Site icon ଆଜିକାଲି

ବାଂଲାଦେଶକୁ ୪୧୦ ରନର ବିଜୟ ଲକ୍ଷ୍ୟ ଦେଲା ଭାରତ

ଚିଟ୍ଟାଗଙ୍ଗ : ଚଟ୍ଟଗ୍ରାମରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ଦମ୍ ଦେଖାଇଲା ଭାରତ । ବାଂଲାଦେଶ ବିପକ୍ଷରେ ଦିନିକିଆ ଶୃଙ୍ଖଳା ହାରିବା ପରେ ଶେଷ ଦିନିକିଆରେ ଇଶାନ କିଷନଙ୍କ ବିସ୍ଫୋରକ ଦ୍ବିଶତକ ଓ ବିରାଟ କୋହଲିଙ୍କ ଶତକ ବଳରେ ଭାରତ ବାଂଲାଦେଶ ଆଗରେ ରନର ପାହାଡ଼ ଛିଡ଼ା କରିଛି । ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୪୦୯ ରନ କରିଛି। ଦିନିକିଆ ସିରିଜକୁ ଆଗୁଆ ଜିତି ନେଇଥିବା ବାଂଲାଦେଶକୁ ଏହି ମ୍ୟାଚ୍‌କୁ ଜିତିବା ପାଇଁ ୪୧୦ ରନର ଟାର୍ଗେଟ ମିଳିଛି। ଚତୁର୍ଥ ଭାରତୀୟ ଭାବେ ଇଶାନ କିଶନ ଦିନିକିଆ କ୍ରିକେଟରେ ଦ୍ବିଶତକ ହାସଲ କରିଛନ୍ତି।

ଭାରତ ଦିନିକିଆ କ୍ରିକେଟରେ ୬ଷ୍ଠଥର ପାଇଁ ୪୦୦ରୁ ଅଧିକ ରନ କରିଛି। ଦଳର ସର୍ବାଧିକ ଦିନିକିଆ ସ୍କୋର ହେଉଛି ୪୧୮। ଭାରତ ୨୦୧୧ରେ ଇଣ୍ଡିଜ ବିପକ୍ଷ ଦିନିକିଆରେ ୫ ୱିକେଟ ହରାଇ ୪୧୮ ରନ କରିଥିଲା। ଆଜି ଏହାକୁ ଅତିକ୍ରମ କରିବାକୁ ଦଳ ପାଖରେ ସୁଯୋଗ ଥିଲେ ମଧ୍ୟ ଭାରତ ୪୦୯ ରନରେ ଅଟକି ଯାଇଛି। ବାଂଲାଦେଶ କେବେ ହେଲେ ଦିନିକିଆରେ ୪୦୦ ରନ କରି ନାହିଁ। ତେଣୁ ଆଜିର ମ୍ୟାଚ୍‌ ଜିତିବାକୁ ହେଲେ ବାଂଲାଦେଶକୁ ରେକର୍ଡ କରିବାକୁ ପଡ଼ିବ।

