Site icon ଆଜିକାଲି

ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ

ରାଞ୍ଚି : ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ । ରାଞ୍ଚିରେ ଏହି ମ୍ୟାଚ ଖେଳାଯିବ । ପ୍ରଥମ ଦିନିକିଆରେ ପରାସ୍ତ ହେବା ପରେ ଭାରତ ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ସିରିଜକୁ ଫେରିବା ଲାଗି ଧାୱନ ବାହିନୀ ପାଇଁ ବିଜୟ ଜରୁରୀ ହୋଇପଡ଼ିଛି। ଯଦିଓ ଏହି ଶୃଙ୍ଖଳାର ଫଳାଫଳ ବିଶ୍ବକପ୍‌ ପ୍ରସ୍ତୁତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ, ତଥାପି ସମ୍ମାନ ଦୃଷ୍ଟିରୁ ଶିଖର ଧାୱନ ଏହି ମ୍ୟାଚ୍‌ ଜିତିବାକୁ ଚାହିଁବେ । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ସିରିଜ ବିଜୟ ପାଇଁ ସମସ୍ତ ପ୍ରସ୍ତୁତି କରିଛି ।

ପ୍ରଥମ ମ୍ୟାଚ୍‌ର ବିଜୟ ପରେ ଦକ୍ଷିଣ ଆଫ୍ରିକାର ମନୋବଳ ଦ୍ୱିଗୁଣା ହୋଇଯାଇଛି । ରାଞ୍ଚିରେ ବିଜୟ ଜାରି ରଖିବାକୁ ଦଳ ଜୋରଦାର ପ୍ରସ୍ତୁତି କରିଛି । ଲକ୍ଷ୍ନୌରେ ବିଜୟ ସହ ଭ୍ରମଣକାରୀ ଦଳ ୧୦ପଏଣ୍ଟ ହାସଲ କରିଥିଲା । ମୋଟ୍‌ ବିଶ୍ୱକପ୍‌ ସୁପରଲିଗ୍‌ ପଏଣ୍ଟ ୫୯ରେ ପହଞ୍ଚିଥିଲେ ହେଁ ଦକ୍ଷିଣ ଆଫ୍ରିକା ଏବେବି ତାଲିକାର ୧୧ତମ ସ୍ଥାନରେ ରହିଛି । ଆଗାମୀ ଦିନିକିଆ ବିଶ୍ୱକପ୍‌କୁ ସିଧା ସଳଖ ଯୋଗ୍ୟତା ଅର୍ଜନ କରିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ପଏଣ୍ଟ ତାଲିକାର ପ୍ରଥମ ୮ଟି ସ୍ଥାନ ମଧ୍ୟରେ ପହଞ୍ଚିବାକୁ ପଡ଼ିବ । ତେଣୁ ପରବର୍ତ୍ତୀ ୨ଟି ଯାକ ମ୍ୟାଚ୍‌ରେ ବିଜୟ ପାଇଁ ଦକ୍ଷିଣ ଆଫ୍ରିକା ପ୍ରୟାସ କରିବ । ଆସନ୍ତା ବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକା ଆଉ ୨ଟି ଦିନିକିଆ ସିରିଜ(ନେଦରଲାଣ୍ଡ୍‌ସ ଓ ଇଂଲଣ୍ଡ ବିପକ୍ଷରେ) ଖେଳିବାର କାର୍ଯ୍ୟକ୍ରମ ରହିଛି ।

