Site icon ଆଜିକାଲି

ଆଜି ଭାରତ-ହଂକଂ ମୁକାବିଲା, ସୁପର୍ ୪ ଲକ୍ଷ୍ୟରେ ରୋହିତ ବାହିନୀ

ନୂଆଦିଲ୍ଲୀ : ଏସିଆ କପ୍‌-୨୦୨୨ର ଚତୁର୍ଥ ମ୍ୟାଚ୍‌ରେ ବୁଧବାର ମୁହାଁମୁହିଁ ହେବେ ଭାରତ ଓ ହଂକଂ । ବ୍ଲୁ ଆର୍ମି ଏହି ମୁକାବିଲା ଜିତି ସହଜରେ ସୁପର ୪ରେ ପ୍ରବେଶ କରିବାକୁ ଚାହିଁବ । କାରଣ ଭାରତୀୟ ଦଳ ସ୍ମରଣୀୟ ବିଜୟ ସହ ଏସିଆ କପ୍ ୨୦୨୨ର ଆରମ୍ଭ କରିଛି । ବ୍ଲୁ ଆର୍ମି ନିଜର ପ୍ରଥମ ମୁକାବିଲାରେ ହିଁ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫ ୱିକେଟରେ ହରାଇଛି । ଅନ୍ୟପଟେ ବିପକ୍ଷ ହଂକଂ ମଧ୍ୟ ବିଜୟ ସହିତ ଟୁର୍ଣ୍ଣାମେଣ୍ଟରେ ନିଜର ଉପସ୍ଥିତି ଜାହିର କରିବାକୁ ଚାହିଁବ ।

ମୁକାବିଲାରେ କେଏଲ ରାହୁଲଙ୍କୁ ବଡ ଇନିଂସ ଖେଳିବା ପାଇଁ ସୁଯୋଗ ମିଳିବ । ତେବେ ଭାରତ ପାଇଁ ଏହି ମୁକାବିଲା ନେଟ୍ ପ୍ରାକ୍ଟିସ୍ ଭଳି ହେବ । ହଂକଂର ଅଧିକାଂଶ ଖେଳାଳି ଭାରତ ଓ ପାକିସ୍ତାନ ବଂଶୋଦ୍ଭବ ଅଟନ୍ତି । ଏମାନେ ଭାରତରେ ପ୍ରଥମ ଶ୍ରେଣୀ ଟିମରେ ସ୍ଥାନ ପାଇନଥିଲେ । ସେହିପରି ବିରାଟ ହଂକଂ ବିପକ୍ଷରେ ଫର୍ମକୁ ଫେରିବେ ବୋଲି ଆଶା କରାଯାଉଛି । ସେ ଦୀର୍ଘଦିନ ଧରି ବଡ ସ୍କୋର କରିବାରେ ବିଫଳ ହେଉଛନ୍ତି । ପାକିସ୍ତାନ ବିପକ୍ଷରେ କିଛି ଖାସ୍ କରିପାରିନଥିବା ରୋହିତ ମଧ୍ୟ ଭଲ ପାଳି ଖେଳିବେ ବୋଲି ଆଶା କରାଯାଉଛି । ତେବେ ଜାଡେଜାଙ୍କୁ ଦଳ ଆଜି କେଉଁ ନମ୍ବରରେ ଓହ୍ଲାଉଛି ତା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ ।

ଅନ୍ୟପକ୍ଷରେ ହଂକଂ ପାଖରେ ପାକିସ୍ତାନ ଭଳି ବୋଲର ନାହାଁନ୍ତି । କିନ୍ତୁ ଦଳକୁ ଦୁର୍ବଳ ଭାବିହେବ ନାହିଁ । କାରଣ ଏକ ଅଜଣା ଟିମର ପ୍ରଦର୍ଶନକୁ ନେଇ ଅନୁମାନ ଲଗାଯାଇ ପାରିବ ନାହିଁ । ଭାରତୀୟ ଅଧିନାୟକ ରୋହିତ ସ୍ପଷ୍ଟ ଭାବେ ଟିମରେ ନୂଆ ନୂଆ ଏକ୍ସପେରିମେଣ୍ଟ କରିବେ ବୋଲି କହିସାରିଛନ୍ତି । ଯଦି କୌଣସି ବଡ ପରିବର୍ତ୍ତନ ହୁଏ ତେବେ ଏଥିରେ ଚକିତ ହେବାର କିଛି ନାହିଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

Exit mobile version