Site icon ଆଜିକାଲି

୫ ଉଇକେଟରେ ମ୍ୟାଚ ଜିତି ଟି-୨୦ ଫର୍ମାଟରେ ପାକିସ୍ତାନ ବିପକ୍ଷରେ ବିଜୟ ଧାରା ବଜାୟ ରଖିଲା ଭାରତ

ଦୁବାଇ: ଆଜି ଏସିଆ କପ୍‌ର ହାଇଭୋଲଟେଜ୍ ମ୍ୟାଚ୍‌ରେ ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବାଜି ମାରିଲା ଭାରତ। ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୫ ଓ୍ଵିକେଟ୍‌ରେ ହରାଇଲା। ବିଜୟ ସହିତ ଭାରତ ଟି-୨୦ ବିଶ୍ଵକପ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି। ଏଥିସହ ବିଜୟରୁ ଏସିଆ କପ୍‌ ଅଭିଯାନ ଆରମ୍ଭ କରିଛି ଭାରତ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ନିୟମିତ ଓ୍ବିକେଟ୍ ପତନର ସମ୍ମୁଖୀନ ହୋଇ ନିର୍ଦ୍ଧାରିତ ୨୦ ଓଭରରେ ୧୪୭ ରନ କରି ଅଲଆଉଟ ହୋଇଯାଇଥିଲା । ଦଳର ନାମୀ ବ୍ୟାଟ୍ସମ୍ୟାନ ବାବର ଆଜମ, ଫକର ଜମାନ ବଡ଼ ସ୍କୋର କରିବାକୁ ବିଫଳ ହୋଇଥିଲେ । ଉଭୟ ମାତ୍ର ୧୦ ରନ ଲେଖାଏଁ କରି ଆଉଟ ହୋଇଥିଲେ । ତେବେ ମହମ୍ମଦ ରିଜଓ୍ବାନ ୪୩ ରନ କରିଥିବାବେଳେ ଇଫତଖାର ୨୮ ରନ କରିଥିଲେ । ଭାରତ ପକ୍ଷରୁ ଭୁବନେଶ୍ବର କୁମାର ୪ଟି ଓ୍ବିକେଟ ନେଇଥିବାବେ​ଳେ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଓ୍ବିକେଟ ନେଇଥିଲେ । ଅର୍ସଦୀପ ସିଂ ୨ଟି ଓ୍ବିକେଟ ନେଇଥିଲେ ।

ପାକିସ୍ତାନ ଦ୍ଵାରା ନିର୍ଦ୍ଧାରିତ ୧୪୮ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୯.୪ ଓଭରରେ ୫ ଓ୍ଵିକେଟ୍‌ ହରାଇ ବହୁ କଷ୍ଟରେ ହାସଲ କରିଛି। ଭାରତକୁ ପ୍ରଥମ ଓଭରରୁ ଝଟକା ଲାଗିଥିଲା। ଆହତ ସମସ୍ୟାରୁ ମୁକୁଳିଥିବା ଲୋକେଶ ରାହୁଲ ପ୍ରଥମ ବଲ୍‌ରେ ଆଉଟ୍ ହୋଇଥିଲେ। ଏହା ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଦ୍ଵିତୀୟ ଓ୍ଵିକେଟ୍‌ରେ ୪୯ ରନ ଯୋଡିଥିଲେ। ଦଳୀୟ ସ୍କୋର ୫୦ ରନରେ ରୋହିତ ଶର୍ମା(୧୨) ଆଉଟ୍ ହେବା ଭାରତକୁ ବଡ ଝଟକା ଲାଗିଥିଲା। ଦୀର୍ଘ ସମୟ ଧରି ଫର୍ମରେ ନଥିବା ବିରାଟ କୋହଲି ଭଲ ବ୍ୟାଟିଂ କରିଥିଲେ। ତେବେ କୋହଲି ବଡ ସର୍ଟ ଖେଳିବାକୁ ଯାଇ ଆଉଟ୍ ହୋଇଥିଲେ। ସେ ୩୪ ବଲ୍‌ରୁ ୩ ଚୌକା ଏବଂ ୧ ଛକା ସହ ୩୫ ରନ କରିଥିଲେ। ଏହା ପରେ ସୂର୍ଯ୍ୟକୁମାର ଯାଦବ ଏବଂ ରବୀନ୍ଦ୍ର ଜାଡେଜା ଦଳର ସ୍କୋରକୁ ଆଗେଇ ନେଇଥିଲେ। ଦୁଇ ବ୍ୟାଟସମ୍ୟାନ ୩୬ ରନ ଯୋଡିଥିଲେ। ତେବେ ୮୯ ରନ ସ୍କୋରରେ ସୂର୍ଯ୍ୟକୁମାର ଯାଦବ(୧୮) ଆଉଟ୍ ହେବା ଭାରତକୁ ବହୁତ ବଡ ଝଟକା ଲାଗିଥିଲା। ତେବେ ଜାଡେଜା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଇନିଂସ ସମ୍ଭାଳିଥିଲେ। ପ୍ରତିଟି ରନ ପାଇଁ ଭାରତକୁ ସଂଘର୍ଷ କରିବାକୁ ପଡିଥିଲା। ପାକିସ୍ତାନ ବୋଲର ମାପଚୁପ ବୋଲିଂ କରି ଭାରତର ରନ ଗତି ଉପରେ ଅଙ୍କୁଶ ଲଗାଇଥିଲେ। ପ୍ରତିକୂଳ ସ୍ଥିତିରେ ଜାଡେଜା ଏବଂ ପାଣ୍ଡ୍ୟା ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଖେଳି ପଞ୍ଚମ ଓ୍ଵିକେଟରେ ୫୨ ରନଯୋଡି ଭାରତକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲେ। ଜାଡେଜା ଦମଦାର ବ୍ୟାଟିଂ କରି ୩୫ ରନ କରିଥିଲେ। ବୋଲିଂରେ ୩ ଓ୍ଵିକେଟ୍ ନେଇଥିବା ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୭ ବଲ୍‌ରୁ ୪ ଚୌକା ଏବଂ ୧ ଛକା ସହ ୩୩ ରନ କରି ଦଳକୁ ସ୍ମରଣୀୟ ବିଜୟ ଦେଇଛନ୍ତି। ଭାରତ ୧୯.୪ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ପାଣ୍ଡ୍ୟା ବିଜୟ ସୂଚକ ଛକା ମାରି ଦଳକୁ ବିଜୟୀ କରାଇଛନ୍ତି। ପାକିସ୍ତାନ ପକ୍ଷରୁ ନସିମ ସାହ ୨ଟି ଓ ମହମ୍ମଦ ନୱାଜ ୩ଟି ୱିକେଟ ନେଇଥିଲେ।

Exit mobile version