Site icon ଆଜିକାଲି

ଆଜି ଭାରତ-ଇଂଲଣ୍ଡ ଦ୍ବିତୀୟ ସେମିଫାଇନାଲ

ଆଡିଲେଡ୍‌ : ଅଷ୍ଟ୍ରେଲିଆରେ ଚାଲିଥିବା ଆଇସିସି ଟି-୨୦ ବିଶ୍ବକପର ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଗୁରୁବାର ଆଡିଲେଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଭାରତ ଓ ଇଂଲଣ୍ଡ ୪ର୍ଥ ଥର ପାଇଁ ସେମିଫାଇନାଲ ଖେଳିବାକୁ ଯାଉଛନ୍ତି। ପ୍ରଥମ ଥର ପାଇଁ ଉଭୟ ଦଳ ସେମିଫାଇନାଲରେ ମୁହାଁମୁହିଁ ହେବେ।

ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳ ସୁପର-୧୨ରେ ୫ଟି ମ୍ୟାଚରୁ ୪ଟି ବିଜୟ ଓ ଗୋଟିଏ ପରାଜୟ ସହ ୮ ପଏଣ୍ଟ ପାଇ ଗ୍ରୁପ ଶୀର୍ଷ ସ୍ଥାନ ହାସଲ କରିଥିଲା। ଭାରତ ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ୪ ୱିକେଟର ରୋମାଞ୍ଚକର ବିଜୟ ହାସଲ କରିଥିଲା। ଦ୍ବିତୀୟ ମ୍ୟାଚରେ ନେଦରଲାଣ୍ଡ୍‌ସକୁ ୫୬ରନରେ ପରାସ୍ତ କରିଥିଲା। ୩ୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିକଟରୁ ୫ ୱିକେଟରେ ପରାଜିତ ହୋଇଥିବାବେଳେ ୪ର୍ଥ ମ୍ୟାଚରେ ବାଂଲାଦେଶକୁ ୫ରନ ଓ ୫ମ ମ୍ୟାଚରେ ଜିମ୍ବାୱେକୁ ୭୧ରନରେ ପରାସ୍ତ କରିଥିଲା। ତାରକା ବ୍ୟାଟ୍‌ସମ୍ୟାନ ବିରାଟ କୋହଲି ୫ଟି ମ୍ୟାଚରୁ ୩ଟି ଅର୍ଦ୍ଧଶକ ସହ ୨୪୬ ଓ ସୂର୍ଯ୍ୟକୁମାର ଯାଦବ ୨୨୫ରନ କରିଛନ୍ତି। ଓପନର ଲୋକେଶ ରାହୁଲ ​‌ ପ୍ରଥମ ୩ଟି ମ୍ୟାଚରେ ବିଫଳ ହୋଇଥିବାବେଳେ ବାଂଲାଦେଶ ଓ ଜିମ୍ବାୱେ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରି ଫର୍ମକୁ ଫେରିଛନ୍ତି।ଅଧିନାୟକ ରୋହିତ ଶର୍ମାଙ୍କ ଫର୍ମକୁ ନେଇ ଦଳ ଚିନ୍ତାରେ ପଡିଛି। ରୋହିତ ନେଦରଲାଣ୍ଡ୍‌ସ ବିପକ୍ଷରେ ୫୩ରନ କରିଥିବାବେଳେ ଅନ୍ୟ ୪ଟି ମ୍ୟାଚରୁ ୩୬ରନ କରିଛନ୍ତି। ଜିମ୍ବାୱେ ବିପକ୍ଷ ମ୍ୟାଚରେ ୱିକେଟରକ୍ଷକ ଦିନେଶ କାର୍ତ୍ତିକଙ୍କ ସ୍ଥାନରେ ଋଷଭ ପନ୍ତ୍‌ଙ୍କୁ ସୁଯୋଗ ମିଳିଥିଲା। ପନ୍ତ ମାତ୍ର ୪ରନ କରିଥିଲେ। ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ପନ୍ତଙ୍କ ସ୍ଥାନ​‌େ​‌ର କାର୍ତ୍ତିକ ଖେଳିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ହାର୍ଦିକ ପାଣ୍ଡ୍ୟା ଅଲରାଉଣ୍ଡର ଭୂମିକା ତୁଲାଉଛନ୍ତି। ଅକ୍ଷର ପଟେଲ ୪ଟି ମ୍ୟାଚରେ ଖେଳିବାର ସୁଯୋଗ ପାଇଥିଲେ ମଧ୍ୟ ଆଶା ଅନୁଯାୟୀ ପ୍ରଦର୍ଶନ କରିପାରିନାହାନ୍ତି। ତାଙ୍କ ସ୍ଥାନରେ ଦୀପକ ହୁଡାଙ୍କୁ ଦଳରେ ସାମିଲ କରିବାର ମଧ୍ୟ ସମ୍ଭାବନାରହିଛି। ବୋଲିଂରେ ଅର୍ଶଦୀପ୍‌ ସିଂହ ୫ଟି ମ୍ୟାଚରୁ ୧୦ଟି, ମହମ୍ମଦ ସାମି ୪ଟି, ଭୁବନେଶ୍ବର କୁମାର ୪ଟି , ରବିଚନ୍ଦ୍ରନ ଅଶ୍ବିନ ୬ଟି, ହାର୍ଦିକ ପାଣ୍ଡ୍ୟା ୮ଟି, ଅକ୍ଷର ପଟେଲ ୩ଟି ୱିକେଟ ନେଇଛନ୍ତି। ଦ୍ରୁତ ବୋଲିଂ ବିଭାଗରେ ଅର୍ଶଦୀପ୍‌, ସାମି ଓ ଭୁବନେଶ୍ବର ଖେଳିବା ନିଶ୍ଚିତ । ୪ର୍ଥ ବୋଲର ଭାବେ ପାଣ୍ଡ୍ୟା ରହିଥିବାବେଳେ ଓ ୫ମ ବୋଲର ଭାବେ ଅଶ୍ବିନ ଦାୟିତ୍ବ ତୁଲାଇବେ। ଅନ୍ୟପକ୍ଷରେ ଜୋସ ବଟ୍‌ଲରଙ୍କ ନେତୃତ୍ବାଧିନ ଇଂଲଣ୍ଡ ସଂଘର୍ଷ କରି ସେମିଫାଇନାଲରେ ପହଞ୍ଚିଛି।

