Site icon ଆଜିକାଲି

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ଟି-୨୦

ଗୁଆହାଟୀ : ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ଟି-୨୦ । ଗୁଆହାଟୀରେ ଏହି ମ୍ୟାଚ ଖେଳାଯିବ । ତିରୁଅନନ୍ତପୁରମ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦କୁ ସହଜରେ ଜିତି ଥିବା ରୋହିତ ବାହିନୀ ଗୁଆହାଟୀରେ ଶୃଙ୍ଖଳା କବ୍‌ଜା କରିବା ଲକ୍ଷ୍ୟରେ ରହିଛି। ଏହି ମ୍ୟାଚ୍‌ ଜିତିପାରିଲେ ଗତବର୍ଷ ଟି-୨୦ ବିଶ୍ବକପ୍‌ ପରଠାରୁ ଭାରତ ମୋଟ ୯ରୁ ଅଷ୍ଟମ ଦ୍ବିପାକ୍ଷିକ ଶୃଙ୍ଖଳା ଜିତିବାର ଗୌରବ ବହନ କରିବ।

ଅନ୍ୟପକ୍ଷରେ ଭାରତରେ ଆଦୌ ଟି-୨୦ ଶୃଙ୍ଖଳା ହାରିନଥିବା ଦକ୍ଷିଣ ଆଫ୍ରିକା ଗୁଆହାଟୀରେ ବିଜୟୀ ହୋଇ ଶୃଙ୍ଖଳାକୁ ବଞ୍ଚାଇ ରଖିବାର ଭରପୁର ପ୍ରୟାସ କରିବ। ପ୍ରଥମ ମ୍ୟାଚ୍‌ରେ କାଗିସୋ ରବାଦା ଓ ଅନ୍‌ରିକ୍‌ ନର୍ଖିୟା ଆରମ୍ଭରୁ ରୋହିତ ଓ କୋହଲିଙ୍କୁ ଆଉଟ କରିବା ପରେ ଦଳର ବୋଲିଂ ପ୍ରଭାବହୀନ ହୋଇପଡ଼ିଥିଲା। ବ୍ୟାଟରମାନେ ମଧ୍ୟ ଆରମ୍ଭରୁ ଆତ୍ମସମର୍ପଣ କରିବା ଭଳି ଖେଳିଥିବାରୁ ଏହା ସେମାନଙ୍କ ପ୍ରଶଂସକଙ୍କୁ ନିରାଶ କରିଛି। ସେଥିପାଇଁ ଦ୍ବିତୀୟ ମ୍ୟାଚ୍‌ରେ ତେମ୍ବା ବଭୂମାଙ୍କୁ କିଛି ଭିନ୍ନ ଧରଣର ରଣକୌଶଳ ନିର୍ଦ୍ଧାରଣ କରିବାକୁ ପଡ଼ିବ।

