Site icon ଆଜିକାଲି

ଆଜି ମହାକାଶକୁ ଯିବେ ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍‌ସ

ୱାସିଂଟନ: ବୋଇଙ୍ଗ୍ ଷ୍ଟାରଲାଇନର ପ୍ରଥମ ମାନବ ମହାକାଶ ଯାତ୍ରା ପାଇଁ ପାଗ ଭିଡ଼ୁଥିବା ବେଳେ ଏଥିରେ ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍‌ସ ମଙ୍ଗଳବାର ମହାକାଶକୁ ଯିବେ ବୋଲି ଜଣାପଡ଼ିଛି। ୫୮ ବର୍ଷୀୟ ୱିଲିୟମ୍‌ସ ନାସାର ମହାକାଶଚାରୀ ବ୍ୟାରି ‘ବୁଚ୍’ ୱିଲମୋର (୬୧)ଙ୍କ ସହ ଷ୍ଟାରଲାଇନରର ପ୍ରଥମ କ୍ରୁ ଫ୍ଲାଇଟ୍ ଟେଷ୍ଟ (ସିଏଫ୍‌ଟି) ଅଭିଯାନରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍‌ଏସ୍‌)କୁ ଯିବେ। ମେ ୬ ତାରିଖରେ ଏହାର ଉଡ଼ାଣ ହେବାକୁ ଥିବା ବେଳେ ଭାରତରୁ ଦେଖିଲେ ଭାରତୀୟ ସମୟ ମେ ୭ ତାରିଖ ସକାଳ ୮ଟା ୪ରେ ଏହାର ଲଞ୍ଚ୍ କରାଯିବ। ଫ୍ଲୋରିଡାର କେପ୍ କାନାବେରାଲ ସ୍ପେସ୍ ଫୋର୍ସ ଷ୍ଟେସନରୁ ୟୁନାଇଟେଡ ଲଞ୍ଚ ଆଲାଏନ୍ସ ଆଟଲାସ ଭି ରକେଟ ଉପରେ ଏହି ଦୁଇଜଣ ଯାତ୍ରୀ ମହାକାଶକୁ ଯିବେ।

ଏହି ଐତିହାସିକ ଅଭିଯାନ ଅର୍ବିଟିଂ ଲାବୋରେଟୋରି (ଆଇଏସ୍‌ଏସ୍‌)କୁ ନିୟମିତ କ୍ରୁ ପଠାଇବା ପାଇଁ ଷ୍ଟାରଲାଇନର ସିଷ୍ଟମକୁ ସାର୍ଟିଫିକେଟ ଦେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ନାସାକୁ ସ୍ପେସ୍ ଏକ୍ସର କ୍ରୁ ଡ୍ରାଗନ୍ ସହିତ ଆଇଏସ୍‌ଏସ୍‌କୁ ମହାକାଶଚାରୀ ପରିବହନ ପାଇଁ ଦ୍ୱିତୀୟ ବିକଳ୍ପ ପ୍ରଦାନ କରିବ। ପ୍ରାୟ ଏକ ଦଶନ୍ଧି ଧରି ବାଣିଜ୍ୟିକ କ୍ରୁ ଉଡ଼ାଣ ପାଇଁ ଅପେକ୍ଷା କରିଥିବା ୱିଲିୟମ୍‌ସଙ୍କୁ ମହାକାଶଯାନ ବିକାଶରେ ତାଙ୍କର ବ୍ୟାପକ ଅଭିଜ୍ଞତା କାରଣରୁ ୨୦୧୫ରେ ପ୍ରଥମେ ଏହି କାର୍ଯ୍ୟକ୍ରମରେ ନିୟୋଜିତ କରାଯାଇଥିଲା। ପରେ ତାଙ୍କୁ ୨୦୨୨ରେ ସିଏଫ୍‌ଟି ମିସନରେ ନିୟୋଜିତ କରାଯାଇଥିଲା। ୱିଲ୍‌ମୋର ୨୦୧୯ରୁ ଏହି କାର୍ଯ୍ୟକ୍ରମ ପାଇଁ ଧାଡ଼ିରେ ଅଛନ୍ତି ଏବଂ ଅକ୍ଟୋବର ୨୦୨୦ରେ ତାଙ୍କୁ ସିଏଫ୍‌ଟି ପ୍ରାଇମ କ୍ରୁ ଭାବେ ମନୋନୀତ କରାଯାଇଥିଲା। ପାଖାପାଖି ୧୦ ଦିନର ଏହି ଅଭିଯାନରେ ୱିଲ୍‌ମୋର ଓ ୱିଲିୟମ୍‌ସ ଷ୍ଟାରଲାଇନର୍‌ର ସିଷ୍ଟମ୍ ଓ ସାମର୍ଥ୍ୟକୁ ଭଲ ଭାବରେ ପରୀକ୍ଷଣ କରିବେ, ଯାହା ମହାକାଶ ଷ୍ଟେସନକୁ କର୍ମଚାରୀ ପ୍ରେରଣ ପାଇଁ ମାର୍ଗ ପ୍ରଶସ୍ତ କରିବ।

Exit mobile version