Site icon ଆଜିକାଲି

ଆଜି ବିଶ୍ଵକପରେ ଭାରତ-ନ୍ୟୁଜିଲାଣ୍ଡ ଲଢ଼େଇ

ଧର୍ମଶାଳା: ଆଇସିସି ଦିନିକିଆ ବିଶ୍ୱକପରେ ରବିବାର ଦୁଇ ଶୀର୍ଷ ଦଳ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହେବେ । ଉଭୟ ଦଳ ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛନ୍ତି।

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଏପର୍ଯ୍ୟନ୍ତ ୪ ରୁ ୪ଟି ଯାକ ମ୍ୟାଚ୍ ଜିତିଛନ୍ତି । ଉଭୟ ଦଳର ୮ ପଏଣ୍ଟ ଲେଖାଏଁ ରହିଛି। ତେବେ ଭଲ ନେଟ୍ ରନ୍ ରେଟ୍ ଯୋଗୁଁ ନ୍ୟୁଜିଲ୍ୟାଣ୍ଡ ଦଳ ଶୀର୍ଷରେ ଥିବାବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଦୁଇ ଦଳ ମଧ୍ୟରେ ମ୍ୟାଚର ବିଜେତା କ୍ରମାଗତ ପଞ୍ଚମ ବିଜୟ ସହ ସେମିଫାଇନାଲର ନିକଟତର ହେବ।

ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ୬ ୱିକେଟ୍ ବିଜୟ ସହ ଅଭିଯାନ ଆରମ୍ଭ କରିଥିଲା। ଏହା ପରେ ରୋହିତ ଶର୍ମାଙ୍କ ଦଳ ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶ ବିପକ୍ଷରେ ଯଥାକ୍ରମେ ୮, ୭ ଓ ୭ ୱିକେଟରେ ସହଜ ବିଜୟ ହାସଲ କରିଥିଲା । ଦଳ ଏହି ୪ଟି ଯାକ ମ୍ୟାଚରେ ଟାର୍ଗେଟକୁ ପିଛାକରି ଜିତିଛି । ତେବେ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଭାରତର ନିମ୍ନ ମଧ୍ୟକ୍ରମ ଏବଂ ଲୋୟର ଅର୍ଡର ବ୍ୟାଟରଙ୍କ ପରୀକ୍ଷା ହୋଇନାହିଁ |

ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ନିଜ ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ଇଂଲଣ୍ଡକୁ ୯ ୱିକେଟରେ ହରାଇବା ପରେ ନେଦରଲ୍ୟାଣ୍ଡ୍ସକୁ ୯୯ ରନରେ ହରାଇଥିଲା । ଦଳ ବାଂଲାଦେଶ ଏବଂ ଆଫଗାନିସ୍ତାନ ବିପକ୍ଷ ପରବର୍ତ୍ତୀ ଦୁଇଟି ମ୍ୟାଚରେ ଯଥାକ୍ରମେ ୮ ୱିକେଟ୍ ଏବଂ ୧୪୯ ରନରେ ଏକତରଫା ବିଜୟ ହାସଲ କରିଥିଲା ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତର ସବୁଠାରୁ ବଡ଼ ଚିନ୍ତା ହେଉଛି ଆହତ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଦଳର ସନ୍ତୁଳନ ବଜାୟ ରଖିବା । ବାଂଲାଦେଶ ବିପକ୍ଷ ଭାରତର ଗତ ମ୍ୟାଚରେ ଫିଲ୍ଡିଂ କଲାବେଳେ ପାଣ୍ଡ୍ୟାଙ୍କ ଗୋଇଠି ମୋଡ଼ି ହୋଇଯାଇଥିଲା । ସେହି ମ୍ୟାଚରେ ସେ ମାତ୍ର ତିନୋଟି ବଲ୍ ବୋଲିଂ କରିବା ପରେ ପଡ଼ିଆ ଛାଡ଼ିଥିଲେ । ସେ ଦଳ ସହ ଧର୍ମଶାଳା ଯାଇ ନାହାଁନ୍ତି ।

ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଭାରତ ବୋଲିଂ କିମ୍ବା ବ୍ୟାଟିଂ ବିଭାଗରେ ପରିବର୍ତ୍ତନ କରିବା ନିଶ୍ଚିତ ହୋଇଛି । ତେବେ ଦଳ ଆଗରେ ପ୍ରଶ୍ନ ହେଉଛି ପାଣ୍ଡ୍ୟାଙ୍କ ସ୍ଥାନରେ ଇଶାନ କିଶନ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରି ବ୍ୟାଟିଂ ବିଭାଗ ସୁଦୃଢ କରାଯିବ ନା ରବିଚନ୍ଦ୍ରନ ଅଶ୍ୱିନ ଏବଂ ମହମ୍ମଦ ଶାମିଙ୍କ ମଧ୍ୟରୁ ଜଣଙ୍କୁ ଖେଳାଇ ବୋଲିଂ ଆକ୍ରମଣରେ ବିବିଧତା ଆଣିବା ଠିକ୍ ହେବ?

