Site icon ଆଜିକାଲି

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଶୃଙ୍ଖଳା

ୱେଲିଂଟନ୍‌ : ଆଜିଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ଦ୍ବିପାକ୍ଷିକ ଶୃଙ୍ଖଳା । ଏହି ଫର୍ମାଟରେ ୩ଟି ଟି-୨୦ ଓ ୩ ଦିନିକିଆ ମ୍ୟାଚ୍‌ ଖେଳାଯିବ । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ୱେଲିଙ୍ଗଟନ୍‌ର ସ୍କାୟ ଷ୍ଟାଡ଼ିୟମ୍‌ରେ ପ୍ରଥମ ଟି-୨୦ ଅନୁଷ୍ଠିତ ହେବ । ଅଷ୍ଟ୍ରେଲିଆ ଆୟୋଜିତ ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌ରୁ ବିଦାୟ ନେଇଥିବା ଦୁଇ ଦେଶ ପରସ୍ପରକୁ ପରଖିବେ। ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡ୍‌କୁ ପାକିସ୍ତାନ ଏବଂ ଭାରତକୁ ଇଂଲଣ୍ଡ ଅତି ସହଜରେ ହରାଇ ଦେଇଥିଲେ। ସମାନ ଢଙ୍ଗରେ ଦୁଇ ଦେଶ ପୁଣି ଥରେ ବିଶ୍ବକପ୍‌ ବିଫଳତା ଅର୍ଜନ କରିଥିଲେ। ଫଳରେ ଅଷ୍ଟ୍ରେଲିଆରେ କରିଥିବା ତ୍ରୁଟିକୁ ଏହି ଦ୍ବିପାକ୍ଷିକ ଶୃଙ୍ଖଳାରେ ସୁଧାରିବାକୁ ଚେଷ୍ଟା କରିବେ ଉଭୟ ଦଳ।ନୂଆ ଶୃଙ୍ଖଳା ଓ ନୂଆ ଦଳକୁ ନେଇ ଭାରତ ମଧ୍ୟ ୨୦୨୪ ଟି-୨୦ ବିଶ୍ବକପ୍‌ ପାଇଁ ଏବେଠାରୁ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିବ ବୋଲି ଆଭାସ ଦେଇଛନ୍ତି କାମଚଳା ପ୍ରଶିକ୍ଷକ ଭିଭିଏସ୍ ଲକ୍ଷ୍ମଣ।

ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ବ ସମ୍ଭାଳିବେ। ସେହିପରି ଏହି ଶୃଙ୍ଖଳାରୁ ବିରାଟ କୋହଲି, କେଏଲ୍ ରାହୁଲ, ଦୀନେଶ କାର୍ତ୍ତିକ, ମହମ୍ମଦ ସାମି ଓ ଆର୍ ଅଶ୍ବିନ ପ୍ରମୁଖ ବାଦ ପଡିଛନ୍ତି । ସେମାନଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଦଳ କିନ୍ତୁ ନିଜ ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖିବ ବୋଲି କହିଛନ୍ତି ଲକ୍ଷ୍ମଣ। ସମାନ ସମୟରେ ଭାରତ ମଧ୍ୟ କିଛି‌ ‌ଖେଳାଳିଙ୍କୁ ଆସନ୍ତା ୨୦୨୩ ଦିନିକିଆ ବିଶ୍ବକପ୍‌କୁ ନଜରରେ ରଖି ଖେଳାଇବ। ସେହିପରି କେନ୍ ୱିଲିୟମ୍‌ସନଙ୍କ ଦଳ ଘରୋଇ ପରିବେଶରେ ନିଶ୍ଚିତ ଦାବିଦାର ରହିବ। ପ୍ରମୁଖ ଖେଳାଳିଙ୍କ ବିନା ଭାରତୀୟ ଦଳ କେତେ ଚାଲେଞ୍ଜ୍ ଦେଇପାରୁଛି କେବଳ ଦେଖିବାକୁ ବାକି ରହିଲା।