ଗ୍ରୁପ-୧ରେ ସ୍ଥାନ ପାଇଥିବା ଇଂଲଣ୍ଡ ୫ ୱିକେଟରେ ଆଫଗାନିସ୍ତାନକୁ, ୨୦ରନରେ ନ୍ୟୁଜିଲାଣ୍ଡକୁ ଓ ୪ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଥିବାବେଳେ ଆୟରଲାଣ୍ଡ ନିକଟରୁ ୫ରନରେ, ପରାଜିତ ହୋଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଯାଇଥିଲା। ଜୋସ ବଟ୍‌ଲର, ଆଲେକ୍ସ ହେଲ୍‌ସ,ହାରି ବ୍ରୁକ୍‌ସ, ବେନ୍‌ ଷ୍ଟୋକସ, ଲିଆମ ଲିଭିଙ୍ଗଷ୍ଟୋନ, ମୋଇନ ଅଲ୍ଲୀଙ୍କ ଉପରେ ବ୍ୟାଟିଂ ଭାର ନିର୍ଭର କରୁଛି। ବୋଲିଂରେ ସାମ୍‌ କୁରାନ, କ୍ରିସ ୱକ୍‌ସ, ମାର୍କ ଉଡ୍‌ ଓ ଆଦିଲ ରସିଦ ପ୍ରମୁଖ ଦାୟିତ୍ବ ତୁଲାଇବେ।

Exit mobile version