ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ଭାରତୀୟ ଦଳ ଟି-୨୦ ଫାଇନାଲରେ ପହଞ୍ଚି ରୌପ୍ୟ ପଦକ ସୁନିଶ୍ଚିତ କରିଛି । ଟିମ୍ ଇଣ୍ଡିଆ ସେମିଫାଇନାଲରେ ପ୍ରତିପକ୍ଷ ବାଂଲାଦେଶକୁ ୯ ୱିକେଟରେ ପରାସ୍ତ କରିଛି । ବାଂଲାଦେଶର ୱିକେଟ ରକ୍ଷକ ଜାକର ଅଲୀ ସର୍ବାଧିକ ୨୪ ରନ୍ ସଂଗ୍ରହ କରିଥିଲେ । ଦଳର ୭ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଟପିପାରିନଥିଲେ । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୯୬ ରନ୍ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ସାଇ କିଶୋର ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ୱାଶିଂଟନ ସୁନ୍ଦର ୨ଟି ୱିକେଟ ନେଇଥିଲେ ।
ଜବାବରେ ଭାରତ ମାତ୍ର ୯.୨ ଓଭରରେ ଯଶସ୍ୱୀ ଜୈସୱାଲଙ୍କ ୱିକେଟ ହରାଇ ବିଜୟ ହାସଲ କରିନେଇଥିଲା । ଅଧିନାୟକ ଋତୁରାଜ ଗାଏକ୍ୱାଡ ୪୦ ରନ ଓ ତିଲକ ବର୍ମା ୫୫ ରନ୍ କରି ଅପରାଜିତ ରହିଥିଲେ । ବାଂଲାଦେଶର ରିପନ ମୋଣ୍ଡୋଲ ୧ଟି ୱିକେଟ ନେଇଥିଲେ । ଆଜିର ବିଜୟ ଫଳରେ ଭାରତ ଫାଇନାଲରେ ପହଞ୍ଚିଥିବା ବେଳେ ସ୍ୱର୍ଣ୍ଣ ପଦକ ଜିତିବା ଆଶା ଉଜ୍ଜୀବିତ କରିଛି ।