Site icon ଆଜିକାଲି

ଭାରତର ଦମଦାର୍ ବିଜୟ, ୭ ଓ୍ବିକେଟରେ ହାରିଲା ପାକିସ୍ତାନ

ଅହମ୍ମଦାବାଦ: ବୋଲରଙ୍କ ଘାତକ ବୋଲିଂ ପରେ ଅଧିନାୟକ ରୋହିତ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂରେ ପାକିସ୍ତାନ ଧରାଶାୟୀ। ଉଭୟ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ଭାରତ ବିଶ୍ଵକପ୍ ୨୦୨୩ର ମହାମୁକାବିଲାରେ ପାକିସ୍ତାନକୁ ୭ ଓ୍ଵିକେଟ୍‌ରେ ହରାଇଛି। ଏହି ସହଜ ବିଜୟ ସହ ଭାରତ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଏହା ସହିତ ବିଶ୍ଵକପରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ଧାରା ଅବ୍ୟାହତ ରହିଛି। ଅନ୍ୟପଟେ ପାକିସ୍ତାନ ବିଶ୍ଵକପରେ ପ୍ରଥମ ପରାଜୟ ଭୋଗିଛି।

ଏହି ମ୍ୟାଚରେ ପାକିସ୍ତାନ ଭାରତ ଆଗରେ ୧୯୨ ରନର ଲକ୍ଷ୍ୟ ରଖିଥିଲା । ଏହି ଲକ୍ଷ୍ୟକୁ ଭାରତ ୪୩ ତମ ଓଭରରେ ୩ଟି ଓ୍ବିକେଟ ହରାଇ ହାସଲ କରି ନେଇଥିଲା । ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଅଧିନାୟକ ରୋହିତ ଶର୍ମା । ସେ ୬୩ଟି ବଲରୁ ୬ ଛକା, ୬ ଚୌକା ସହ ୮୬ ରନ କରିଥିଲେ । ଶ୍ରେୟସ ଆୟର ଅପରାଜିତ ଅର୍ଦ୍ଧଶତକ (୫୩ ରନ) ହାସଲ କରି ଦଳ ପାଇଁ ବିଜୟ ଆଣିଦେଇଥିଲେ ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ଏହି ନିଷ୍ପତ୍ତିକୁ ଅନେକ ବିଶେଷଜ୍ଞ ପ୍ରଶ୍ନ ଉଠାଇଥିଲେ ବି ଭାରତୀୟ ବୋଲରମାନେ ତାହାକୁ ଠିକ ବୋଲି ପ୍ରମାଣିତ କରି ଗୋଟିକ ପରେ ଗୋଟିଏ ଓ୍ବିକେଟ ନେଇଚାଲିଥିଲେ । ପାକିସ୍ତାନର ଆଗଧାଡ଼ିର ୪ ଜଣ ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । ବିଶେଷକରି ବାବର ଆଜମ୍ ଓ ମହମ୍ମଦ ରିଜଓ୍ବାନ ଲଢୁଆ ବ୍ୟାଟିଂ କରି ଏକ ଭଲ ପାର୍ଟନରସିପ କରି ଭାରତୀୟ ଶିବିରରେ ଚିନ୍ତା ଉଦ୍ରେକ କରାଇଥିଲେ । ବାବର ୫୦ ରନ କରିଥିବାବେଳେ ରିଜଓ୍ବାନ ୪୯ ରନ କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ସ୍ଥିତି ବଦଳିଯାଇଥିଲା । ଭାରତୀୟ ବୋଲରମାନେ ଘାତକ ବୋଲିଂ ଫଳରେ ପାକିସ୍ତାନର ମଧ୍ୟକ୍ରମ ଓ ନିମ୍ନକ୍ରମ ଭୁସୁଡ଼ି ପଡ଼ିଥିଲା ଓ ପାକିସ୍ତାନ ୧୯୧ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ,କୁଳଦୀପ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଦେଜା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

Exit mobile version