Site icon ଆଜିକାଲି

ଭାରତୀୟ ହାଇ କମିଶନ କାର୍ଯ୍ୟାଳୟରୁ ତ୍ରିରଙ୍ଗା ହଟାଇଲେ ଖଲିସ୍ତାନ ସମର୍ଥକ, ବ୍ରିଟେନଠୁ ସ୍ପଷ୍ଟୀକରଣ ମାଗିଲା ଭାରତ

ନୂଆଦିଲ୍ଲୀ: ଲଣ୍ଡନରେ ଭାରତୀୟ ହାଇ କମିଶନ କାର୍ଯ୍ୟାଳୟରେ ଲାଗିଥିବା ତ୍ରିରଙ୍ଗାକୁ ଖାଲିସ୍ତାନ ସମର୍ଥକମାନେ ଓହ୍ଲାଇବ ସହ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି । ଏହି ଘଟଣା ନେଇ ଭାରତ ସରକାର ବ୍ରିଟେନ ଡେପୁଟି ହାଇକମିଶଙ୍କୁ ସମନ କରି ଦୃଢ ପ୍ରତିବାଦ ଜଣାଇଛନ୍ତି ।

ରିପୋର୍ଟ ଅନୁଯାୟୀ, ରବିବାର ରାତିରେ ଭାରତ ବ୍ରିଟିଶ କୂଟନୀତିଜ୍ଞଙ୍କୁ ଡକାଇ ଭାରତୀୟ ହାଇ କମିଶନରେ ଢ଼ିଲା ସୁରକ୍ଷା ବ୍ୟବସ୍ଥା ନେଇ ସ୍ପଷ୍ଟୀକରଣ ମାଗିଥିଲା । ସୋସିଆଲ ମିଡିଆରେ ଭାଇରାଲ କିଛି ଭିଡିଓରେ ଖଲିସ୍ତାନ ସମର୍ଥକମାନେ ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନ ବିଲ୍ଡିଂରେ ଚଢ଼ି ତ୍ରିରଙ୍ଗାକୁ ଓହ୍ଲାଇ ଦେଉଥିବା ଦେଖିବାକୁ ମିଳୁଛି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଭାରତ ସରକାର ବ୍ରିଟେନରେ ଭାରତୀୟ କୂଟନୈତିକ ପରିସର ତଥା ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ସୁରକ୍ଷା ପ୍ରତି ବ୍ରିଟେନ ସରକାରଙ୍କ ଉଦାସୀନତା ଦେଖିବାକୁ ପାଇଛନ୍ତି । ଏହା ଗ୍ରହଣୀୟ ନୁହେଁ।

ବ୍ରିଟେନର ହାଇ କମିଶନର୍ ଆଲେକ୍ସ ଏଲିସ୍ ବର୍ତ୍ତମାନ ଦିଲ୍ଲୀରେ ନଥିବାରୁ ବ୍ରିଟେନର ଡେପୁଟି ହାଇ କମିଶନର ଖ୍ରୀଷ୍ଟିନା ସ୍କଟଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସମନ କରି ଦୃଢ ପ୍ରତିବାଦ ଜଣାଇଥିଲା । ଏହାଛଡ଼ା ଭାରତୀୟ ହାଇ କମିଶନ ପରିସରରେ ସୁରକ୍ଷା ବ୍ୟବସ୍ଥାର ଅଭାବ ନେଇ ବ୍ରିଟେନରୁ ସ୍ପଷ୍ଟୀକରଣ ଲୋଡ଼ିଥିଲା ଭାରତ।

ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହି ମାମଲାରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରି ଗିରଫ କରିବାକୁ ଦାବି କରିଛି।ଅନ୍ୟପକ୍ଷରେ ବ୍ରିଟିଶ ହାଇ କମିଶନର ଏଲିସ୍ ଟ୍ୱିଟ୍ କରି ଭାରତୀୟ ହାଇ କମିଶନରେ ଘଟିଥିବା ଘଟଣାକୁ ନିନ୍ଦା କରିଛନ୍ତି।

Exit mobile version