Site icon ଆଜିକାଲି

ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା, ରାହୁଲ ଓ ଆୟର ଫେରିଲେ; ତିଳକ ବର୍ମା ବି ସାମିଲ

ନୂଆଦିଲ୍ଲୀ: ଅଗଷ୍ଟ ୩୧ରୁ ଆରମ୍ଭ ହେଉଥିବା ଏସିଆ କପ୍ ପାଇଁ ସୋମବାର ୧୭ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଆଘାତ କାରଣରୁ କିଛି ଦିନ ଧରି ଆକ୍ସନରୁ ଦୂରେଇ ରହିଥିବା କେ.ଏଲ୍ ରାହୁଲ ଏବଂ ଶ୍ରେୟସ୍ ଆୟର ଦଳକୁ ଫେରିଛନ୍ତି । ଯୁବ ବ୍ୟାଟ୍ସମ୍ୟାନ୍ ତିଳକ ବର୍ମାଙ୍କୁ ମଧ୍ୟ ପ୍ରଥମ ଥର ପାଇଁ ଦିନିକିଆ ଦଳରେ ସ୍ଥାନ ଦିଆଯାଇଛି।

ରାହୁଲ ଏବଂ ଆୟରଙ୍କ ଫିଟନେସ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହି ଦୁଇ ଖେଳାଳି ଯଥାକ୍ରମେ ଜଙ୍ଘ ଏବଂ ପିଠି ଯନ୍ତ୍ରଣାରୁ ସୁସ୍ଥ ହେବା ପରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ମାର୍ଚ୍ଚରେ ଆୟର୍ ତାଙ୍କର ଶେଷ ମ୍ୟାଚ୍ ଖେଳିଥିବାବେଳେ ରାହୁଲ ମେ’ରେ ଖେଳିଥିଲେ। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ ରାହୁଲଙ୍କ ବ୍ୟାକଅପ୍ ଭାବରେ ଦଳରେ ସାମିଲ ହୋଇଛନ୍ତି। ନିକଟରେ ସାମାନ୍ୟ ଆଘାତ ଯୋଗୁଁ ରାହୁଲ ଅସୁବିଧାରେ ପଡ଼ିଥିଲେ।

ଦଳ ଘୋଷଣା କରି ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର କହିଛନ୍ତି, “ରାହୁଲଙ୍କ ନୂଆ ସମସ୍ୟା ମୂଳ ଆଘାତ ସହ ଜଡିତ ନୁହେଁ। ଏହା ଏକ ସାମାନ୍ୟ ଆଘାତ | ସେଥିପାଇଁ ଶ୍ରୀଲଙ୍କା ଗସ୍ତ ପାଇଁ ସଞ୍ଜୁଙ୍କୁ ଦଳରେ ନିଆଯାଇଛି। ଆମେ ଆଶା କରୁଛୁ ରାହୁଲ ଫିଟ୍ ହେବେ। ଯଦି ସେ ଏସିଆ କପ୍ ଆରମ୍ଭରେ ସମ୍ପୂର୍ଣ୍ଣ ଫିଟ୍ ନ ହେଲେ ବି ସେ ଦ୍ୱିତୀୟ କିମ୍ବା ତୃତୀୟ ମ୍ୟାଚ୍ ସୁଦ୍ଧା ଫିଟ୍ ହୋଇଯିବା ସମ୍ଭାବନା ରହିଛି । ଶ୍ରେୟସ୍ ଆୟର ସମ୍ପୂର୍ଣ୍ଣ ଫିଟ୍ ବୋଲି ଅଗରକର‌ କହିଛନ୍ତି।

ଆଘାତ ସମସ୍ୟାରୁ ମୁକୁଳିବା ପରେ ଆୟର୍ଲାଣ୍ଡ ବିପକ୍ଷ ସିରିଜରେ ପ୍ରତ୍ୟାବର୍ତ୍ତନ କରିଥିବା ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ମଧ୍ୟ ଏସିଆ କପ୍ ପାଇଁ ଦଳରେ ସାମିଲ କରାଯାଇଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଡେବ୍ୟୁ ଟି-୨୦ ସିରିଜରେ ତିଲକ ବର୍ମା ଚମତ୍କାର ପ୍ରଦର୍ଶନ କରିଥିଲେ। ତାଙ୍କୁ ଏବେ ଦିନିକିଆ ପଦାର୍ପଣ କରିବାକୁ ସୁଯୋଗ ମିଳିଛି। ଏହି ୨୦ ବର୍ଷୀୟ ଖେଳାଳି ସମ୍ପ୍ରତି ଆୟର୍ଲାଣ୍ଡ ଗସ୍ତରେ ଅଛନ୍ତି।

ଏସିଆ କପ୍ ପାଇଁ ଭାରତୀୟ ଦଳ :
ରୋହିତ ଶର୍ମା (କ୍ୟାପଟେନ), ଶୁଭମାନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, କେଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଜସପ୍ରୀତ ବୁମରା, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ସଞ୍ଜୁ ସାମସନ (ରାହୁଲଙ୍କ ବ୍ୟାକଅପ୍) |

Exit mobile version