Site icon ଆଜିକାଲି

ଶୁକ୍ରବାର ଖେଳାଯିବ ଭାରତ-ଇଂଲଣ୍ଡ ୨ୟ ଟେଷ୍ଟ

ବିଶାଖାପାଟଣା : ଶୁକ୍ରବାର ଖେଳାଯିବ ଭାରତ-ଇଂଲଣ୍ଡ ୨ୟ ଟେଷ୍ଟ ମ୍ୟାଚ୍‌ । ଉଭୟ ଦଳ ବିଶାଖାପାଟଣା କ୍ରିକେଟ୍‌ ଗ୍ରାଉଣ୍ଡରେ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି । ସିରିଜ୍‌ରେ ଇଂଲଣ୍ଡ ୦-୧ରେ ଆଗୁଆ ରହିଛି ।

ଭାରତ ନିଜ ଘରୋଇ ଗ୍ରାଉଣ୍ଡ୍‌ରେ ଖେଳୁଥିଲେ ହେଁ ପ୍ରଥମ ଟେଷ୍ଟ ହାରି ସାରିଛି । ବର୍ତ୍ତମାନ ସିରିଜକୁ ଫେରିବାର ସମୟ । ବିରାଟ କୋହଲିଙ୍କ ଭଳି ମହାନ ବ୍ୟାଟର ଦଳରେ ନାହାନ୍ତି । ଅଭିଜ୍ଞ ରବିନ୍ଦ୍ର ଜାଡେଜା ଓ କେ ଏଲ୍‌ ରାହୁଲ ପ୍ରଥମ ଟେଷ୍ଟରେ ପରାଜିତ ହୋଇ ବାଦ ପଡ଼ିସାରିଛନ୍ତି । ସିରିଜକୁ ଫେରିବା ଏକ ବଡ଼ ଚ୍ୟାଲେଞ୍ଜ ରୂପେ ଉଭା ହୋଇଥିବାବେଳେ ଏପଟେ ଆହତ ସମସ୍ୟା ଦଳକୁ ଚିନ୍ତାରେ ପକାଇ ଦେଇଛି । ଏକାଧିକ ଅନଭିଜ୍ଞ ଯୁବ ଖେଳାଳିଙ୍କୁ ଧରି ରୋହିତ ଶର୍ମା ବିଜୟକୁ ଫେରିବା ସହ ସମାଲୋଚକଙ୍କୁ ଚୁପ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ପ୍ରଥମ ଟେଷ୍ଟରେ ନିରାଶ କରିଥିବା ଶୁଭମନ ଗିଲ ଓ ଶ୍ରେୟାସ ଆୟରଙ୍କୁ ସମାଲୋଚନା କରାଯାଉଛି । ଉଭୟଙ୍କୁ ଏକାଦଶରୁ ବାଦ ଦେବାକୁ କ୍ରିକେଟ୍‌ ପଣ୍ଡିତମାନେ ମତ ଦେଉଛନ୍ତି । ମାତ୍ର ଟିମ ମ୍ୟାନେଜମେଣ୍ଟ ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବାକୁ ଚାହୁଁନାହିଁ । ଦ୍ୱିତୀୟ ଟେଷ୍ଟରେ ଉଭୟଙ୍କ ସ୍ଥାନ ସୁରକ୍ଷିତ ଥିବା ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର ସ୍ପଷ୍ଟ କରିଦେଇଛନ୍ତି । କେବଳ ଖାଲି ପଡ଼ିଥିବା ଜାଡେଜା ଓ ରାହୁଲଙ୍କ ସ୍ଥାନ ପାଇଁ ଖେଳାଳି ଚୟନ କରାଯିବ ।

