Site icon ଆଜିକାଲି

ଖଲିସ୍ତାନୀ ଆତଙ୍କବାଦୀର ହତ୍ୟା ନେଇ କାନାଡା ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗକୁ ଭାରତର ଖଣ୍ଡନ

ନୂଆଦିଲ୍ଲୀ: ହାର୍ଦ୍ଦିକ ସିଂ ନିଜ୍ଜର ନାମକ ଜଣେ ଖଲିସ୍ତାନୀ ଆତଙ୍କବାଦୀର ହତ୍ୟା ପଛରେ ଭାରତ ସରକାରଙ୍କ ସମ୍ପୃକ୍ତି ଥାଇପାରେ ବୋଲି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିଛି । ଟ୍ରୁଡୋଙ୍କ ଅଭିଯୋଗକୁ ଭରତ ଖଣ୍ଡନ କରିଛି । ଏହି ମାମଲାରେ କାନାଡା ଭାରତୀୟ କୂଟନୀତିଜ୍ଞ ପୱନ କୁମାର ରାୟଙ୍କୁ ବହିଷ୍କାର କରିଛି।

ଟ୍ରୁଡୋଙ୍କ ଅଭିଯୋଗକୁ ଖଣ୍ଡନ କରି ଭାରତର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି – କାନାଡାର ପ୍ରଧାନମନ୍ତ୍ରୀ ତାଙ୍କ ସଂସଦରେ ଦେଇଥିବା ବୟାନ ଏବଂ ତାଙ୍କ ବୈଦେଶିକ ମନ୍ତ୍ରୀଙ୍କ ବିବୃତ୍ତିକୁ ଆମେ ଖାରଜ କରୁଛୁ।”

“କାନାଡାରେ କୌଣସି ହିଂସା ଘଟଣାରେ ଭାରତ ସରକାରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଭିତ୍ତିହୀନ । କାନାଡାର ପ୍ରଧାନମନ୍ତ୍ରୀ ଆମ ପ୍ରଧାନମନ୍ତ୍ରୀଙ୍କ ନିକଟରେ ସମାନ ଅଭିଯୋଗ କରିଥିଲେ । ଏହାକୁ ସମ୍ପୂର୍ଣ୍ଣ ଖାରଜ କରାଯାଇଥିଲା।ଆଇନର ଶାସନ ପ୍ରତି ଦୃଢ଼ ପ୍ରତିବଦ୍ଧତା ଥିବା ଆମେ ଏକ ଗଣତାନ୍ତ୍ରିକ ଦେଶ। ”

ଏହିପରି ଭିତ୍ତିହୀନ ଅଭିଯୋଗ କରି କାନାଡା ନିଜ ମାଟିରେ ଆଶ୍ରୟ ଦେଇଥିବା ଖଲିସ୍ତାନୀ ଆତଙ୍କବାଦୀ ତଥା ଉଗ୍ରବାଦୀଙ୍କ ଠାରୁ ଧ୍ୟାନ ହଟାଇବାକୁ ଉଦ୍ୟମ କରୁଛି । ଏହି ଖଲିସ୍ତାନୀ ଆତଙ୍କବାଦୀମାନେ ଭାରତର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ପ୍ରତି ବିପଦ ସାଜିଛନ୍ତି । ଏହି ପ୍ରସଙ୍ଗରେ କାନାଡା ସରକାରଙ୍କ ନିଷ୍କ୍ରିୟତା ଦୀର୍ଘ ଦିନରୁ ଚିନ୍ତାର ବିଷୟ ପାଲଟିଛି। ଚଳିତ ବର୍ଷ ଜୁନ୍ ୧୮ରେ କାନାଡାର ବ୍ରିଟିଶ କଲମ୍ବିଆର ଏକ ଗୁରୁଦ୍ୱାର ବାହାରେ ନିଜ୍ଜରକୁ ଗୁଳି କରି ହତ୍ୟା କରାଯାଇଥିଲା।

Exit mobile version