ଯଦି ଭାରତ ଇଶାନ କିମ୍ବା ସୂର୍ଯ୍ୟକୁମାରଙ୍କୁ ଖେଳାଏ, ତା’ହେଲେ ଦଳ ପାଖରେ କେବଳ ପାଞ୍ଚଟି ବୋଲିଂ ବିକଳ୍ପ ରହିବ । ଏଭଳି ପରିସ୍ଥିତିରେ ଶାର୍ଦ୍ଦୁଲ ଠାକୁରଙ୍କୁ ମଧ୍ୟ ୧୦ ଓଭରର କୋଟା ପୂରଣ କରିବାକୁ ପଡ଼ିବ।

ଆଉ ଯଦି ଭାରତ ଅଶ୍ୱିନ କିମ୍ବା ଶାମିଙ୍କୁ ଖେଳାଇ ବୋଲିଂ ବିଭାଗ ମଜବୁତ କରିବାକୁ ନିଷ୍ପତ୍ତି ନିଏ, ତେବେ ବ୍ୟାଟିଂ ଲାଇନ୍ ଅପ୍ ଦୁର୍ବଳ ହେଇଯିବ ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଷଷ୍ଠ ନମ୍ବରରେ ବ୍ୟାଟିଂ କରିବାକୁ ପଡ଼ିବ।

ପାଣ୍ଡ୍ୟାଙ୍କ ସ୍ଥାନ ଚୟନ କରିବାବେଳେ ଭାରତକୁ ମଧ୍ୟ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଗ୍ରାଉଣ୍ଡରେ କାକରକୁ ଦୃଷ୍ଟିରେ ରଖିବାକୁ ପଡ଼ିବ।

ଦୁଇ ଦେଶ ମଧ୍ୟରେ ବିଶ୍ବକପ ରେକର୍ଡ ଦେଖିବାକୁ ଗଲେ ଭାରତ ଉପରେ ନ୍ୟୁଜିଲ୍ୟାଣ୍ଡର ପଲା ଭାରି ରହିଛି । ଏଯାବତ୍ ବିଶ୍ବକପରେ ଉଭୟ ଦଳ ୮ ଥର ମୁହାଁମୁହିଁ ହୋଇଛନ୍ତି । ଏଥିମଧ୍ୟରୁ ନ୍ୟୁଜିଲ୍ୟାଣ୍ଡ ୫ଟି ଜିତିଥିବା ବେଳେ ଭାରତ ୩ଟି ମ୍ୟାଚ୍ ଜିତିଛି । ଏପରିକି ଗତ ୨୦୧୯ ବିଶ୍ବକପ୍ ସେମିଫାଇନାଲରେ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ବାଜି ମାରି ନେଇଥିଲା । ଭାରତ ଏବେ ସେହି ଯନ୍ତ୍ରଣା ଦାୟକ ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ ।

ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, ଲୋକେଶ ରାହୁଲ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ମହମ୍ମଦ ଶାମି, ରବିଚନ୍ଦ୍ରନ ଅଶ୍ୱିନ, ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ।

ନ୍ୟୁଜିଲ୍ୟାଣ୍ଡ: ଟମ୍ ଲାଥାମ୍ (ଅଧିନାୟକ), ଡେଭନ୍ କନୱେ, ୱିଲ୍ ୟଙ୍ଗ, ମାର୍କ ଚାପମାନ, ଡାରିଲ ମିଚେଲ, ଜେମ୍ସ ନିଶାମ, ଗ୍ଲେନ ଫିଲିପ୍ସ, ରଚିନ ରବିନ୍ଦ୍ର, ମିଚେଲ ସାଣ୍ଟନର୍, ଇଶ୍ ସୋଡି, ଟିମ୍ ସାଉଦି, ଟ୍ରେଣ୍ଟ ବୋଲ୍ଟ, ଲକି ଫର୍ଗୁସନ୍, ମ୍ୟାଟ ହେନେରୀ।

FacebookTwitterLinkedinWhatsapp
Exit mobile version