Site icon ଆଜିକାଲି

ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟି-୨୦ ଆଜି

ମୁମ୍ବାଇ : ଆଜି ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ଦ୍ୱିତୀୟ ଟି-୨୦ ମୁକାବିଲା । ସୁପରସଣ୍ଡେରେ ବେ ଓଭାଲ ମାଉଣ୍ଟ୍ ମୌଙ୍ଗନୁଇ ପଡିଆରେ ଖେଳିଯିବ ଏହି ମ୍ୟାଚ । ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହେବା ପରେ ଉଭୟ ଦଳର ନଜର ଏବେ ସିରିଜ ଉପରେ । ଉଭୟ ଦଳ ପାଇଁ ବିଜୟ ଏକମାତ୍ର ଲକ୍ଷ୍ୟ । ଆଗାମୀ ୨୦୨୪ ଟି-୨୦ ବିଶ୍ୱକପ୍‌ ଲାଗି ଏବେଠୁ ପ୍ରସ୍ତୁତି ଆରମ୍ଭ କରିଥିବା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସ୍ପଷ୍ଟ କରିଛନ୍ତି । ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଏହି ଫର୍ମାଟରେ ସେମାନଙ୍କର ନୂତନ ଯାତ୍ରା ଆରମ୍ଭ କରିବାର ଆଉ ଏକ ସୁଯୋଗ ପାଇବ । ନ୍ୟୁଜିଲାଣ୍ଡ ଘରୋଇ ପରିବେଶର ଫାଇଦା ଉଠାଇବାକୁ ଲକ୍ଷ୍ୟ ରଖିଛି ।

ବେ ଓଭାଲ ଗ୍ରାଉଣ୍ଡ୍‌ ବ୍ୟାଟରଙ୍କୁ ସହାୟତା କରିବା ନିଶ୍ଚିତ । ଏଠାରେ ପ୍ରଥମ ଇନିଂସର ହାରା ହାରି ସ୍କୋର ୧୯୦ ରହିଛି । ତେଣୁ ଆଜି ବିଶାଳ ସ୍କୋର ଦେଖିବାକୁ ମିଳିବ । ଏଠାରେ ଖେଳାଯାଇଥିବା ଶେଷ ୭ଟି ଟି-୨୦ ମୁକାବିଲାର ପ୍ରଥମ ଇନିଂସରେ ୧୯୯ରୁ ଉର୍ଦ୍ଧ୍ୱ ସ୍କୋର ହୋଇଥିଲା ।ଘରୋଇ ଗ୍ରାଉଣ୍ଡ୍‌ରେ ଖେଳୁଥିବାରୁ ନ୍ୟୁଜିଲାଣ୍ଡ ପଲା ଭାରି ରହିବା ସ୍ୱାଭାବିକ । ଭାରତ ତୁଳନାରେ ଘରୋଇ ଦଳ ମଧ୍ୟ ଅଧିକ ସନ୍ତୁଳିତ। ଅଧିକାଂଶ ଖେଳାଳି ବିଶ୍ୱକପ୍‌ ଖେଳି ଫେରିଛନ୍ତି । କେନ ୱିଲିୟମସନ ଫର୍ମକୁ ଫେରିବାକୁ ସଂଘର୍ଷ କରୁଥିଲେ ହେଁ ଦୁଇ ଓପନର ଡେଭନ କନୱେ ଓ ଫିନ ଆଲେନଙ୍କ ଉପରେ ନଜର ରହିବ । ଏହି ଯୋଡି ମ୍ୟାଚ୍‌ ଫଳାଫଳ ବଦଳାଇ ଦେବାର କ୍ଷମତା ରଖିଛନ୍ତି ।

