Site icon ଆଜିକାଲି

ଗାଜାରେ ଅସ୍ତ୍ରବିରତି ପାଇଁ ଜାତିସଂଘରେ ପ୍ରସ୍ତାବ ଗୃହୀତ, ସପକ୍ଷରେ ଭୋଟ୍ ଦେଲା ଭାରତ

ନୂଆଦିଲ୍ଲୀ: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେ ଭାରତ ମିଳିତ ଜାତିସଂଘରେ ଏକ ବଡ଼ ପଦକ୍ଷେପ ନେବା ସହ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି । ଭାରତ ଦୁଇ ଦେଶ ମଧ୍ୟରେ ଶାନ୍ତି ଚାହୁଁଛି | ଜାତିସଂଘ ସାଧାରଣ ସଭାରେ ଇସ୍ରାଏଲ-ହାମାସ ଯୁଦ୍ଧରେ ତୁରନ୍ତ ମାନବିକ ଅସ୍ତ୍ରବିରତି ସହିତ ସମସ୍ତ ବନ୍ଧକଙ୍କୁ ବିନା ସର୍ତ୍ତରେ ମୁକ୍ତ କରିବାକୁ ଦାବି କରି ଏକ ପ୍ରସ୍ତାବ ପାରିତ ହୋଇଛି। ଭାରତ ଏହି ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଛି ।

ଇସ୍ରାଏଲ-ହାମାସ ଯୁଦ୍ଧ ନେଇ ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ରେ ଏକ ଜରୁରୀ ସ୍ୱତନ୍ତ୍ର ବୈଠକ ଡକାଯାଇଥିଲା । ଏଥିରେ ଗାଜାରେ ତୁରନ୍ତ ଅସ୍ତ୍ରବିରତି ପାଇଁ ଇଜିପ୍ଟ ଆଗତ କରିଥିବା ପ୍ରସ୍ତାବ ପାରିତ ହୋଇଥିଲା । ଭାରତ ସମେତ ୧୫୩ ଦେଶ ଗାଜାରେ ଅସ୍ତ୍ରବିରତି ସପକ୍ଷରେ ମତଦାନ କରିଥିଲେ । ଏହି ପ୍ରସ୍ତାବକୁ ୧୦ ସଦସ୍ୟ ଦେଶ ବିରୋଧ କରିଥିବାବେଳେ ୨୩ ଜଣ ସଦସ୍ୟ ରାଷ୍ଟ୍ର ଅନୁପସ୍ଥିତ ରହିଥିଲେ। ଏହି ସମୟରେ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ଇସ୍ରାଏଲ ଉପରେ ହାମାସ ଆକ୍ରମଣକୁ ଆତଙ୍କବାଦୀ ଆକ୍ରମଣ ରୂପେ ବର୍ଣ୍ଣନା କରିଥିଲେ ।

ଗାଜା ଉପରେ ଆକ୍ରମଣକୁ ବିରୋଧ କରି ଜାତିସଂଘରେ ଦୁଇ ତୃତୀୟାଂଶ ସମର୍ଥନ ସହ ପ୍ରସ୍ତାବ ଗୃହୀତ ହେବା ପରେ ଇସ୍ରାଏଲ୍ ଏହି ପ୍ରସଙ୍ଗରେ ଏକଘରିକିଆ ହୋଇଯାଇଛି । ଇସ୍ରାଏଲର ଘନିଷ୍ଠ ସହଯୋଗୀ ଆମେରିକା ମଧ୍ୟ ଗାଜାରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ଇସ୍ରାଏଲକୁ ଚେତାବନୀ ଦେଇଛି । ଇସ୍ରାଏଲ ବର୍ତ୍ତମାନ ଆନ୍ତର୍ଜାତୀୟ ସମର୍ଥନ ହରାଉଛି ବୋଲି ବାଇଡେନ୍ ପ୍ରଶାସନ ଏହାକୁ ଚେତାବନୀ ଦେଇଛି ।

ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ହାମାସକୁ ମୂଳୋତ୍ପାଟନ କରିବା ପାଇଁ ଗାଜା ଉପରେ ହୋଇଥିବା ଇସ୍ରାଏଲର ଆକ୍ରମଣରେ ବହୁ ଶିଶୁଙ୍କ ସହ ଅତିକମରେ ୧୮,୨୦୫ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଛି । ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷରେ ଏଯାବତ୍ ପ୍ରାୟ ୫୦,୦୦୦ ଲୋକ ଆହତ ହୋଇଛନ୍ତି।

Exit mobile version