Site icon ଆଜିକାଲି

ଆଜି ପୁଣି ଭାରତ-ପାକିସ୍ତାନ ମୁହାଁମୁହିଁ

ଦୁବାଇ : ଏସିଆ କପ୍ ସୁପର-୪ ପର୍ଯ୍ୟାୟରେ ଆଜି ପୁଣି ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ଲିଗ୍ ପର୍ଯ୍ୟାୟରେ ପାକିସ୍ତାନକୁ ହରାଇଥିଲା ଭାରତ । ଏଥର ମଧ୍ୟ ତାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଉପରେ ପ୍ରାଧାନ୍ୟ ଜାହିର କରିବା ଲକ୍ଷ୍ୟରେ ରହିବ ଟିମ୍ ଇଣ୍ଡିଆ । ତେବେ ଟପ୍ ଅର୍ଡର ବ୍ୟାଟିଂ ଓ ଡେଥ ଓଭର ବୋଲିଂ ଭାରତ ପାଇଁ ଚିନ୍ତାର ବିଷୟ ହୋଇଛି । ପାକିସ୍ତାନକୁ ହରାଇବାକୁ ହେଲେ ଭାରତକୁ ଏହି ଦୁଇ ବିଭାଗରେ ଉନ୍ନତି ଆଣିବାକୁ ପଡ଼ିବ ।

ପାୱାର ପ୍ଲେ’ରେ ଭାରତର ଟପ୍ ଅର୍ଡର ଆଶାନୁରୂପ ଆକ୍ରମଣାତ୍ମକ ବ୍ୟାଟିଂ କରିବାରେ ବିଫଳ ହୋଇଛି । ସେହିପରି ଡେଥ୍ ଓଭରରେ ଅବେଶ ଖାନଙ୍କ ଅନଭିଜ୍ଞତା ଭାରତର ଚିନ୍ତା ବଢାଇଛି । ଭାରତ ଲିଗ୍ ପର୍ଯ୍ୟାୟରେ ପାକିସ୍ତାନକୁ ହରାଇଥାଇପାରେ, କିନ୍ତୁ ହଂକଂ ବିପକ୍ଷରେ ୧୫୫ ରନର ବଡ଼ ବିଜୟ ପରେ ବାବର ଆଜମଙ୍କ ଦଳର ମନୋବଳ ଦୃଢ ରହିଛି ଏବଂ ସୁପର-୪ ପର୍ଯ୍ୟାୟରେ ରୋହିତଙ୍କ ଟିମ୍ ଠାରୁ ପ୍ରତିଶୋଧ ନେବାକୁ ବ୍ୟଗ୍ର ଥିବ ନିଶ୍ଚିତ । ଏଭଳି ସ୍ଥଳେ ଭାରତକୁ ନିଜ ବୋଲିଂ ତ୍ରୁଟି ସୁଧାରିବାକୁ ପଡ଼ିବ । ଅଲରାଉଣ୍ଡର ଜାଡେଜାଙ୍କ ଅନୁପସ୍ଥିତି ଭାରତୀୟ ଦଳର ସମସ୍ୟାକୁ ଦ୍ୱିଗୁଣିତ କରିଛି । ଆଣ୍ଠୁରେ ଆଘାତ ଯୋଗୁଁ ଜାଡେଜା ଏସିଆ କପରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ସାମିଲ କରାଯାଇଥିଲେ ମଧ୍ୟ ଜାଡେଜାଙ୍କ ଅଭିଜ୍ଞତାକୁ ଭାରତ ମିସ୍ କରିବ ।