ଭାରତର ମୁଖ୍ୟ ଦଳ ଟି-୨୦ ବିଶ୍ୱକପ୍‌ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିସାରିଛି । ତଥାପି ଦ୍ୱିତୀୟ ଦଳ ଦକ୍ଷିଣ ଆଫ୍ରିକାକୁ କଡ଼ା ଟକ୍କର ଦେଉଛି । ପ୍ରଥମ ମ୍ୟାଚ୍‌ରେ ଭାରତ ମାତ୍ର ୯ ରନ୍‌ରେ ପରାଜିତ ହୋଇଥିଲା । ଶ୍ରେୟାସ ଆୟର ଓ ସଞ୍ଜୁ ସାମସନ ଚମତ୍କାର ଇନିଂସ ଖେଳିଥିଲେ । ତଥାପି ଦ୍ୱିତୀୟ ଦିନିକିଆ ପୂର୍ବରୁ ବ୍ୟାଟିଂ ବିଭାଗକୁ ସୁଦୃଢ କରିବାକୁ ଭାରତ ଯୋଜନା କରିଛି । ବିଶେଷ କରି ଓପନର ଧାୱନ ଓ ଶୁଭମନ ଗିଲଙ୍କ ବ୍ୟାଟ୍‌ରୁ ଉପଯୋଗୀ ଇନିଂସ ଆବଶ୍ୟକ ରହିଛି । ସେହିପରି ଋତୁରାଜ ଗାଏକୱାଡ୍‌ ଓ ଇଶାନ କିଷନ ମଧ୍ୟ ଦକ୍ଷତା ପ୍ରମାଣ କରିବା ପାଇଁ ଆଜିର ମ୍ୟାଚ୍‌ରେ ଆଉ ଏକ ସୁଯୋଗ ପାଇବେ । ଏକାଦଶରେ ପରିବର୍ତ୍ତନ ହେବା ନିଶ୍ଚିତ । ଦକ୍ଷିଣ ଆଫ୍ରିକା ଦଳକୁ ଅଲ୍‌ରାଉଣ୍ଡର ମାର୍କୋ ଜାନସେନ ଫେରିବା ଆଶା କରାଯାଉଛି । ସେହିପରି ଭାରତୀୟ ଦଳରେ ମଧ୍ୟ ଏକ ପରିବର୍ତ୍ତନ ହୋଇପାରେ । ଯୁବ ଲେଗ ସ୍ପିନର ରବି ବିଷ୍ଣୋଇଙ୍କ ସ୍ଥାନରେ ସାହବାଜ ଅହମ୍ମଦଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି । ସୂଚନା ଯେ, ଲକ୍ଷ୍ନୌରେ ବର୍ଷା ଯୋଗୁ ପ୍ରଥମ ମ୍ୟାଚ୍‌କୁ ୪୦ ଓଭର ବିଶିଷ୍ଟ କରାଯାଇଥିଲା । ରାଞ୍ଚିରେ ମଧ୍ୟ ବର୍ଷା ସାଜିପାରେ ବାଧକ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଞ୍ଚିରେ ୨୦ ପ୍ରତିଶତ ବର୍ଷା ସମ୍ଭାବନା ରହିଛି ।

ସମ୍ଭାବ୍ୟ ଭାରତ ଏକାଦଶ :

ଶିଖର ଧାୱନ୍‌ (ଅଧିନାୟକ), ଶୁବମନ ଗିଲ୍‌, ଋତୁରାଜ ଗାଏକ୍ବାଡ, ଈଶାନ କିଶନ, ଶ୍ରେୟସ ଆୟର, ସଞ୍ଜୁ ସାମ୍‌ସନ (ୱିକେଟ୍‌ରକ୍ଷକ), ଶାର୍ଦୁଳ ଠାକୁର, ରବି ବିଷ୍ଣୋଇ/ସା‌ହବାଜ୍‌ ଅହମ୍ମଦ, ଆୱେସ ଖାନ୍‌, କୁଲ୍‌ଦୀପ ଯାଦବ, ମହମ୍ମଦ ସିରାଜ।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଏକାଦଶ :

କ୍ବିଣ୍ଟନ ଡି’ କକ୍‌, ଜାନେମନ ମଲାନ, ତେମ୍ବା ବଭୂମା (ଅଧିନାୟକ), ଏଦେନ୍‌ ମର୍କରାମ, ହେନ୍‌ରିକ୍‌ କ୍ଲାସେଁ, ଡେଭିଡ୍‌ ମିଲର, ୱେନ୍‌ ପାର୍ନେଲ/ଆନ୍ଦିଲେ ଫେଲୁକ୍ବାୟୋ, କେଶବ ମହାରାଜ, କାଗିସୋ ରବାଦା, ତାବ୍ରିଜ୍‌ ସାମ୍‌ସୀ/ମାର୍କୋ ଜାନ୍‌ସେନ/ଅନ୍‌ରିକ୍‌ ନର୍ଖିୟା, ଲୁଙ୍ଗି ଏନ୍‌ଗିଡ଼ି।

Exit mobile version