Site icon ଆଜିକାଲି

ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଚତୁର୍ଥ ସର୍ବାଧିକ ବ୍ୟୟକାରୀ ରାଷ୍ଟ୍ର

ନୂଆଦିଲ୍ଲୀ : ୨୦୨୧ ବର୍ଷ ତୁଳନାରେ ୨୦୨୨ ବର୍ଷରେ ଭାରତର ପ୍ରତିରକ୍ଷା ବ୍ୟୟ ୬ ପ୍ରତିଶତ ଅଧିକ ଥିଲା । ସ୍ୱିଡେନର ଏକ ସଂସ୍ଥା ‘ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍’ (ଏସ୍ଆଇପିଆରଆଇ)ର ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ୨୦୨୧ ମସିହାରେ ୭୬.୬ ବିଲିୟନ ଡ଼ଲାର ସାମରିକ ଖର୍ଚ୍ଚ ସହିତ ଭାରତର ସ୍ଥାନ ତୃତୀୟ ଥିଲା । ୨୦୧୬ରେ ଭାରତ ୫୫.୯ ବିଲିୟନ ଡ଼ଲାର ସହ ପଞ୍ଚମ ସର୍ବାଧିକ ସାମରିକ ବ୍ୟୟକାରୀ ରାଷ୍ଟ୍ର ହୋଇଥିଲା ।

ପ୍ରତିରକ୍ଷା ବ୍ୟୟ ରିପୋର୍ଟ ଅନୁଯାୟୀ, ଭାରତ ସମୁଦାୟ ପ୍ରତିରକ୍ଷା ବଜେଟର ପ୍ରାୟ ୨୩ ପ୍ରତିଶତ ଉପକରଣ ଏବଂ ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ କରିଛି, ଯେଉଁଥିରେ ଚୀନ୍ ସୀମାବର୍ତ୍ତୀ ଅଞ୍ଚଳରେ ଖର୍ଚ୍ଚ ମଧ୍ୟ ଅନ୍ତର୍ଭୁକ୍ତ । ରିପୋର୍ଟ ଅନୁଯାୟୀ, ଭାରତର ପ୍ରତିରକ୍ଷା ବଜେଟର ବଡ଼ ଭାଗ ଦରମା ଏବଂ ପେନସନ ପାଇଁ ଖର୍ଚ୍ଚ ହୋଇଛି । ୨୦୨୨ ମସିହାରେ ଭାରତ ପ୍ରତିରକ୍ଷା ପାଇଁ ମୋଟ ୮୧.୪ ବିଲିୟନ ଡଲାର ଖର୍ଚ୍ଚ କରିଥିଲା, ଯାହା ୨୦୨୧ ବର୍ଷ ତୁଳନାରେ ୬ ପ୍ରତିଶତ ଏବଂ ୨୦୧୩ ବର୍ଷ ତୁଳନାରେ ୪୭ ପ୍ରତିଶତ ଅଧିକ।

ଏହି ରିପୋର୍ଟରେ କୁହାଯାଇଛି, “ଭାରତର ପ୍ରତିରକ୍ଷା ବଜେଟରେ ବୃଦ୍ଧି ଚୀନ୍ ଓ ପାକିସ୍ତାନ ସୀମାରେ ଉତ୍ତେଜନାକୁ ଦର୍ଶାଉଛି । ରିପୋର୍ଟ ଅନୁଯାୟୀ, ବିଶ୍ବରେ ପ୍ରତିରକ୍ଷା କ୍ଷେତ୍ରରେ ସବୁଠୁ ଅଧିକ ବ୍ୟୟ କରୁଥିବା ଦେଶ ହେଉଛି ଆମେରିକା। ୨୦୨୨ରେ ବିଶ୍ବର ମୋଟ ପ୍ରତିରକ୍ଷା ବ୍ୟୟ ମଧ୍ୟରୁ କେବଳ ୩୯ ପ୍ରତିଶତ ଭାଗ ଆମେରିକାର । ଏହା ପରେ ୧୩ ପ୍ରତିଶତ ସହ ଚୀନ୍ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ରୁଷ, ଭାରତ ଓ ସାଉଦି ଆରବ ଯଥାକ୍ରମେ ୩.୯, ୩.୬ ଓ ୩.୩ ପ୍ରତିଶତ ପ୍ରତିରକ୍ଷା ଖର୍ଚ୍ଚ ସହ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି ।

Exit mobile version