ଶେଷ ଥର ପାଇଁ ନ୍ୟୁଜିଲାଣ୍ଡରେ ଗତ ୨୦୨୦ରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ନ୍ୟୁଜିଲାଣ୍ଡ । ଭାରତ ଏହାକୁ ୫-୦ରେ ଜିତିଥିଲା। ଫଳାଫଳ କିନ୍ତୁ ପ୍ରତିଦ୍ବନ୍ଦ୍ବିତା ସ୍ତରକୁ ପ୍ରତିଫଳିତ କରିନଥିଲା। କାରଣ ୨ଟି ମ୍ୟାଚ୍‌ ଟାଇ ରହିବା ପରେ ସୁପର୍‌ ଓଭରରେ ଫଏସଲା ହୋଇଥିଲା। ଅହରହ ପବନ ବହୁଥିବା ୱେଲିଂଟନ୍‌ରେ ଭାରତୀୟ ସୁଇଙ୍ଗ ବୋଲର କେତେ ପ୍ରଭାବ ପକାଇପାରିବେ ଦେଖିବାର ଅଛି। ଫିନ୍ ଆଲେନ୍‌ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବକପ୍‌ ପ୍ରଥମ ମ୍ୟାଚ୍‌ରେ ବଡ଼ ପାଳି ଖେଳିବା ପରେ ଏହାକୁ ଆଉ ପରବର୍ତୀ ମ୍ୟାଚ୍‌ଗୁଡ଼ିକରେ ବଜାୟ ରଖିପାରିନଥିଲେ। ଭୁବନେଶ୍ବର କୁମାର ଓ ଅର୍ଶଦୀପ ସିଂହଙ୍କୁ କିଭଳି ସେ ମୁକାବିଲା କରିବେ ତାହା ନିଶ୍ଚିତ ନିର୍ଣ୍ଣାୟକ ହେବ। ଯୁବ ଦ୍ରୁତ ବୋଲର ଉମ୍ରାନ ମଲ୍ଲିକ ତାଙ୍କ ପ୍ରଥମ ୩ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ୧୨.୪୪ ଇକୋନୋମିରେ ବୋଲିଂ କରିଛନ୍ତି। ତାଙ୍କୁ ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ହର୍ଷଲ୍ ପଟେଲ୍‌, ମହମ୍ମଦ ସିରାଜଙ୍କ ସହ ତାଙ୍କୁ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିବ। ସୁଯୋଗ ମିଳିଲେ ୱେଲିଂଟନ୍‌ରେ ଛୋଟ ପଡ଼ିଆରେ ତାଙ୍କୁ ନିଶ୍ଚିତ ନିୟନ୍ତ୍ରଣରେ ବୋଲିଂ କରିବାକୁ ପଡ଼ିବ। ଭାରତର ପାଳି ଶୁବମନ ଗିଲ୍‌ ଓ ଈଶାନ କିଶନ ଆରମ୍ଭ କରିବେ। ଋଷଭ ପନ୍ତ ମଧ୍ୟ ନିଶ୍ଚିତ ରହିଛନ୍ତି। ୩ ନମ୍ବର ସ୍ଥାନରେ କିନ୍ତୁ ଶ୍ରେୟସ ଆୟର, ସଂଜୁ ସାମସନ୍‌, ଦୀପକ ହୁଡ଼ାଙ୍କ ମଧ୍ୟରୁ କିଏ ଖେଳିବ ଦଳୀୟ ମ୍ୟାନେଜମେଣ୍ଟ୍‌ ସ୍ଥିର କରିପାରିନାହାନ୍ତି।

ଭାରତ ସମ୍ଭାବ୍ୟ ଏକାଦଶ : ଈଶାନ କିଶାନ, ଶୁବମନ ଗିଲ୍‌, ‌ଶ୍ରେୟସ ଆୟର/ସଞ୍ଜୁ ସାମସନ୍‌/ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ୍ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ୱାସିଂଟନ୍ ସୁନ୍ଦର, ହର୍ଷଲ ପଟେଲ୍‌/ଉମ୍ରାନ୍ ମଲ୍ଲିକ, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ।

ନ୍ୟୁଜିଲାଣ୍ଡ୍‌ ସମ୍ଭାବ୍ୟ ଏକାଦଶ : ଫିନ୍ ଆଲେନ୍‌ (ଅଧିନାୟକ), ଡେଭନ୍ କନୱେ (ୱିକେଟରକ୍ଷକ), କେନ୍‌ ୱିଲିୟମସନ୍‌ (ଅଧିନାୟକ), ଗ୍ଲେନ୍ ଫିଲିପ୍ସ, ଡାରିଲ୍ ମିଚେଲ୍‌,‌ ଜେମ୍ସ ନିସାମ, ମିଚେଲ୍ ସାଣ୍ଟନର୍‌, ଟିମ୍ ସାଉଦି, ଈଶ ସୋଢ଼ି, ଆଦାମ ମିଲନେ, ଲୋକି ଫର୍ଗୁସନ୍‌।

FacebookTwitterLinkedinWhatsapp
Exit mobile version