ପାକିସ୍ତାନ ବିପକ୍ଷ ଗତ ମ୍ୟାଚରେ ପନ୍ତ ଚୂଡାନ୍ତ ଏକାଦଶରୁ ବାଦ୍ ପଡ଼ିଥିବାରୁ ଜାଡେଜାଙ୍କୁ ବ୍ୟାଟିଂକ୍ରମରେ ଚତୁର୍ଥ ସ୍ଥାନରେ ପଠାଇଥିଲେ ମୁଖ୍ୟ କୋଚ୍ ଦ୍ରାବିଡ, ଯାହା ଦ୍ୱାରା ଲେଫ୍ଟ-ରାଇଟ୍ କମ୍ବିନେସନ୍ ବଜାୟ ରଖାଯାଇ ପାରିବ । ରୋହିତ-ଦ୍ରାବିଡ୍ ପାକିସ୍ତାନ ବିପକ୍ଷରେ ପୁଣି ଏହି ରଣନୀତିର ପୁନରାବୃତ୍ତି କରିବେ କି ନାହିଁ ଦେଖିବାକୁ ରହିଲା । ଯଦି ସେମାନେ ଏହି ରଣନୀତି ବଜାୟ ରଖନ୍ତି, ତେବେ ବ୍ୟାଟିଂକ୍ରମରେ ପନ୍ତଙ୍କୁ ଆଗୁଆ ପଠାଯାଇପାରେ । ଗତ ରବିବାର ପାକିସ୍ତାନ ବିପକ୍ଷ ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ହିରୋ ସାଜିଥିଲେ । ଉଭୟ ବୋଲିଂ ଓ ବ୍ୟାଟିଂରେ ମ୍ୟାଚ୍ ବିଜୟୀ ପ୍ରଦର୍ଶନ କରିଥିଲେ ଏହି ଅଲରାଉଣ୍ଡର । ଶେଷ ଓଭର ପର୍ଯ୍ୟନ୍ତ ଯାଇଥିବା ଉକ୍ତ ମ୍ୟାଚରେ ପାଣ୍ଡ୍ୟା ଭାରତକୁ ରୋମାଞ୍ଚକ ବିଜୟ ଦେଇଥିଲେ । ଏଥର ମଧ୍ୟ ପାକିସ୍ତାନ ବିପକ୍ଷରେ ତାଙ୍କ ଦଳ ସମାନ ଯୋଶ୍ ବଜାୟ ରଖିବାକୁ ରୋହିତ ଚାହିଁବେ ।

ପ୍ରତିଭାର ଅଭାବ ନଥିଲେ ମଧ୍ୟ ଭାରତୀୟ ଦଳର କିଛି ଦୁର୍ବଳତା ରହିଛି । ଏଥିମଧ୍ୟରୁ ପାୱାରପ୍ଲେ’ରେ ଟପ୍ ଅର୍ଡରର ଅତି ସତର୍କ ଆଭିମୁଖ୍ୟ ଅନ୍ୟତମ । ଗତ ମ୍ୟାଚରେ ଭାରତର ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ କ୍ୟାପଟେନ ରୋହିତ ଓ କୋହଲି ପାକିସ୍ତାନୀ ବୋଲିଂ ଆକ୍ରମଣ ଆଗରେ ଅସହଜ ମନେ ହେଉଥିଲେ । ପିଚ୍ ମନ୍ଥର ହୋଇଯିବା ପରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ସଂଘର୍ଷ ଆହୁରି ବଢିଥିଲା । ହଂକଂ ଭଳି ଦୁର୍ବଳ ଦଳ ବିପକ୍ଷରେ ମଧ୍ୟ ଭାରତର ଟପ୍ ଅର୍ଡର ପାୱାରପ୍ଲେ’ରେ ଆକ୍ରମଣାତ୍ମକ ବ୍ୟାଟିଂ କରିବାରେ ବିଫଳ ହୋଇଥିଲା । ସୂର୍ଯ୍ୟକୁମାର ଯାଦବଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ହଂକଂ ବିପକ୍ଷରେ ଭାରତ ଏକ ସାଧାରଣ ସ୍କୋରରେ ସୀମିତ ରହିବା ଲଜ୍ଜାରୁ ବର୍ତ୍ତିଥିଲା ।

Exit mobile version