Site icon ଆଜିକାଲି

ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ପ୍ରଥମେ ବୋଲିଂ କରିବ ଜିମ୍ବାୱେ

ମେଲବର୍ଣ୍ଣ : ଚଳିତ ଟି-୨୦ ବିଶ୍ୱକପ୍‌ରେ ରବିବାର ଶେଷ ଲିଗ୍‌ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ ଭାରତ ଓ ଜିମ୍ବାୱେ । ୩ଟି ବିଜୟ ସହ ୬ ପଏଣ୍ଟ ହାସଲ କରିସାରିଥିବା ଭାରତ ବିଜୟ ହାସଲ କରି ଗ୍ରୁପ୍‌-୨ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ ସହ ସେମିରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ଏହି ପରିପ୍ରେକ୍ଷୀରେ ପଡିଥିବା ଟସ ଜିତ ଜିମ୍ବାୱେ ବିପକ୍ଷରେ ଭାରତର ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବୋଲିଂ କରିବ ଜିମ୍ବାୱେ।

ଭାରତ ତୁଳନାରେ ଜିମ୍ବାୱେ ଅପେକ୍ଷାକୃତ ଦୁର୍ବଳ ହେଲେ ମଧ୍ୟ ବିପର୍ଯ୍ୟୟ ଘଟାଇବାର କ୍ଷମତା ରହିଛି । ପୂର୍ବରୁ ଲିଗ୍‌ ପର୍ଯ୍ୟାୟରେ ପାକିସ୍ତାନକୁ ହରାଇ ସାରିଛି ଜିମ୍ବାୱେ । ଶୃଙ୍ଖଳିତ ପ୍ରଦର୍ଶନ ଓ ଚମତ୍କାର ଫିଲ୍ଡିଂ ଦକ୍ଷତାକୁ ନେଇ ଜିମ୍ବାୱେ ଏଥର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ପ୍ରତି ମ୍ୟାଚ୍‌ରେ ଲଢୁଆ ଖେଳ ପ୍ରଦର୍ଶନ କରିଛି । ଅବଶ୍ୟ ସେମି ଫାଇନାଲ୍‌ ଆଶା ନଥିଲେ ବି ଭାରତ ପାଇଁ ଚିନ୍ତା ସୃଷ୍ଟି କରିବାକୁ ଜିମ୍ବାୱେ ମନୋବଳ ଏକଜୁଟ କରିଛି ।

ଭାରତୀୟ ଦଳ ଶକ୍ତିଶାଳୀ ଓ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି । ତଥାପି ଦୁର୍ବଳ ଦଳ ବିପକ୍ଷରେ ଆଧିପତ୍ୟ ଜାହିର କରିନପାରିବା ଟିମ୍‌ ଇଣ୍ଡିଆ ପାଇଁ ଚିନ୍ତାର କାରଣ ହୋଇଛି । ନେଦରଲାଣ୍ଡ୍‌ସ ଓ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଭାରତକୁ ସଂଘର୍ଷ କରିବାକୁ ପଡ଼ିଥିଲା । ୪ଟି ମ୍ୟାଚ୍‌ରୁ ୩ଟି ବିଜୟ ସତ୍ତେ୍ୱ ଦଳରେ ଛୋଟ ମୋଟ ତ୍ରୁଟି ରହିଯାଉଛି । ଜିମ୍ବାୱେ ବିପକ୍ଷରେ ପୂର୍ଣ୍ଣ ଆଧିପତ୍ୟ ସହ ବିଜୟ ହାସଲ କଲେ ସମର୍ଥକ ଆଶ୍ୱସ୍ତ ହୋଇପାରିବେ ।

ତେବେ ପଏଣ୍ଟ ତାଲିକାକୁ ଦେଖିଲେ ସେମି ଫାଇନାଲ୍‌ ପାଇଁ କେବଳ ବିଜୟ ଆବଶ୍ୟକ । ବଡ ବ୍ୟବଧାନ ବିଜୟର ଆବଶ୍ୟକତା ନାହିଁ । ତଥାପି ଆଜିର ମ୍ୟାଚ୍‌ରେ ଓପନିଂ ବିଫଳତା ଦୂର କରିବା ମୁଖ୍ୟ କାର୍ଯ୍ୟ ହେବ । କେଏଲ ରାହୁଲ ଓ ରୋହିତ ଶର୍ମାଙ୍କ ନିକଟରୁ ଅର୍ଦ୍ଧଶତକୀୟ ଭାଗିଦାରୀ ଆବଶ୍ୟକ । ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ଚର୍ଚ୍ଚାର ବିଷୟ ରହିଥିଲେ ହେଁ ନିମ୍ନ ଭାଗ ବ୍ୟାଟରମାନେ ଏପର୍ଯ୍ୟନ୍ତ ଦକ୍ଷତା ଦେଖାଇନାହାନ୍ତି । ସେମିରେ ପହଞ୍ଚିବା ପୂର୍ବରୁ ଭାରତକୁ ଏସବୁ ତ୍ରୁଟି ସୁଧାରିବାକୁ ହେବ ।

ଭାରତ : କେଏଲ୍‌ ରାହୁଲ, ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ, ଆର ଅଶ୍ୱିନ, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ଅର୍ଶଦୀପ ସିଂହ ।

ଜିମ୍ବାୱେ : ୱେସଲି ମଧେବିରେ, କ୍ରେଗ ଇରୱିନ(ଅଧିନାୟକ), ରେଗିସ ଚକଭା, ସିନ ୱିଲିୟମ୍ସ, ସିକନ୍ଦର ରାଜା, ମିଲଟନ ସୁମ୍ଭା, ର‌୍ୟାନ ବର୍ଲ, ଲ୍ୟୁକ ଜୋଙ୍ଗୱେ, ରିଚାର୍ଡ ନଗରଭା, ତେଣ୍ଡାଇ ଚତାରା, ବ୍ଲେସିଂ ମୁଜରବାନି ।

Exit mobile version