ବିଶ୍ବକପ୍‌ ପୂର୍ବରୁ ଏହି ଶୃଙ୍ଖଳା ଭାରତୀୟ ଦଳର ଶେଷ ପ୍ରସ୍ତୁତି ରହିଥିବାରୁ ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍‌ଙ୍କ ପାଖରେ ବୁମ୍‌ରାଙ୍କ ଅନୁପସ୍ଥିତିରେ ଦଳକୁ ପରଖିବା ପାଇଁ ଏହା ପ୍ରକୃଷ୍ଠ ସମୟ। ବୁମ୍‌ରାଙ୍କ ବଦଳରେ ଉମେଶ ଯାଦବ ଓ ମହମ୍ମଦ ସିରାଜ ଦଳରେ ସ୍ଥାନ ପାଇସାରିଛନ୍ତି। ତେଣୁ ବୁମ୍‌ରାଙ୍କ ବିନା ଭାରତୀୟ ଦଳ ମ୍ୟାଚ୍‌ରେ ପ୍ରଭାବ ପ୍ରକାଇବାକୁ କେତେ ପ୍ରସ୍ତୁତ ତାହା ଦକ୍ଷିଣ ଆଫ୍ରିକା ବିପକ୍ଷ ପରବର୍ତୀ ଦୁଇ ମ୍ୟାଚ୍‌ରୁ ଜାଣିହେବ। ବିଶ୍ବକପ୍‌ ଦଳର ଅନ୍ୟତମ ଷ୍ଟାଣ୍ଡବାଏ ବୋଲର ଦୀପକ ଚହର ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ଅର୍ଶଦୀପ ସିଂହଙ୍କୁ ସାଥୀ କରି ଭାରତକୁ ପ୍ରାରମ୍ଭିକ ସଫଳତା ଦେଇପାରିଥିଲେ। ଅନ୍ୟପକ୍ଷରେ ହର୍ଷଲ ପଟେଲଙ୍କ ପାଇଁ ଦ୍ବିତୀୟ ମ୍ୟାଚ୍‌ରେ ନୂଆ ସୂଯୋଗ ସୃଷ୍ଟି ହୋଇପାରେ। କିନ୍ତୁ ଏଭଳି ବୋଲିଂ ସମସ୍ୟା ସ୍ପିନରଙ୍କ କ୍ଷେତ୍ରରେ ରହିବନି। କାରଣ ପ୍ରତ୍ୟେକ ମ୍ୟାଚ୍‌ରେ ପ୍ରଭାବୀ ରହୁଥିବା ଅକ୍ଷର ପଟେଲ ନିଜ ସ୍ଥାନ ପକ୍କା କରିସାରିଛନ୍ତି। ଗତ ଟି-୨୦ ଶୃଙ୍ଖଳାରେ ଅକ୍ଷର ୮ ୱିକେଟ୍‌ ନେଇ ଶୀର୍ଷରେ ରହିଥିଲା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ରବିଚନ୍ଦ୍ରନ ଅଶ୍ବିନଙ୍କ ସହ ମଝି ଓଭରଗୁଡ଼ିକୁ ସମ୍ଭାଳିଥିଲେ। ବୋଲରଙ୍କ ଅପେକ୍ଷା ଭାରତୀୟ ବ୍ୟାଟରମା‌ନେ ଅଧିକ ଆତ୍ମବିଶ୍ବାସଭରା ରହିଛନ୍ତି। ଶ୍ରେଷ୍ଠ ୪ ବ୍ୟାଟରଙ୍କ ସହ ବିରାଟ କୋହଲି ପୂର୍ବ ଲୟକୁ ଫେରିବା ଭାରତକୁ ଭଲ ସଙ୍କେତ ଦେଉଛି। କେ.ଏଲ୍‌. ରାହୁଲ ପ୍ରଥମ ମ୍ୟାଚ୍‌ରେ ଅର୍ଦ୍ଧଶତକ (୫୧*) ଅର୍ଜନ କରିବା ତାଙ୍କ ଆତ୍ମବିଶ୍ବାସ ବଢ଼ାଇଛି। ମଧ୍ୟକ୍ରମରେ ଋଷଭ ପନ୍ତ ଓ ଦୀନେଶ କାର୍ତ୍ତିକ ଅଧିକ ବ୍ୟାଟିଂ ପାଉନଥିଲେ ବି ଅଷ୍ଟ୍ରେଲିଆରେ ଏମାନେ ଭାରତର ପ୍ରମୁଖ ଅସ୍ତ୍ର ପାଲଟିପାରନ୍ତି।

ସମ୍ଭାବ୍ୟ ଭାରତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), କେଏଲ୍‌ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ୍‌ ପାଣ୍ଡ୍ୟା, ଦୀନେଶ କାର୍ତିକ (ୱିକେଟ୍‌ରକ୍ଷକ), ଅକ୍ଷର ପଟେଲ, ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ଦୀପକ ଚହର, ହର୍ଷଲ ପଟେଲ, ଅର୍ଶଦୀପ ସିଂହ।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଏକାଦଶ: ତେମ୍ବା‌ ବଭୂମା (ଅଧିନାୟକ), କ୍ବିଣ୍ଟନ ଡି’ କକ୍‌, ରିଲି ରୁସୋ, ଏଦେନ୍‌ ମର୍କରାମ, ଡେଭିଡ୍‌ ମିଲର, ତ୍ରିଷ୍ଟାନ୍‌ ଷ୍ଟବ୍ସ, ୱେନ୍‌ ପାର୍ନେଲ, କେଶବ ମହାରାଜ, କାଗିସୋ ରବାଦା, ଅନ୍‌ରିକ୍‌ ନର୍ଖିୟା, ତାବ୍ରିଜ୍‌ ସାମ୍‌ସୀ।

Exit mobile version