Site icon ଆଜିକାଲି

ତୃତୀୟ ଦିନିକିଆ : ଟସ ଜିତି ଜିମ୍ବାୱେ ବିପକ୍ଷରେ ଭାରତର ବ୍ୟାଟିଂ ନିଷ୍ପତ୍ତି

ହାରରେ : ଆଜି ତୃତୀୟ ଦିନିକିଆରେ ମୁହାଁମୁହିଁ ହେବେ ଘରୋଇ ଜିମ୍ବାୱେ ଓ ଭାରତ । ଏହାରି ମଧ୍ୟରେ ପଡ଼ିଥିବା ଟସ ଜିତି ଜିମ୍ବାୱେ ବିପକ୍ଷରେ ବ୍ୟାଟିଂ ନିଷ୍ପତ୍ତି ନେଲେ ରାହୁଲ । ପୂର୍ବରୁ ପ୍ରଥମ ୨ଟି ମ୍ୟାଚ୍‌ ଜିତି ଭାରତ ସିରିଜ କବ୍‌ଜା କରିସାରିଛି । ଆଜିର ମ୍ୟାଚ୍ ବିଜୟ ସହ କ୍ଲିନ୍‌ ସୁଇପ୍‌ ପାଇଁ ଦଳ ଲକ୍ଷ୍ୟ ରଖିଛି । ପ୍ରତ୍ୟେକ ଖେଳାଳି ନିଜ ନିଜର ଭୂମିକା ତୁଲାଇବାରେ ସଫଳ ହୋଇଛନ୍ତି । ଅନ୍ୟ ପଟରେ ଜିମ୍ବାୱେ ଦଳ ସମ୍ମାନ ପାଇଁ ଖେଳିବ । ତଥାପି ଭାରତ ଭଳି ଏକ ଶକ୍ତିଶାଳୀ ଦଳ ବିପକ୍ଷରେ ପରାଜୟ ମଧ୍ୟ ଜିମ୍ବାୱେ ଖେଳାଳିଙ୍କ ପାଇଁ ଅନେକ ଶିକ୍ଷା ଆଣିବ ।

ଭାରତ ବିପକ୍ଷରେ ବିଜୟ ଜିମ୍ବାୱେ ପାଇଁ କେବଳ ସ୍ୱପ୍ନରେ ରହିଯିବ । ଚଳିତ ମାସ ଆରମ୍ଭରେ ଜିମ୍ବାୱେ ଘରୋଇ ଗ୍ରାଉଣ୍ଡ୍‌ରେ ବାଂଲାଦେଶକୁ ହରାଇଥିଲା । ଭାରତ ବିପକ୍ଷରେ ପ୍ରଥମ ୨ଟି ମ୍ୟାଚ୍‌ ହାରିବା ପରେ ଦଳର ଅସଲ କ୍ଷମତା ପ୍ରମାଣିତ ହୋଇଛି । ଶୃଙ୍ଖଳିତ ପ୍ରଦର୍ଶନ ଜାରି ରଖିଥିଲେ ହେଁ ଭାରତ ବିପକ୍ଷରେ ବିଜୟ ଏକ ପ୍ରକାର ଅସମ୍ଭବ ଥିବା ଘରୋଇ ଦଳ ଉପଲବ୍ଧି କରିଛି । ତଥାପି ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଓ ରଣନୀତିରୁ ଜିମ୍ବାୱେ ଖେଳାଳି ଅନେକ ଶିଖିବାକୁ ପାଇବେ । ଭାରତର ପଲା ଭାରି ରହିଥିଲେ ହେଁ ଏକାଦଶରେ ପରିବର୍ତ୍ତନ ହେବା ଏକ ପ୍ରକାର ନିଶ୍ଚିତ । କିଛି ଯୁବ ଖେଳାଳିଙ୍କୁ ସୁଯୋଗ ଦେବାର ସମୟ ଆସିଛି । ବିଶେଷ କରି ଓପନର ଋତୁରାଜ ଗାଏକୱାଡ୍‌ଙ୍କୁ ଏକ ମ୍ୟାଚ୍‌ ଖେଳାଇବାର ଆବଶ୍ୟକତା ରହିଛି । ସେ ଆଜିର ମ୍ୟାଚ୍‌ରେ ସୁଯୋଗ ପାଇଲେ ଶିଖର ଧାୱନଙ୍କୁ ବିଶ୍ରାମ ମିଳିବ । ପେସ୍‌ ବୋଲର ଅଭେଶ ଖାନ ଏକାଦଶକୁ ଫେରିବା ଆଶା କରାଯାଉଛି । ଜିମ୍ବାୱେ ଦଳ ଶ୍ରେଷ୍ଠ ଏକାଦଶ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ । ଫର୍ମରେ ଥିବା ସିକନ୍ଦର ରାଜାଙ୍କ ବ୍ୟାଟ୍‌ରୁ ଏକ ଉପଯୋଗୀ ଇନିଂସ ଆଶା କରାଯାଇପାରେ । ସେହିପରି ଅଧିନାୟକ ରେଗିସ ଚକାଭା ଓ ସିନ ୱିଲିୟମ୍ସ ଦକ୍ଷତା ମୁତାବକ ପ୍ରଦର୍ଶନ କଲେ ଜିମ୍ବାୱେ ଲଢୁଆ ସ୍କୋର ସଂଗ୍ରହ କରିବ । ହାରାରେ ସ୍ପୋର୍ଟ୍ସ କ୍ଲବ୍‌ ପିଚ୍‌ ପ୍ରାରମ୍ଭରୁ ପେସ୍‌ ବୋଲରଙ୍କୁ ସହାୟତା କରୁଛି । ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ସ୍ୱାଭାବିକ । କ୍ରିଜ୍‌ରେ ଜମି ରହିଲେ ବ୍ୟାଟରମ୍ୟାନ ସହଜରେ ରନ୍‌ ସଂଗ୍ରହ କରିବେ ।

ଭାରତ: ଶିଖର ଧାୱନ, ଶୁଭମନ ଗିଲ୍‌, ଋତୁରାଜ ଗାଏକୱାଡ୍‌, ଲୋକେଶ ରାହୁଲ(ଅଧିନାୟକ), ସଞ୍ଜୁ ସାମସନ/ଇଶାନ କିଷନ, ଦୀପକ ହୁଡ଼ା, ଅକ୍ଷର ପଟେଲ, ସର୍ଦୁଲ ଠାକୁର/ଦୀପକ ଚହର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା/ଅଭେଶ ଖାନ ।

ଜିମ୍ବାୱେ: ତାକୁଡନାଶେ କାଇଟାନୋ, ତଡିବନାଶୋ ମାରୁମାନି, ଇନୋସେଣ୍ଟ କାଇଆ, ୱେସଲି ମଧେବୀରେ, ସିକନ୍ଦର ରାଜା, ରେଜିସ ଚକାବା(ଅଧିନାୟକ), ରିୟାନ ବର୍ଲ/ ଟୋନି ମୁନୟୋଙ୍ଗା, ଲ୍ୟୁକ ଜଙ୍ଗୱେ, ବ୍ରାଡ୍‌ ଏବନ୍ସ, ଭିକ୍ଟର ନ୍ୟାଓଜି, ଟନକା ଚିବାଙ୍ଗା ।

Exit mobile version