Site icon ଆଜିକାଲି

ଏସିଆ କପ୍‌ରେ ଆଜି ଭାରତ-ନେପାଳ ଲଢ଼େଇ

କାଣ୍ଡି : ଆଜି ଭାରତ-ନେପାଳ ଲଢ଼େଇ । କାଣ୍ଡିର ପାଲେକାଲି ଇଣ୍ଟରନେସନାଲ କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ଖୋଳାଯିବ। ଏହି ମ୍ୟାଚ୍ ଯିଏ ଜିତିବ ସୁପର-୪କୁ ଯିବ । ଭାରତ ହାତର ସବୁ ସୁଯୋଗ ରହିଛି । ନେପାଳ ପାଇଁ ଶକ୍ତିଶାଳୀ ଟିମ୍ ଇଣ୍ଡିଆକୁ ହରାଇବା ଏତେ ସହଜ ନୁହେଁ । ତେଣୁ ରୋହିତ ବାହିନୀର ପଲ୍ଲା ଭାରି ରହିଛି ।

ଗତ ଶନିବାର ଭାରତ-ପାକିସ୍ତାନ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା । ଉଭୟ ଦଳ ଗୋଟିଏ ଲେଖାଏ ପଏଣ୍ଟ ଭାଗ କରିଛନ୍ତି । ଫଳରେ ପାକିସ୍ତାନ ଦଳ ୩ ପଏଣ୍ଟ ସହ ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଆଜି ଭାରତ ଜିତିଲେ ସିଧାସଖଳ ୩ ପେଣ୍ଟ ସହ ସୁପର-୪କୁ ଯିବ । ସେହିପରି ବର୍ଷାରେ ମ୍ୟାଚ୍ ଧୋଇଗଲେ ବି ଭାରତୀୟ ଫ୍ୟାନ ନିରାଶ ହେବେ ନାହିଁ । ପଏଣ୍ଟ ଭାଗ ହେଲେ ମୋଟ୍ ୨ ପଏଣ୍ଟ ସହ ସୁପର-୪ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିବ ଟିମ୍ ଇଣ୍ଡିଆ।

ସେହିପରି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍‌କୁ ଲାଗିଛି ଝଟ୍‌କା । ଦୀର୍ଘ ୧୩ ମାସ ପରେ ଟିମ୍‌କୁ ଫେରିଥିବା ବୁମରା ବ୍ୟକ୍ତିଗତ କାରଣ ଲାଗି ସ୍ୱଦେଶ ଫେରିଛନ୍ତି । ନେପାଳ ବିପକ୍ଷରେ ହେବାକୁ ଥିବା ମ୍ୟାଚ୍‌ରେ ବି ସେ ଅନୁପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଦୀର୍ଘ ଦିନ ପରେ ଟିମ୍‌କୁ ଫେରିଛନ୍ତି କେଏଲ୍‌ ରାହୁଲ । ନେପାଳ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ରାହୁଲଙ୍କ ଫିଟ୍‌ନେସ୍‌ ଟେଷ୍ଟ କରାଯିବ । ଯଦି ରାହୁଲ୍‌ ଏଥିରେ ପାସ୍‌ ହୁଅନ୍ତି, ତେବେ ସେ ଟିମ୍‌ରେ ଖେଳିପାରିବେ ବୋଲି ସୂଚନା ମିଳିଛି ।

ଭାରତ ସମ୍ଭାବ୍ୟ ଦଳ : ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍‌, ବିରାଟ କୋହଲି, ଶ୍ରେୟାସ ଆୟର , ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଶର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ମହମ୍ମଦ ସାମି ।

ନେପାଳ ସମ୍ଭାବ୍ୟ ଦଳ : ରୋହିତ ପାଡେଲ (ଅଧିନାୟକ), କୁଶାଲ ଭୂର୍ଟେଲ, ଅସିଫ୍‌ ସୈଖ, ଆରିଫ ସୈଖ, ସୋମପାଲ କାମ, ଦିପେନ୍ଦ୍ର ସିଂ, ଗୁଲସନ ଝା, କୁଶଲ ମଲ୍ଲ, କରଣ କେସି, ସନ୍ଦୀପ ଲାମିଛାନେ, ଲଳିତ ବାଜବଂଶୀ ।

Exit mobile version