Site icon ଆଜିକାଲି

ଭାଇଜାଗ ଟେଷ୍ଟରେ ଭାରତର ଜବରଦସ୍ତ ବିଜୟ, ଇଂଲଣ୍ଡକୁ ୧୦୬ ରନରେ ହରାଇ ସିରିଜକୁ ଫେରିଲା

ବିଶାଖାପଟନମ୍: ହାଇଦ୍ରାବାଦରେ ପରାଜୟ ପରେ ଭାରତ ବିଶାଖାପଟନମ୍ ଟେଷ୍ଟରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ରବିଚନ୍ଦ୍ରନ ଅଶ୍ବିନ ଓ ଜସପ୍ରୀତ ବୁମରାଙ୍କ ଘାତକ ବୋଲିଂ‌ ସହାୟତାରେ ଭାରତ ଇଂଲଣ୍ଡକୁ ୧୦୬ ରନରେ ହରାଇ ଦେଇଛି । ୩୯୯ ବିଜୟ ଲକ୍ଷ୍ୟ ଜବାବରେ ଇଂଲଣ୍ଡ ସୋମବାର ଚତୁର୍ଥ ଦିବସର ଦ୍ବିତୀୟ ସେସନରେ ୨୯୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଅଶ୍ୱିନ୍ ଓ ବୁମରା ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ମ୍ୟାଚରେ ମୋଟ ୯ ଓ୍ବିକେଟ୍ ନେଇଥିବା ବୁମରା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ଚମତ୍କାର ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୧ରେ ବରାବର ସ୍ଥିତିକୁ ଆଣିଛି। ଇଂଲଣ୍ଡ ପ୍ରଥମ ଟେଷ୍ଟକୁ ୨୮ ରନରେ ଜିତିଥିଲା। ସିରିଜର ତୃତୀୟ ଟେଷ୍ଟ ଫେବୃୟାରୀ ୧୫ରୁ ରାଜକୋଟରେ ଖେଳାଯିବ ।

ଚତୁର୍ଥ ଦିନର ଖେଳ ଆରମ୍ଭ ବେଳକୁ ଭାରତକୁ ବିଜୟ ପାଇଁ ୯ ଓ୍ବିକେଟ୍ ଓ ଇଂଲଣ୍ଡକୁ ୩୩୨ ରନ୍ ଆବଶ୍ୟକ ହେଉଥିଲା। ଇଂଲଣ୍ଡ ଅସମାପ୍ତ ଦ୍ୱିତୀୟ ଇନିଂସ୍ ସ୍କୋର୍ ୬୭/୧ରୁ ଖେଳ ଆରମ୍ଭ କରିଥିଲା । ନିଜ ‘ବାଜବଲ୍’ ରଣନୀତି ଅନୁସାରେ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିଥିଲା ଇଂଲଣ୍ଡ। ହେଲେ ଏପରି କରିବାକୁ ଯାଇ ଭ୍ରମଣକାରୀ ଦଳ ପ୍ରଥମ ସେସନରେ ହିଁ ୫ ଓ୍ବିକେଟ୍ ହରାଇଥିଲା ‌। ଦଳ ଲଞ୍ଚ ବିରତି ସୁଦ୍ଧା ୧୯୪ ରନରେ ୬ ଓ୍ବିକେଟ୍ ହରାଇ ପରାଜୟ ଦ୍ଵାରରେ ପହଞ୍ଚି ଯାଇଥିଲା । ଦ୍ବିତୀୟ ସେସନରେ ଅଧିନାୟକ ବେନ୍ ଷ୍ଟୋକ୍ସ ରନ୍ ଆଉଟ୍ ହୋଇଯିବା ପରେ ଇଂଲଣ୍ଡର ଶେଷ ଆଶା ମଉଳି ଯାଇଥିଲା ।
ଦ୍ବିତୀୟ ଇନିଂସରେ ଇଂଲଣ୍ଡ ତରଫରୁ ଜ୍ୟାକ୍ କ୍ରଲି ସର୍ବାଧିକ ୭୩ ରନ୍ କରିଥିବା ବେଳେ ବେନ୍ ଫୋକ୍ସ ଓ ଟମ୍ ହାର୍ଟଲି ୩୬-୩୬ ରନ୍ କରିଥିଲେ ‌।

ଭାରତର ଏହି ବିଜୟରେ ବୁମରାଙ୍କ ସହ ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ବୀ ଜୈସୱାଲ ଓ ଶୁଭମାନ ଗିଲଙ୍କ ମଧ୍ୟ ପ୍ରମୁଖ ଅବଦାନ ରହି‌ଥିଲା । ଜୈସୱାଲ ପ୍ରଥମ ଇନିଂସରେ ଚମତ୍କାର ୨୦୯ ରନ୍ କରିଥିଲେ ‌। ଗିଲ୍ ଫର୍ମକୁ ଫେରି ଦ୍ବିତୀୟ ଇନିଂସରେ ୧୦୪ ରନର‌ ପାଳି ଖେଳିଥିଲେ ।

Exit mobile version