ରାହୁଲ ଓ ଜାଡେଜା ଆହତ ହେବା ପରେ ସର୍ଫରାଜ ଖାନ୍‌, ସୌରଭ କୁମାର ଓ ୱାସିଂଟନ ସୁନ୍ଦରଙ୍କୁ ଦଳରେ ସାମିଲ କରାଯାଇଛି । ବର୍ତ୍ତମାନ କେବଳ ରାହୁଲଙ୍କ ସ୍ଥାନରେ ଜଣେ ବ୍ୟାଟରଙ୍କୁ ଏକାଦଶରେ ସ୍ଥାନ ମିଳିବ । ଫଳରେ ପାତିଦାର ଓ ସର୍ଫରାଜଙ୍କ ମଧ୍ୟରୁ ଜଣେ ଟେଷ୍ଟ ପଦାର୍ପଣ କରିବା ନିଶ୍ଚିତ । ଅଭ୍ୟାସ ଶିବିରରେ ଉଭୟ ନବାଗତ ଦୀର୍ଘ ସମୟ ଧରି ବ୍ୟାଟିଂ ଅଭ୍ୟାସ କରିଥିଲେ । ପାତିଦାର ସ୍ପିନରଙ୍କ ବିପକ୍ଷରେ ରିଭର୍ସ ସୁଇପ୍‌ ସଟ୍‌ ଖେଳିଯାଇଥିଲେ । ମାତ୍ର ସର୍ଫରାଜ ବିସ୍ଫୋରକ ବ୍ୟାଟିଂ ଉପରେ ଧ୍ୟାନ ଦେଇଥିଲେ । ବ୍ୟାଟିଂ କୋଚ୍‌ ରାଠୋର ଓ ଅଧିନାୟକ ରୋହିତ ଉଭୟଙ୍କ ଉପରେ ତୀକ୍ଷ୍ଣ ନଜ ରଖିଥିଲେ । ରୋହିତ ଅଭ୍ୟାସ ସମୟରେ ସର୍ଫରାଜଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା ।

ସେହିପରି ଜାଡେଜାଙ୍କ ସ୍ଥାନ ପାଇଁ ସୁନ୍ଦର ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣେ ସୁଯୋଗ ପାଇବେ । ସୁନ୍ଦରଙ୍କ ନିକଟରେ ଯଥେଷ୍ଟ ବ୍ୟାଟିଂ ଦକ୍ଷତା ରହିଛି । ମାତ୍ର ସୀମିତ ଓଭର କ୍ରିକେଟ୍‌ରେ ବେଶ ସଫଳତା ପରେ କୁଲଦୀପ ଟେଷ୍ଟ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି । ଆଜି ଅଭ୍ୟାସ ଶିବରରେ ମଧ୍ୟ କୁଲଦୀପଙ୍କୁ ଦୀର୍ଘ ସମୟ ଧରି ବୋଲିଂ କରାଯାଇଥିଲା । ପ୍ରଥମ ଟେଷ୍ଟ ଜିତିବା ପରେ ଇଂଲଣ୍ଡର ମନୋବଳ ଦୃଢ଼ୀଭୂତ ହୋଇଛି । ଚେନ୍ନାଇ ଭଳି ଏଠାରେ ସ୍ପିନରଙ୍କୁ ସୁହାଇବା ଭଳି ପିଚ୍‌ କଲେ ୪ଜଣ ସ୍ପିନରଙ୍କୁ ନେଇ ଦଳ ଗ୍ରାଉଣ୍ଡ୍‌କୁ ଓହ୍ଲାଇବ ବୋଲି କୋଚ୍‌ ବ୍ରେଣ୍ଡନ ମ୍ୟାକ୍‌କଲମ ସ୍ପଷ୍ଟ କରିଦେଇଛନ୍ତି । ମାତ୍ର ବାମ ହାତି ସ୍ପିନର ଜ୍ୟାକ ଲିଚ୍‌ ସମ୍ପୂର୍ଣ୍ଣ ଫିଟ୍‌ ହୋଇ ନଥିବା ଆଶଙ୍କା କରାଯାଉଛି । ପ୍ରଥମ ଟେଷ୍ଟରେ ସେ ଆହତ ହୋଇଥିଲେ । ଯୁବ ସ୍ପିନର ସୋହେବ ବସିର ଇତି ମଧ୍ୟରେ ଦଳ ସହ ଯୋଗ ଦେଇ ଅଭ୍ୟାସ କରିଛନ୍ତି ।

Exit mobile version