ଭାରତୀୟ ଦଳରେ କୌଣସି ସିନିୟର ଖେଳାଳି ନାହାନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଯୁବ ଦଳ ନିର୍ଭୟରେ ଖେଳିବାକୁ ଗୁରୁତ୍ୱ ଦେଉଛି । ପ୍ରତ୍ୟେକ ସିନିୟର ଖେଳାଳିଙ୍କ ବିକଳ୍ପ ଏହି ଯୁବ ଦଳରେ ରହିଛନ୍ତି । ସମସ୍ତେ ପୂର୍ବରୁ ନିଜ ନିଜ ଦକ୍ଷତା ପ୍ରମାଣିତ କରିସାରିଛନ୍ତି । ରୋହିତ ଓ ରାହୁଲଙ୍କ ସ୍ଥାନରେ ଇଶାନ କିଷନ ଓ ଶୁଭମନ ଗିଲ୍‌ ଓପନ୍‌ କରିବାକୁ ପ୍ରସ୍ତୁତ । କୋହଲିଙ୍କ ୩ନଂ ସ୍ଥାନ ପାଇଁ ଶ୍ରେୟାସ ଆୟର, ସଞ୍ଜୁ ସାମସନ ଓ ଦୀପକ ହୁଡ଼ାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ବିସ୍ଫୋରକ ବ୍ୟାଟିଂକୁ ନେଇ ଗତ କିଛି ବର୍ଷ ହେଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ରିଷଭ ପନ୍ତ ଏହି ସିରିଜର ସମସ୍ତ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ କ୍ରିକେଟ୍‌ ପ୍ରେମୀଙ୍କ ଉତ୍ସାହ ବଢି ଯାଇଛି । ମାତ୍ର ୩୦ ରନ୍‌ କଲେ ସେ ୧୧ତମ ଭାରତୀୟ ଭାବେ ଟି-୨୦ ଫର୍ମାଟ୍‌ରେ ୧୦୦୦ ରନ୍‌ ପୂରଣ କରିବେ । ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ନଜର ରହିବା ସ୍ୱାଭାବିକ । ଗତ ବିଶ୍ୱକପ୍‌ରେ ତାଙ୍କ ପ୍ରଦର୍ଶନ ସ୍ମରଣୀୟ ରହିଥିଲା । ସେ ଚଳିତ ବର୍ଷ କେବଳ ଟି-ଟ୍ୱେଣ୍ଟିରେ ସର୍ବାଧିକ ୬୦ଟି ଛକା ମାରି ସାରିଛନ୍ତି । ଅକ୍ଷର ପଟେଲଙ୍କ ସ୍ଥାନରେ ୱାସିଂଟନ ସୁନ୍ଦର ସ୍ପିନ ବୋଲିଂ ଅଲ୍‌ରାଉଣ୍ଡର ଭାବେ ଖେଳିବେ । ନୂଆ ବଲ୍‌ରେ ବୋଲିଂ କରିବାର କୌଶଳ ସୁନ୍ଦରଙ୍କ ନିକଟରେ ରହିଛି ।

ସୂଚନା ଯେ, ମେନ୍ ଇନ୍ ବ୍ଲୁ ଟି-୨୦ ବିଶ୍ୱକପ୍ ୨୦୨୨ ଜିତିବାରେ ବିଫଳ ହେବା ପରେ ସେମି ଫାଇନାଲରେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବା ପରେ ସେମାନେ ଟି-୨୦ ସିରିଜ୍ ପାଇଁ ନ୍ୟୁଜିଲ୍ୟାଣ୍ଡ ଯାତ୍ରା କରିଥିଲେ ଏବଂ ଏହା ପରେ ଏକ ଦିନିକିଆ ସିରିଜ୍ କରିଥିଲେ। ହାର୍ଦ୍ଦିକ ଟି-୨୦ରେ ଦଳର ନେତୃତ୍ୱ ନେଉଛନ୍ତି ଏବଂ ଶିଖର ଧାୱନ ଦିନିକିଆ ପୋଷାକର ନେତୃତ୍ୱ ନେବେ। ଏହି ଟି-୨୦ରେ ଭାରତୀୟମାନଙ୍କ ପାଇଁ ଲକ୍ଷ୍ୟ ହେଉଛି ଆସନ୍ତା ଟି-୨୦ ବିଶ୍ୱକପ୍ ପୂର୍ବରୁ ଏକ ନୂତନ ରୋଡମ୍ୟାପ୍ ତିଆରି କରିବା, ଯାହା ମାତ୍ର ୧୮ ମାସ ବାକି ଅଛି ।

Exit mobile version