Site icon ଆଜିକାଲି

ଭାରତୀୟ ବଂଶୋଦ୍ଭବ ଥର୍ମନ୍ ଶନମୁଗୁରତ୍ନମ୍ ହେଲେ ସିଙ୍ଗାପୁର ରାଷ୍ଟ୍ରପତି

ସିଙ୍ଗାପୁର : ସିଙ୍ଗାପୁରର ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ଅର୍ଥନୀତିଜ୍ଞ ଥର୍ମନ୍ ଶନମୁଗୁରତ୍ନମ ବହୁମତ ହାସଲ କରିଛନ୍ତି । ନିର୍ବାଚନରେ ଶନମୁଗୁରତ୍ନମ ୭୦ ପ୍ରତିଶତରୁ ଅଧିକ ଭୋଟ୍ ପାଇଛନ୍ତି। ୨୦୧୧ ପରଠାରୁ ସିଙ୍ଗାପୁରରେ ଏହା ପ୍ରଥମ ରାଷ୍ଟ୍ରପତି ନିର୍ବାଚନ ଥିଲା ଯେଉଁଥିରେ ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ହୋଇଥିଲା।

୬୬ ବର୍ଷୀୟ ଶନମୁଗୁରତ୍ନମ ପୂର୍ବରୁ ଜଣେ ବରିଷ୍ଠ ମନ୍ତ୍ରୀ ରହିଥିଲେ। ରାଷ୍ଟ୍ରପତି ନିର୍ବାଚନର ସେ ମୋଟ ୨୪.୮ ଲକ୍ଷ ଭୋଟ୍ ମଧ୍ୟରୁ ୧୭,୪୬,୪୨୭ ଭୋଟ୍ (୭୦.୪ ପ୍ରତିଶତ) ପାଇଛନ୍ତି। ଶନମୁଗୁରତ୍ନମ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କୋକ ସାଙ୍ଗ ଏବଂ ଟାନ୍ କିଏନ୍ ଲିଆନ୍ ଯଥାକ୍ରମେ ୧୫.୭୨ ପ୍ରତିଶତ ଏବଂ ୧୩.୮୮ ପ୍ରତିଶତ ଭୋଟ୍ ପାଇଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା। ଥର୍ମନ୍ ଶନମୁଗୁରତ୍ନମ ସିଙ୍ଗାପୁରରେ ଭାରତୀୟ ମୂଳର ତୃତୀୟ ରାଷ୍ଟ୍ରପତି ।

ଥର୍ମନ୍ ଶନମୁଗୁରତ୍ନମଙ୍କ ଜନ୍ମ ସିଙ୍ଗାପୁରରେ ହୋଇଥିଲା | ସେ ଜଣେ ପ୍ରସିଦ୍ଧ ଅର୍ଥନୀତିଜ୍ଞ ଏବଂ ଅନେକ ବିଭାଗର ମନ୍ତ୍ରୀ ରହିଆସିଛନ୍ତି। ସିଙ୍ଗାପୁରରେ ଜନ୍ମଗ୍ରହଣ କରିଥିବା ଶନମୁଗୁରତ୍ନମଙ୍କ ପିତା ତାମିଲ ମୂଳର ପାଥୋଲୋଜିଷ୍ଟ ହୋଇଥିବାବେଳେ ତାଙ୍କ ମା ଚାଇନିଜ ବଂଶୋଦ୍ଭବ ଅଟନ୍ତି। ସେ ଇଂରାଜୀ, ତାମିଲ, ମାଳୟ ଏବଂ ମାଣ୍ଡାରିନ୍ ଭାଷା ଜାଣନ୍ତି । ସେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରୁ ସ୍ନାତକ ଏବଂ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି।

Exit mobile version