ ଟପ୍ ଅର୍ଡର ବ୍ୟାଟିଂ ସୁଧାରିବାକୁ ଚାହିଁବ । ତିନି ମ୍ୟାଚ୍ ସିରିଜରେ ୦-୧ରେ ପଛୁଆ ଥିବା ଭାରତ ଦ୍ୱିତୀୟ ଦିନିକିଆରେ କର ବା ମର ସ୍ଥିତିର ସମ୍ମୁଖୀନ ହେବ ।

ପ୍ରଥମ ମ୍ୟାଚରେ ଭାରତୀୟ ବୋଲର ବାଂଲାଦେଶର ଶେଷ ୱିକେଟ୍ ନେବାରେ ବିଫଳ ହୋଇଥିଲେ । କିନ୍ତୁ ଭାରତର ବ୍ୟାଟିଂ ମଧ୍ୟ ଫେଲ୍ ମାରିଥିଲା । ତେଣୁ ଭାରତର ତାରକା ଖଚିତ ବ୍ୟାଟିଂ ଲାଇନ୍ ଅପକୁ ଅଧିକ ଦାୟିତ୍ୱ ନେବାକୁ ପଡ଼ିବ । ଭାରତ ଯେବେ ଶେଷଥର ୨୦୧୫ରେ ବାଂଲାଦେଶ ବିପକ୍ଷରେ ଏକ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ ଖେଳିଥିଲା, ମହେନ୍ଦ୍ର ସିଂ ଧୋନିଙ୍କ ଦଳ ୧-୨ରେ ସିରିଜ୍ ହାରିଥିଲା । ସେହି ସିରିଜର ଏକମାତ୍ର ବିଜୟ ତୃତୀୟ ତଥା ଅନ୍ତିମ ମ୍ୟାଚରେ ଆସିଥିଲା । ଭାରତ ବିପକ୍ଷରେ ବାଂଲାଦେଶ ପୁଣି ଇତିହାସର ପୁନରାବୃତ୍ତି କରିବା ସୁଯୋଗ ପାଇଛି ।

ପ୍ରଥମ ଦିନିକିଆରେ ସାକିବ୍ ଅଲ ହସନ୍ ଓ ମେହେଦି ହସନ୍ ମିରାଜଙ୍କ ସ୍ପିନ୍ ଆଗରେ ସଂଘର୍ଷ କରିଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ୍ । କେବଳ କେଏଲ୍ ରାହୁଲ (୭୩) ହିଁ ସଫଳ ହୋଇଥିଲେ । ଦିନିକିଆ ବିଶ୍ୱକପକୁ ଆଉ ୧୦ ମାସ ରହିଥିବା ବେଳେ ଭାରତର ରଣନୀତି କିପରି ହେବ ତାହା ଆହୁରି ସ୍ପଷ୍ଟ ହୋଇନାହିଁ । ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ୍ ଓ କ୍ୟାପଟେନ୍ ରୋହିତ ଶର୍ମା ଯେବେଠୁଁ ଦାୟିତ୍ୱ ଗ୍ରହଣ କରିଛନ୍ତି ସେବେଠୁ ଦଳ ‘ନିର୍ଭୀକ ଆଭିମୁଖ୍ୟ’ ସହ ପ୍ରଦର୍ଶନ କରିବ ବୋଲି କେବଳ ଚର୍ଚ୍ଚା ହିଁ ହେଉଛି । କିନ୍ତୁ ଭାରତୀୟ ଦଳ ପଡ଼ିଆରେ ଏହାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛି । ବେଳେବେଳେ ପରିବେଶ ସହ କିପରି ଖାପ ଖୁଆଇ ହେବ ତାହାକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି ।

ମୀରପୁର ପିଚ୍ ବ୍ୟାଟିଂ ପାଇଁ ସେଭଳି ଉପଯୋଗୀ ନୁହେଁ । କିନ୍ତୁ ଏହି ଟ୍ରାକ୍ ଏତେ ମନ୍ଥର ନୁହେଁ ଯେ, ଏଠାରେ ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ଅପ୍ ଥିବା ଏକ ଦଳ ମାତ୍ର ୧୮୬ ରନରେ ସୀମିତ ରହିଯିବ । ଭାରତୀୟ ଦଳ ସହ ଜଡ଼ିତ କିଛି ଚୟନ ସଂକ୍ରାନ୍ତୀୟ ନିଷ୍ପତ୍ତି ମଧ୍ୟ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାଂଲାଦେଶ ବିପକ୍ଷ ସିରିଜରୁ ଶୁଭମାନ ଗିଲ୍ ଓ ସଞ୍ଜୁ ସାମସନଙ୍କ ଭଳି ଖେଳାଳିଙ୍କୁ ବିଶ୍ରାମ ଦେବା ନିଷ୍ପତ୍ତି ବିଶେଷଜ୍ଞ ଓ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି । ବରଖାସ୍ତ ହେବା ପରେ କାମଚଳା ଦାୟିତ୍ୱ ତୁଲାଉଥିବା ମୁଖ୍ୟ ଚୟନକର୍ତ୍ତା ଏଭଳି ନିଷ୍ପତ୍ତିର ଯଥାର୍ଥତା ସାବ୍ୟସ୍ତ କରିବା ପାଇଁ କହିଛନ୍ତି ଯେ, ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପରେ କିଛି ନୂଆ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି ।

ଗିଲ୍ ଟି୨୦ ବିଶ୍ୱକପରେ ଖେଳିନଥିଲେ । ନ୍ୟୁଜିଲାଣ୍ଡରେ ଟି୨୦ ସିରିଜ ପାଇଁ ସେ ଭାରତୀୟ ଦଳରେ ସାମିଲ ହୋଇଥିଲେ ମଧ୍ୟ ଗୋଟିଏ ବି ମ୍ୟାଚ୍ ଖେଳିନଥିଲେ । ତେଣୁ ତାଙ୍କୁ ବାଂଲାଦେଶ ସିରିଜରୁ ବିଶ୍ରାମ ଆଳରେ ବାଦ୍ ଦେବା ନିଷ୍ପତ୍ତି ଆଶ୍ଚର୍ଯ୍ୟଜନକ । ଭାରତୀୟ ଦଳକୁ ପାୱାରପ୍ଲେ ବ୍ୟାଟିଂରେ ଉନ୍ନତି ଆଣିବାକୁ ପଡ଼ିବ । ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ରନ୍ ଗତି ବଢାଉଥିଲେ ମଧ୍ୟ ଅତ୍ୟଧିକ ଡଟ୍ ବଲ୍ ଖେଳୁଛନ୍ତି, ଯେଉଁ କାରଣରୁ ପରବର୍ତ୍ତୀ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପଡ଼ୁଛି । ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦଳ ୪୨ ଓଭର ଭିତରେ ଅଲଆଉଟ୍ ହୋଇଥିବା ବେଳେ ଆମ ବ୍ୟାଟ୍ସମ୍ୟାନ୍ ୧୫୦ (୨୫ ଓଭର) ଡଟ୍ ବଲ୍ ଖେଳିଥିଲେ । ଆଧୁନିକ କ୍ରିକେଟରେ ଇଂଲଣ୍ଡ ଭଳି ଟିମ୍ ସବୁ ଫର୍ମାଟରେ ନିର୍ଭୀକ ଆଭିମୁଖ୍ୟ ସହ ଧାରା ବଦଳାଉଥିବା ବେଳେ ଭାରତୀୟ ଦଳ ଗୋଟିଏ ପାଦ ଆଗେଇ ଚାରି ପାଦ ପଛକୁ ଫେରୁଛି ।

Exit mobile version