ଇନ୍ଦୋର: ଶୁଭମନ ଗିଲ୍ ଓ ଶ୍ରେୟସ ଆୟରଙ୍କ ଶତକ ପରେ ବୋଲରଙ୍କ ଶାଣିତ ବୋଲିଂ ବଳରେ ଭାରତ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳା ଯାଇଥିବା ଦ୍ଵିତୀୟ ଦିନିକିଆରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି। ଡକ୍ ଓ୍ଵର୍ଥ ଲୁଇସ୍ ନିୟମରେ ଦ୍ଵିତୀୟ ମ୍ୟାଚ୍କୁ ୯୯ ରନରେ ଜିତି ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ୨-୦ରେ କବଜା କରିଛି।
ଆଜି ପ୍ରଥମ ପାଳିରେ ଭାରତୀୟ ବ୍ୟାଟରମାନେ ଅଷ୍ଟ୍ରେଲିଆ ବିପକ୍ଷରେ ବିସ୍ପୋରକ ବ୍ୟାଟିଂ କରିଥିଲେ। ଉଦୟମାନ ବ୍ୟାଟର ଶୁବମନ୍ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ ଓ କେଏଲ୍ ରାହୁଲ କଙ୍ଗାରୁ ଦଳର ବୋଲରଙ୍କୁ ନିରାଶ କରିଥିଲେ। ଶ୍ରେୟସ ଓ ଶୁବମନ ଗିଲ ଶତକ ହାସଲ କରିବା ସହିତ ୨୦୦ ରନ୍ର ଭାଗିଦାରୀ ହୋଇ ପାରିଥିଲେ। ସୂର୍ଯ୍ୟକୁମାର ଯାଦବ ଓ କେଏଲ୍ ରାହୁଲ ବ୍ୟକ୍ତିଗତ ଭାବେ ଅର୍ଦ୍ଧଶତକ ରନ ସଂଗ୍ରହ କରିଥିଲେ। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ୱିକେଟ୍ ହରାଇ ୩୯୯ ରନ୍ ସଂଗ୍ରହ କରିଥିଲା। କିନ୍ତୁ ଦ୍ବିତୀୟ ପାଳିରେ ଅଷ୍ଟ୍ରେଲିଆ ବ୍ୟାଟିଂ କରୁଥିବା ବେଳେ ବର୍ଷା ଦାଉ ସାଜିଥିଲା। ଫଳରେ ଡିଏଲଏସ୍ ମାଧ୍ୟମରେ ଅଷ୍ଟ୍ରେଲିଆକୁ ୩୩ ଓଭରରେ ୩୧୭ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା। କିନ୍ତୁ କଙ୍ଗାରୁ ଦଳ ୨୮.୨ ଓଭରରେ ସମସ୍ତ ୱିକେଟ ହରାଇ ୨୧୭ ରନ୍ ସଂଗ୍ରହ କରିପାରିଥିଲା।