Site icon ଆଜିକାଲି

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ୨ୟ ଦିନିକିଆ, ଘରୋଇ ଦଳ ପାଇଁ କର ବା ମର ସ୍ଥିତି

ମୁମ୍ବାଇ : ଶନିବାର ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଦିନିକିଆ। ପ୍ରଥମ ମ୍ୟାଚରେ ବ୍ୟାଟିଂ କ୍ରମକୁ ନେଇ ପରୀକ୍ଷା ନିରୀକ୍ଷା କରିବା ପରେ ଆଜି ଖେଳାଯିବାକୁ ଥିବା ଦ୍ବିତୀୟ ଦିନିକିଆରେ ଭାରତୀୟ ଦଳ ଅସଲ ବ୍ୟାଟିଂ କ୍ରମକୁ ନେଇ ଖେଳିପାରେ। କାରଣ ଏହି ମ୍ୟାଚ୍ ଜିତିଲେ ଭାରତ ଆଗୁଆ ଶୃଙ୍ଖଳା ଜିତିପାରିବ।

ବିଶ୍ବକପ୍ ପୂର୍ବରୁ ପ୍ରତ୍ୟେକ ମ୍ୟାଚ୍ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଯେଉଁମାନେ ବି ସୁଯୋଗ ପାଉଛନ୍ତି । ସେମାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ। ପ୍ରଥମ ମ୍ୟାଚରେ ମାତ୍ର ୧୧୫ ରନକୁ ପିଛା କରିଥିଲେ ବି କେବଳ ଈଶାନ କିଶନଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଅଧିକ ସମୟ ପିଚରେ ରହିପାରିନଥିଲେ।

ବିଶ୍ବକପରେ ଅକ୍ଟୋବର ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଅଭିଯାନ ଆରମ୍ଭ କରିବ। ଏଥିପୂର୍ବରୁ ଆଉ ୧୧ଟି ଦିନିକିଆ ଖେଳି ନିଜ ଦଳକୁ ପରଖିବାକୁ ହେବ। ତେଣୁ କିଏ କେଉଁ ସ୍ଥାନ ପାଇଁ ଉପଯୁକ୍ତ ତାହା ଏହି ସମୟରୁ ହିଁ ବାଛିବାକୁ ହେବ। ବ୍ରିଜଟାଉନର କେନସିଙ୍ଗଟନ୍ ଓଭାଲ୍ ପଡ଼ିଆରେ ଗୁରୁବାର ଖେଳାଯାଇଥିବା ପିଚ୍ ପରିବର୍ତ୍ତେ ଆଜି ଦ୍ବିତୀୟ ପିଚ୍‌ରେ ମ୍ୟାଚ୍ ଖେଳାଯିବ। ଯଦିଓ ପିଚ୍ ଅଲଗା , କିନ୍ତୁ ଏହାର ବ୍ୟବହାର ପ୍ରାୟତଃ ସମାନ ରହିବ। ତେଣୁ ଭାରତ ପଛରେ ବ୍ୟାଟିଂ କରିବାକୁ ସୁଯୋଗ ପାଇଲେ କୌଣସି ଅସୁବିଧା ହେବ ନାହିଁ ବୋଲି ଆଶା କରାଯାଉଛି।

ଭାରତ ସମ୍ଭାବ୍ୟ ଦଳ : ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ/ଇଶାନ କିଷନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଉମ୍ରାନ ମଲିକ, ମୁକେଶ କୁମାର ।

ୱେଷ୍ଟ ଇଣ୍ଡିଜ୍‌ ସମ୍ଭାବ୍ୟ ଦଳ : ବ୍ରାଣ୍ଡନ କିଙ୍ଗ୍‌, କେଲି ମାୟର୍ସ, କେସି କାର୍ଟି, ସାଇ ହୋପ୍‌(ଅଧିନାୟକ), ସିମରନ ହେତମାୟର, ରୋଭମାନ ପାୱେଲ୍‌, ରୋମାରିଓ ସେପର୍ଡ, କେଭିନ ସିନକ୍ଲେୟାର, ଅଲଜାରୀ ଜୋଶେଫ, ଗୁଦାକେଶ ମୋତି/ଓସେନ ଥୋମାସ, ଜେଡେନ ସିଲ୍ସ ।

Exit mobile version