Site icon ଆଜିକାଲି

ଭାରତୀୟ ବୋଲରଙ୍କ କମାଲ, ପାକିସ୍ତାନ ୧୯୧ ରନରେ ଆଉଟ୍

ଅହମ୍ମଦାବାଦ: ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଶନିବାର ଖେଳାଯାଉଥିବା ବିଶ୍ବକପର ମହାମୁକାବିଲାରେ ପାକିସ୍ତାନକୁ ୧୯୧ ରନରେ ଆଉଟ୍ କରିଦେଇଛି ଭାରତ । ପାକିସ୍ତାନ ପୁରା ୫୦ ଓଭର‌ ବି ଖେଳିପାରି ନାହିଁ । ଦଳର ଇନିଂସ୍ ମାତ୍ର ୪୨.୫ ଓଭରରେ ଶେଷ ହୋଇଯାଇଥିଲା ‌। ପାକିସ୍ତାନ ବିପକ୍ଷରେ‌ ୮-୦‌ କରିବାକୁ ଭାରତକୁ ଏବେ କେବଳ‌‌ ୧୯୨ ରନ୍ ଆବଶ୍ୟକ । ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ଭାରତୀୟ ବୋଲର ସଂଘର୍ଷ କରିଥିଲେ ମଧ୍ୟ ପରେ ଲୟକୁ ଫେରି ପାକିସ୍ତାନ ବ୍ୟାଟିଂ ଲାଇନ୍ ଅପକୁ ଧରାଶାୟୀ କରିଥିଲେ । ଦଳ ପକ୍ଷରୁ ସିରାଜ, ବୁମରା, ହାର୍ଦ୍ଦିକ, କୁଲଦୀପ ଏବଂ ରବିନ୍ଦ୍ର ଜାଡେଜା ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।

କ୍ୟାପଟେନ ବାବର ଆଜମ ପାକିସ୍ତାନ ପକ୍ଷରୁ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୫୮ ବଲରେ ୭ଟି ଚୌକା ସହ ୫୦ ରନ୍ କରିଥିଲେ । ଦିନିକିଆରେ ଭାରତ ବିପକ୍ଷରେ ଏହା ତାଙ୍କର ପ୍ରଥମ ଅର୍ଦ୍ଧଶତକ ଥିଲା। ମହମ୍ମଦ ରିଜଓ୍ବାନ ୪୯ ରନ୍ କରିଥିଲେ । ପାକିସ୍ତାନ ଶେଷ ୮ ଓ୍ବିକେଟ୍ ମାତ୍ର ୩୬ ରନରେ ହରାଇଥିଲା‌।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନକୁ ଦୁଇ ଓପନର ଆସାମ ଉଲ୍ ହକ୍(୩୬) ଓ ଅବଦୁଲ୍ଲା ସଫିକ୍ (୨୦) ଦଳକୁ ଦୃଢ଼ ଆରମ୍ଭ ଦେଇଥିଲା । ପ୍ରଥମ ଓ୍ବିକେଟ୍ ପାଇଁ ଦୁହେଁ ୪୧ ରନ୍ ଯୋଡିଥିଲେ । ଦଳ ଏକଦା ୨ ୱିକେଟ୍ ହରାଇ ୧୫୫ ରନ୍ କରି ଏକ ବଡ଼ ସ୍କୋର ଆଡକୁ ଯାଉଥିଲା । ହେଲେ ମହମ୍ମଦ ସିରାଜ ବାବର ଆଜମଙ୍କୁ ବୋଲ୍ଡ କରି ଭାରତକୁ ବହୁ ‌ପ୍ରତୀକ୍ଷିତ ସଫଳତା ଦେଇଥିଲେ । ବାବର ପାଭିଲିୟନ ଲେଉଟିବା ପରେ ପାକିସ୍ତାନର ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା । କୁଲଦୀପ ଯାଦବ ୩୩ ତମ ଓଭରରେ ସାଉଦ ଶକିଲ (୬) ଏବଂ ଇଫତିକାର ଅହମ୍ମଦ(୪) ଙ୍କୁ ଆଉଟ୍ କରିଥିଲେ । ଏହା ପରେ ଜସପ୍ରୀତ ବୁମରା ୩୪ତମ ଓଭରରେ ମହମ୍ମଦ ରିଜୱାନ ଏବଂ ୩୬ତମ ଓଭରରେ ଶାଦବ ଖାନ(୨)ଙ୍କ ବୋଲ୍ଡ କରି ପାକିସ୍ତାନକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ମହମ୍ମଦ ନୱାଜ(୪)ଙ୍କୁ ଆଉଟ୍ କରିଥିବା ବେଳେ ରବୀନ୍ଦ୍ର ଜାଡେଜା ହାସନ ଅଲି(୧୨) ଏବଂ ହାରିସ ରାଉଫ୍ (୨)ଙ୍କୁ ପ୍ୟାଭିଲିୟନ ପଠାଇ ପାକିସ୍ତାନ ଇନିଂସ୍ ଶେଷ କରିଥିଲେ ।

Exit mobile version