Site icon ଆଜିକାଲି

ଆଜି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ଟି-୨୦

ହାଇଦ୍ରାବାଦ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌ର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଆଜି ଖେଳାଯିବ। ଏହି ୩ଟିକିଆ ଟି-୨୦ ସିରିଜ୍‌ ଏବେ ୧-୧ରେ ବରାବର ହୋଇ ରହିଛି। ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍‌କୁ ଚମତ୍କାର ଢଙ୍ଗରା ଜିତିଥିବା ବେଳେ ଶୁକ୍ରବାର ଭାରତ କମବ୍ୟାକ୍‌ କରିଛି।

ନାଗପୁର ମ୍ୟାଚରେ ପାଗ ବାଧକ ସାଜିଥିଲେ ମଧ୍ୟ ହାଇଦ୍ରାବାଦରେ ସେମିତି କିଛି ଘଟିବାର ଆଶଙ୍କା ନାହିଁ। ଅବଶ୍ୟ ଆଜି କିଛି କଳାବାଦଲ ଭାସୁଥିବା ଦେଖାଯାଇଛି। କିନ୍ତୁ ଆସନ୍ତାକାଲି ପାଗ ଶୁଖିଲା ରହିବ ବୋଲି କୁହାଯାଉଛି। କାଲିରେ ମ୍ୟାଚ୍‌ରେ ଟସ୍‌ର ଗୁରୁତ୍ୱ ସେତେଟା ରହିବ ନାହିଁ। ଏଠାରେ ଖେଳାଯାଇଥିବା ଶେଷ ୧୬ ଟି-୨୦ ମ୍ୟାଚ୍‌ରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୮ଟି ଓ ଦ୍ୱିତୀୟ ବ୍ୟାଟିଂ କରିଥିବା ଦଳ ୮ଟି ଲେଖାଏ ମ୍ୟାଚ ଜିତିଛନ୍ତି। ଶୁକ୍ରବାର ମ୍ୟାଚ ୮ ଓଭର ବିଶିଷ୍ଟ ଥିବାରୁ ଭାରତ ଅତିରିକ୍ତ ବ୍ୟାଟର ଭାବେ ଋଷଭ ପନ୍ତଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ଦେଇଥିଲା। କିନ୍ତୁ ତାଙ୍କର ଆବଶ୍ୟକତା ପଡ଼ି ନଥିଲା। ଭାରତ ୪ ସ୍ପେଶାଲିଷ୍ଟ ବୋଲର ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ପଡ଼ିଆକୁ ଓହ୍ଲାଇଥିଲା। କିନ୍ତୁ ୨୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ଭାରତକୁ ଆଉ ଜଣେ ସ୍ପେଶାଲିଷ୍ଟ ବୋଲରଙ୍କୁ ଖେଳାଇବାକୁ ପଡ଼ିବ। ଯଶପ୍ରୀତ ବୁମ୍ରା ଦଳକୁ ଫେରିବା ଭଲ ସଙ୍କେତ। ହେଲେ ଭୁବନେଶ୍ୱର କୁମାରଙ୍କ ବୋଲିଂକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଆସନ୍ତାକାଲି ଟିମ୍‌ ମ୍ୟାନେଜମେଣ୍ଟ ପନ୍ତଙ୍କ ବଦଳରେ ଭୁବି କିମ୍ବା ଦୀପକ ଚହରଙ୍କୁ ଅତିରିକ୍ତ ବୋଲର ଭାବେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଇପାରେ। ସେହିପରି ୟୁଜି ଚହଲ ଏଯାଏ ଆଖି ଦୃଶିଆ ପ୍ରଦର୍ଶନ କରି ପାରି ନାହାନ୍ତି। ଏପରି ସ୍ଥିତିରେ ଅଭିଜ୍ଞ ରବି ଅଶ୍ୱିନଙ୍କୁ ନିର୍ଣ୍ଣାୟକ ଟି-୨୦ରେ ସୁଯୋଗ ମିଳିବାର ସମ୍ଭାବନା ରହିଛି। ଅକ୍ଷର ପଟେଲ ସବୁଠାରୁ ଭଲ ଲୟରେ ଅଛନ୍ତି। ରବୀନ୍ଦ୍ର ଜାଡେଜା ଆହତ ହେବାରୁ ବିଶ୍ୱକପରେ ତାଙ୍କ ସ୍ଥାନ କିଏ ନେବେ, ତା’କୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଥିଲା। ହେଲେ ଅକ୍ଷର ପଟେଲଙ୍କ ପ୍ରଦର୍ଶନ ଏହି ଅଭାବକୁ କିଛିଟା ଭରଣ କରିପାରିଛି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ବ୍ୟାଟରମାନେ ଭଲ ଫର୍ମରେ ଅଛନ୍ତି। ବିଶେଷ କରି ମାଥ୍ୟୁ ୱେଡ ଶେଷ ଭାଗରେ ବିସ୍ଫୋରକ ବ୍ୟାଟିଂ କରିବା ଟିମ୍‌ ଇଣ୍ଡିଆର ଚିନ୍ତାର କାରଣ ପାଲଟିଛି। ପ୍ରଥମ ମ୍ୟାଚ୍‌ ଭଳି ୱେଡ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଅପରାଜିତ ୪୩ ରନର ଇନିଂସ ଖେଳି ଅଷ୍ଟ୍ରେଲିଆକୁ ୮ ଓଭର ଶେଷ ସୁଦ୍ଧା ୯୦ରେ ପହଞ୍ଚାଇ ଦେଇଥିଲେ। ତେଣୁ ଶେଷ ଟି-୨୦ରେ ଭାରତ ପାଇଁ ତାଙ୍କ ୱିକେଟ ବେଶ ମହତ୍ତ୍ୱପୂର୍ଣ୍ଣ। ଆରୋନ ଫିଞ୍ଚ ମଧ୍ୟ ଲୟକୁ ଫେରିଛନ୍ତି। ପ୍ରଥମ ମ୍ୟାଚ୍‌ରେ କାମେରନ ଗ୍ରୀନ ବିସ୍ଫୋରକ ବ୍ୟାଟିଂ କରିଥିଲେ। ବୋଲିଂ କଥା ବିଚାରକୁ ନେଲେ ଆଡମ ଜାମ୍ପା ଚମତ୍କାର ଫର୍ମରେ ରହିଛନ୍ତି। ଶୁକ୍ରବାର ମ୍ୟାଚ୍‌ରେ ଭାରତର ବିସ୍ଫୋରକ ବ୍ୟାଟିଂ ସତ୍ତ୍ୱେ ଜାମ୍ପା ୨ ଓଭରରେ ମାତ୍ର ୧୬ ରନ ଦେଇ ୩ ୱିକେଟ ହାସଲ କରିଥିଲେ। କାଲିର ମ୍ୟାଚ୍‌ରେ ଜାମ୍ପାଙ୍କ ପ୍ରତି ଭାରତୀୟ ବ୍ୟାଟରଙ୍କୁ ସର୍ତକ ରହିବାକୁ ପଡ଼ିବ।

