Site icon ଆଜିକାଲି

ଦ୍ୱିତୀୟ ଦିନିକିଆରେ ଭାରତକୁ ୨୭୨ ରନର ଟାର୍ଗେଟ

ଢାକା : ଢାକା ଠାରେ ଭାରତ-ବାଂଲାଦେଶ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ମଧ୍ୟ ଭାରତୀୟ ବୋଲର ନିରାଶ କରିଛନ୍ତି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ସତ୍ତ୍ବେ ନିମ୍ନଭାଗ ବ୍ୟାଟ୍ସମ୍ୟାନଙ୍କ ଲଢୁଆ ଖେଳ ପ୍ରଦର୍ଶନ ଯୋଗୁଁ ଭାରତ ଆଗରେ ଆଗରେ ୨୭୨ ରନର ବିଜୟ ଲକ୍ଷ୍ୟ ରଖିଛି ।

ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ଏକଦା ୬୯ରେ ୬ ୱିକେଟ ହରାଇଥିଲେ ମଧ୍ୟ ଜବରଦସ୍ତ କମବ୍ୟାକ୍‌ କରିଛି। ଅଭିଜ୍ଞ ମହମ୍ମଦୁଲ୍ଲାଙ୍କ ଅର୍ଦ୍ଧଶତକ ଓ ଯୁବ ତାରକା ମେହଦି ହାସନ ମିରଜାଙ୍କ ଅପରାଜିତ ତଥା ପ୍ରଥମ ଦିନିକିଆ ଶତକ ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିଛି। ମିରଜାଙ୍କ ଶତକ ଯୋଗୁ ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ଚ୍ୟାଲେଞ୍ଜିଂ ୨୭୧ ରନ କରିବାକୁ ସକ୍ଷମ ହୋଇଛି। ଏବେ ଦିନିକିଆ ସିରିଜ୍‌ରେ ୧-୦ରେ ପଛରେ ଥିବା ଟିମ ଇଣ୍ଡିଆକୁ ମ୍ୟାଚ୍‌ ଜିତିବା ପାଇଁ ୨୭୨ ରନର ଟାର୍ଗେଟ ମିଳିଛି। ଦଳର ଅଧିନାୟକ ରୋହିତ ଶର୍ମା ଆହତ ହୋଇଥିବାରୁ ବ୍ୟାଟିଂ କରିବାକୁ ଆସି ନପାରନ୍ତି। ସେହିପରି ଦୀପକ ଚହର ଆଜି ଆହତ ଯୋଗୁ ମାତ୍ର ୩ ଓଭର ହିଁ ବୋଲିଂ କରିବାକୁ ସକ୍ଷମ ହୋଇଛନ୍ତି।ପ୍ରଥମ ମ୍ୟାଚ୍‌କୁ ନାଟକୀୟ ଢଙ୍ଗରେ ଜିତିଥିବା ବାଂଲାଦେଶ ଆଜି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ମହମ୍ମଦ ସିରାଜ ଦମଦାର ବୋଲିଂ କରି ଅନମୁଲ ହକ୍‌(୧୧)ଙ୍କୁ ଆଉଟ କରିଥିଲେ। ଏହାପରେ ଅଧିନାୟକ ଲିଟନ ଦାସ(୨୧) ସିରାଜଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଭାରତର ସ୍ପିଡଷ୍ଟର ଉମ୍ରାନ ମଲିକ ୨୧ ରନ କରିଥିବା ନଜମୁଲ ହୁସେନ ସାଣ୍ଟୋଙ୍କୁ ବୋଲ୍ଡ କରି ଭାରତକୁ ତୃତୀୟ ସଫଳତା ଦେଇଥିଲେ। ୫୨ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ବାଂଲାଦେଶକୁ ଆଉରି ବ୍ୟାକଫୁଟକୁ ଠେଲି ଦେଇଥିଲେ ୱାଶିଂଟନ ସୁନ୍ଦର। ସେ ସାକିବ ଅଲ ହାସନ(୮), ମୁସଫିକର ରହିମ(୧୨) ଓ ଅଫିଫ ହୁସେନ(୦)ଙ୍କୁ ଆଉଟ କରିଥିଲେ। ବାଂଲାଦେଶ ୬୯ ରନରେ ୬ ୱିକେଟ ହରାଇଥିବାରୁ ଦଳ ବଡ଼ ସ୍କୋର କରିପାରିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ପ୍ରଥମ ମ୍ୟାଚ୍‌ର ହିରୋ ମିରାଜ ଓ ଅଭିଜ୍ଞ ମହମ୍ମଦୁଲ୍ଲା ସ୍ଥିତି ସମ୍ଭାଳିଥିଲେ। ପ୍ରଥମେ ଉଭୟ ବ୍ୟାଟର ବେଶ ସତର୍କତାର ସହ ବ୍ୟାଟିଂ କରିଥିଲେ। କିନ୍ତୁ ସେଟ୍‌ ହେବା ପରେ କାଉଣ୍ଟର ଆଟାକ ଆରମ୍ଭ କରିଥିଲେ।

ଆରମ୍ଭରୁ ଭଲ ବୋଲିଂ କରିଥିବା ମହମ୍ମଦ ସିରାଜଙ୍କ ଠାରୁ ଆରମ୍ଭ କରି ଅକ୍ଷର, ୱାଶିଂଟନ, ଶାର୍ଦ୍ଦୁଲ ଠାକୁର ଓ ଉମ୍ରାନ ମଲିକ କେହି ବି ଏମାନଙ୍କୁ ଅଟକାଇ ପାରି ନଥିଲେ। ଉଭୟ ଦମଦାର ବ୍ୟାଟିଂ କରି ପ୍ରଥମେ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ଦଳୀୟ ସ୍କୋର ୨୧୭ ଥିବା ବେଳେ ମହମ୍ମଦୁଲ୍ଲା ୭୭ ରନ କରି ଉମ୍ରାନଙ୍କ ବଲରେ ଆଉଟ ହୋଇଥିଲେ। କିନ୍ତୁ ମିରଜା ହାର ମାନି ନଥିଲେ। ସେ ନସୁମ ଅହମଦଙ୍କୁ ସାଥୀ କରି ଦଳୀୟ ସ୍କୋର ଆଗକୁ ନେଇଥିଲେ। ଏଥିସହ ଇନିଂସର ଶେଷ ବଲରେ ୧ ରନ ନେଇ ଦିନିକିଆରେ ନିଜର ପ୍ରଥମ ଶତକ ମଧ୍ୟ ହାସଲ କରିଥିଲେ। ୮୩ ବଲରେ ଅପରାଜିତ ୧୦୦ ରନ କରିଥିବା ମିରାଜ ୮ଟି ଚୌକା ଓ ୪ଟି ଛକା ମାରିଛନ୍ତି। ସେହିପରି ନସୁମ ୧୧ ବଲରେ ଅପରାଜିତ ୧୮ ରନ କରିବାରୁ ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୭୧ ରନ କରିଛି।

Exit mobile version