ଆହତ ଯୋଗୁ ରୋହିତ ଶର୍ମା ଆଜିର ମ୍ୟାଚ୍‌ ଖେଳୁ ନଥିବାରୁ କେଏଲ ରାହୁଲ ଦଳର ମଙ୍ଗ ସମ୍ଭାଳିଥିଲେ। ସେ ଟସ୍‌ ହାରିବାରୁ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଥିଲା। ଦଳୀୟ ସ୍କୋର ୧୫ ଥିବା ବେଳେ ଶିଖର ଧୱନ ମାତ୍ର ୩ ରନ କରି ମେହଦି ହାସନ ମିରାଜଙ୍କ ବଲରେ ଆଉଟ ହୋଇଯାଇଥିଲେ। ଏହାପରଠାରୁ ଆରମ୍ଭ ହୋଇଥିଲା ଈଶାନ ଓ ବିରାଟଙ୍କ କମାଲ। ବିଶେଷ କରି ଈଶାନ ଆଟାକିଂ ଶଟ ଖେଳିଥିଲେ। ତାଙ୍କୁ ବିରାଟ କେବଳ ସାଥ ଦେଇଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୨୯୫ ରନର ଭାଗିଦାରୀ କରି ବାଂଲାଦେଶକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଈଶାନ କିଶନ ମାତ୍ର ୮୫ ବଲରେ ପ୍ରଥମେ ନିଜର ଶତକ ହାସଲ କରିଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିୟରର ପ୍ରଥମ ଶତକ। ଏହାପରେ ପରେ ସେ ଗିୟର ବଦଳାଇବା ସହ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ବାଂଲାଦେଶର ପ୍ରତିଟି ବୋଲରଙ୍କୁ ସେ କଡ଼ା ପ୍ରହାର କରିଥିଲେ। ଏଥିସହ ଆଉ ମାତ୍ର ୩୬ ବଲର ସାମ୍ନା କରି ରେକର୍ଡ ଦୁଇ ଶତକ ହାସଲ କରିଥିଲେ। ଈଶାନ କିଶନ ବିଶ୍ୱ କ୍ରିକେଟର ପ୍ରଥମ ବ୍ୟାଟର ଯିଏ ମାତ୍ର ୧୨୬ ବଲରେ ଦୁଇ ଶତକ ହାସଲ କରିଛନ୍ତି। ଦୁଇ ଶତକ ହାସଲ କରିବା ପରେ ସେ ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ପ୍ୟାଭିଲିୟନ ଫେରିଥିଲେ। ଈଶାନ ମୋଟ ୧୩୧ ବଲର ସମ୍ମୁଖୀନ ହୋଇ ୨୧୦ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୧୦ଟି ଛକା ଓ ୨୪ଟି ଚୌକା ମାରିଛନ୍ତି। ଈଶାନ ଆଉଟ ହେବା ପରେ ବିରାଟ କୋହଲି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ସେ ମଧ୍ୟ ୮୫ ବଲରେ ନିଜର ଶତକ ହାସଲ କରିଥିଲେ। ସେ ଦୀର୍ଘ ୧୨୧୪ ଦିନ ପରେ ଦିନିକିଆରେ ଶତକ ହାସଲ କରିଛନ୍ତି। ୨୫ଟି ଇନିଂସ ପରେ ଦିନିକିଆରେ ବିରାଟଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିଛି। ସେହିପରି ଏହା ତାଙ୍କ ଦିନିକିଆ କ୍ୟାରିୟରର ୪୪ତମ ଶତକ। ଅନ୍ତର୍ଜାତୀୟ କ୍ରିକେଟରେ ବିରାଟ ୭୨ନଂ ଶତକ ହାସଲ କରିଛନ୍ତି। ଶତକ ହାସଲ କରିବା ପରେ ସେ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ। ହେଲେ ସେ ୧୧୩ ରନ କରି ସାକିବ ଅଲ ହାସଲଙ୍କ ବଲରେ ଆଉଟ ହୋଇଥିଲେ। ଏହି ଇନିଂସରେ ବିରାଟ ୧୧ଟି ଚୌକା ୨ଟି ଛକା ମାରିଛନ୍ତି। ବିରାଟ ଆଉଟ ହେବା ବେଳକୁ ଦଳୀୟ ସ୍କୋର ୩୪୪ ଥିଲା। ସେ ପ୍ୟାଭିଲିୟନ ଫେରିବା ପୂର୍ବରୁ ଶ୍ରେୟସ ଆୟର(୩) ଓ ଅଧିନାୟକ ରାହୁଲ(୮) ହୋଇ ଯାଇଥିଲେ। ଶେଷ ଭାଗରେ ଅକ୍ଷର ପଟେଲ(୨୦) ଓ ୱାଶିଂଟନ ସୁନ୍ଦର ୨୭ ବଲରେ ୩୭ ରନ କରିବାରୁ ଭାରତର ସ୍କୋର ୪୦୦ ପାର କରିଛି। ଅନ୍ୟମାନଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର ୩ ରନ କରି ଆଉଟ ହୋଇଥିବା ବେଳେ କୁଲଦୀପ ଯାଦବ ୩ ରନ କରି ଅପରାଜିତ ରହିଛନ୍ତି। ଏଥିସହ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୪୦୯ରେ ଅଟକି ଯାଇଛି।

ସୂଚନା ଯେ, ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ବାଂଲାଦେଶ ୨-୦ରେ ଜିତି ସାରିଥିବାବେଳେ ଏବେ ଭାରତ ଶାନ୍ତ୍ବନାମୂଳକ ବିଜୟ ସହ ସମ୍ମାନ ରକ୍ଷା ଲକ୍ଷ୍ୟରେ ଖେଳୁଛି ।

Exit mobile version