Site icon ଆଜିକାଲି

ରୋହିତ ଶର୍ମାଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ ଖେଳିବ ଭାରତ, ସ୍ପଷ୍ଟ କଲେ ଜୟ‌ ଶାହ

ରାଜକୋଟ: ଚଳିତ ବର୍ଷ ଓ୍ବେଷ୍ଟଇଣ୍ଡିଜ୍ ଓ ଆମେରିକାରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଭାରତର ନେତୃତ୍ଵ କିଏ ନେବେ ସେନେଇ ସସପେନ୍ସ ଦୂର କରିଛନ୍ତି ବିସିସିଆଇ ସଚିବ ଜୟ ଶାହା । ରୋହିତ ଶର୍ମାଙ୍କ ନେତୃତ୍ୱରେ ହିଁ ଭାରତ ଏହି ମେଗା ଇଭେଣ୍ଟରେ ଖେଳିବ ବୋଲି ଶାହ ଏଠାରେ ସ୍ପଷ୍ଟ କରିଛନ୍ତିି।

କ୍ରିକେଟର ଛୋଟ ଫର୍ମାଟ୍ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ରୂପରେ ଭାରତ ପାଖରେ ଜଣେ ପୂର୍ଣ୍ଣକାଳୀନ ଅଧିନାୟକ ଅଛନ୍ତି । କିନ୍ତୁ ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାଜୟ ପରେ ବିରାଟ କୋହଲି ଓ ରୋହିତଙ୍କ ଏକ ଆଇସିସି ଟ୍ରଫି ଜିତିବା ଲକ୍ଷ୍ୟ ଅଧୁରା ରହିଯାଇଛି । ତେଣୁ ଦୁଇ ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୁନରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ଶାହ କହିଛନ୍ତି, “୨୦୨୩ରେ କ୍ରମାଗତ ୧୦ଟି ବିଜୟ ସତ୍ତ୍ୱେ ଆମେ ଅହମ୍ମଦାବାଦରେ ବିଶ୍ୱକପ ଜିତି ପାରିନଥିଲୁ । କିନ୍ତୁ ଆମେ ହୃଦୟ ଜିତିଥିଲୁ। ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେବାକୁ ଚାହୁଁଛି ଯେ ୨୦୨୪ (ଟି-୨୦ ବିଶ୍ୱକପ)ରେ ବାରବାଡୋସ (ଫାଇନାଲର ଭେନ୍ୟୁ)ରେ ଆମେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତର ପତାକା ଉଡ଼ାଇବୁ ।

ଶାହା ଖଣ୍ଡେରୀର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କଥା କହିଛନ୍ତିି । ଏହି ଷ୍ଟାଡିୟମକୁ ବର୍ତ୍ତମାନ ବରିଷ୍ଠ କ୍ରିକେଟ୍ ପ୍ରଶାସକ ନିରଞ୍ଜନ ଶାହଙ୍କ ନାମରେ ନାମିତ କରାଯାଇଛି। ଏହି ଅବସରରେ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଓ ଅନିଲ କୁମ୍ବଲେ ଏବଂ ଆଇପିଏଲ ଅଧ୍ୟକ୍ଷ ଅରୁଣ ଧୁମଲ ମଧ୍ୟ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗରକରଙ୍କ ବ୍ୟତୀତ ଭାରତୀୟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ, ରୋହିତ ଶର୍ମା, ମହମ୍ମଦ ସିରାଜ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଏବଂ ଭାରତୀୟ ଦଳର ସହାୟକ ଷ୍ଟାଫର କିଛି ସଦସ୍ୟ ମଧ୍ୟ ଯୋଗ ଦେଇଥିଲେ।

Exit mobile version