ଭାରତ ଭଳି ଅଷ୍ଟ୍ରେଲିଆ ମଧ୍ୟ ଡେଥ ଓଭର ବୋଲିଂରେ ସମସ୍ୟାର ସମ୍ମୁଖୀନ ହେଉଛି। ନାଥନ ଇଲିସ ଆହତ ହୋଇଛନ୍ତି। ଏଥିପାଇଁ ଶୁକ୍ରବାର ମ୍ୟାଚ୍‌ ସେ ଖେଳି ନଥିଲେ। ସ୍କ୍ୱାଡରେ କେନ ରିଚାର୍ଡସନ ଥିଲେ ମଧ୍ୟ ଛୋଟ ଧରଣର ସାଇଡ ନିଗଲ ସମସ୍ୟାରେ ପଡ଼ିଛନ୍ତି। ସେ ମଧ୍ୟ ହାଇଦ୍ରାବାଦରେ ଖେଳାଯିବାକୁ ଥିବା ଶେଷ ଟି-୨୦ ଖେଳିବେ ନାହିଁ। ମିଚେଲ ଷ୍ଟାର୍କଙ୍କ ଅନୁପସ୍ଥିତରେ ଜୋଶ ହେଜେଲଉଡ ଓ ପ୍ୟାଟ କମିନ୍ସଙ୍କ ଉପରେ ଅତ୍ୟଧିକ ଚାପ ରହୁଛି। ତେଣୁ ଟିମ ଅଷ୍ଟ୍ରେଲିଆକୁ କାଲିର ମ୍ୟାଚ୍‌ ଓ ବିଶ୍ୱକପ ପୂର୍ବରୁ ଏହି ସମସ୍ୟାର ସମାଧାନ କରିବାକୁ ପଡ଼ିବ।

ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା, କେଏଲ୍‌ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଭୁବନେଶ୍ବର କୁମାର, ଯଶପ୍ରୀତ ବୁମ୍‌ରା, ୟୁଜବେନ୍ଦ୍ର ଚହଲ/ରବିଚନ୍ଦ୍ରନ ଅଶ୍ବିନ।

ସମ୍ଭାବ୍ୟ ଅଷ୍ଟ୍ରେଲିଆ ଦଳ: ଆରୋନ୍‌ ଫିଞ୍ଚ, କାମେରନ୍‌ ଗ୍ରିନ୍‌, ଷ୍ଟିଭେନ୍‌ ସ୍ମିଥ୍‌, ଗ୍ଲେନ ମ୍ୟାକ୍ସୱେଲ, ଜୋସ ଇଙ୍ଗଲିସ୍‌, ଟିମ୍‌ ଡେଭିଡ୍‌, ମାଥ୍ୟୁ ୱେଦ୍‌, ପ୍ୟାଟ୍‌ କମିନ୍ସ, ନାଥନ୍‌ ଏଲିସ୍‌/ଡାନିଏଲ୍‌ ସାମ୍ସ/ସିନ୍‌ ଆବୋଟ, ଆଦାମ୍‌ ଜାମ୍ପା, ଜୋସ୍‌ ହାଜେଲଉଡ୍‌।

Exit mobile version