Site icon ଆଜିକାଲି

ତୁର୍କୀ-ସିରିଆ ଭୂକମ୍ପ : ମୃତ୍ୟୁ ସଂଖ୍ୟା ୪୦୦୦ ଉପରେ, ଭାରତରୁ ରିଲିଫ୍ ସାମଗ୍ରୀ ସହ ତୁର୍କୀ ଗଲା ଏନଡିଆରଏଫ୍ ଟିମ୍

ଇସ୍ତାନବୁଲ: ତୁର୍କୀ ଓ ସିରିଆରେ ହୋଇଥିବା ତିନି ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଉଭୟ ଦେଶରେ ଏଯାବତ୍ ୪୦୦୦ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହା ସହିତ ଆହତଙ୍କ ସଂଖ୍ୟା ୧୨ ହଜାରରୁ ଅଧିକ ବୋଲି କୁହାଯାଉଛି। ପୁଣି ମଙ୍ଗଳବାର ଭୋରରେ ୫.୬ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

ଦକ୍ଷିଣ ତୁର୍କୀର ବହୁ ସହରରେ ପ୍ରାୟ ସବୁ ଘର ଓ ଅଟ୍ଟାଳିକା ନିଶ୍ଚିହ୍ନ ହୋଇଯାଇଛି । ଭୁଶୁଡ଼ି ପଡ଼ିଥିବା କୋଠା ଗୁଡ଼ିକର ଭଗ୍ନାବଶେଷ ତଳେ ଏବେ ମଧ୍ୟ ବହୁ ଲୋକ ଫସି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି। ସେପଟେ ବରଫପାତ ଯୋଗୁଁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି ।

ଶକ୍ତିଶାଳୀ ଭୂମିକମ୍ପ ପରେ ତୁର୍କୀ ଓ ସିରିଆରେ ମାନବୀୟ ସଙ୍କଟ ସୃଷ୍ଟି ହୋଇଛି । ତୁର୍କୀରେ ଅନ୍ତର୍ଜାତୀୟ ସହାୟତା ପହଞ୍ଚିବାରେ ଲାଗିଛି । ଭରତ ମଧ୍ୟ ସହାୟତାର ହାତ ବଢେ଼ଇଛି । ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଭାରତରୁ ରିଲିଫ ସାମଗ୍ରୀ ସହ ଏନଡିଆରଏଫ୍ ଟିମ୍ ଓ ଡଗ୍ ସ୍କ୍ବାଡର ପ୍ରଥମ ବ୍ୟାଚ୍ ତୁର୍କୀ ଯାଇଛନ୍ତି । ଅନ୍ୟପକ୍ଷରେ ତୁର୍କୀ ସରକାର ମୃତକଙ୍କ ସମ୍ମାନରେ ୭ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । କିନ୍ତୁ ଆନ୍ତର୍ଜାତୀୟ କଟକଣାର ସାମ୍ନା କରୁଥିବା ସିରିଆରେ ଅନ୍ତର୍ଜାତୀୟ ସହାୟତା ବିଳମ୍ବ ହେବାର ଖବର ରହିଛି ।

Exit mobile version