Site icon ଆଜିକାଲି

ଋଷିଆରେ ପଢିପାରିବେ ୟୁକ୍ରେନ ଫେରନ୍ତା ଭାରତୀୟ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଋଷିଆରେ ପଢିପାରିବେ ୟୁକ୍ରେନ ଫେରନ୍ତା ଭାରତୀୟ । ଯୁଦ୍ଧ ଯୋଗୁଁ ୟୁକ୍ରେନ ଛାଡିଥିବା ପ୍ରବାସୀ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ଅଫର ଦେଇଛି ଋଷିଆ । ଡାକ୍ତରୀ ଛାତ୍ରଛାତ୍ରୀ ଚାହିଁଲେ ଋଷିଆରେ ନିଜର ଶିକ୍ଷା ପୁରା କରିପାରିବେ । କାରଣ ଋଷିଆର ମେଡିକାଲ ସିଲାବସ୍ ୟୁକ୍ରେନ ସିଲାବସ୍ ସହ ପ୍ରାୟତଃ ସମାନ । ୟୁକ୍ରେନର ଅଧିକାଂଶ ଲୋକ ଋଷୀୟ ଭାଷାରେ କଥା ହୁଅନ୍ତି । ସେଥିପାଇଁ ଛାତ୍ରଛାତ୍ରୀ ମଧ୍ୟ ଏହି ଭାଷା ଜାଣନ୍ତି । ତେଣୁ ୟୁକ୍ରେନରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଋଷିଆରେ ପଢିବା ପାଇଁ ସ୍ବାଗତ କରାଯିବ । ଚେନ୍ନାଇରେ ଥିବା ଋଷିଆର ବାଣିଜ୍ୟିକ ରାଷ୍ଟ୍ରଦୂତ ଓଲେଗ ଅବଦୀବ ଏହିକଥା କହିଛନ୍ତି ।

ଚଳିତ ବର୍ଷ ଫେବୃୟାରୀରୁ ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ସ୍ଥିତି ଲାଗି ରହିଛି । ଏହାଯୋଗୁଁ ଯୁଦ୍ଧଗ୍ରସ୍ତ ଦେଶରେ ପାଠ ପଢୁଥିବା ହଜାର ହଜାର ଭାରତୀୟ ଛାତ୍ରଙ୍କ କ୍ୟାରିୟର ବଳି ପଡିଯାଇଛି । ଯୁଦ୍ଧରୁ ପ୍ରାଣ ବଞ୍ଚାଇବା ପାଇଁ ଶତାଧିକ ଡାକ୍ତରୀ ଛାତ୍ରଛାତ୍ରୀ ସ୍ବଦେଶ ଫେରିଆସିଛନ୍ତି । ହେଲେ ଭାରତରେ ପଢିବାର ସୁଯୋଗ ପାଉନାହାଁନ୍ତି । ନିଜର ଭବିଷ୍ୟତ ନେଇ ଏହି ଛାତ୍ରଛାତ୍ରୀ ଚିନ୍ତାରେ ଥିବାବେଳେ ଋଷିଆରେ ନିଜର ମେଡିକାଲ ଶିକ୍ଷା ପୁରା କରିବାକୁ ସୁଯୋଗ ମିଳିଛି । ଏ ସମ୍ପର୍କରେ ଚେନ୍ନାଇରେ ଋଷିଆର ବାଣିଜ୍ୟିକ ରାଷ୍ଟ୍ରଦୂତ ଜଣାଇଛନ୍ତି ।

ତେବେ ଋଷିଆର ତୈଳ ରପ୍ତାନୀ ସମ୍ପର୍କିତ ପ୍ରଶ୍ନରେ ଓଲେଗ ଅବଦୀବ କହିଛନ୍ତି, ”ଚଳିତ ବର୍ଷ ଆରମ୍ଭରୁ ଋଷିଆର ତୈଳ ରପ୍ତାନୀ ୨ ପ୍ରତିଶତରୁ ୨୨ ପ୍ରତିଶତକୁ ବୃଦ୍ଧି ପାଇଛି । ଋଷିଆ ଇରାକ ଓ ସାଉଦି ଆରବ ଭଳି ବୃହତ୍ ତୈଳ ଉତ୍ପାଦନକାରୀ ରାଷ୍ଟ୍ରର ଅନ୍ୟତମ ବିକଳ୍ପ ଭାବେ ଉଭା ହୋଇଛି ।” ଏହାସହିତ ଋଷିଆରୁ ଭାରତର ତୈଳ ଆମଦାନୀ ପ୍ରସଙ୍ଗରେ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କ ଟିପ୍ପଣୀକୁ ଋଷୀୟ ରାଷ୍ଟ୍ରଦୂତ ପ୍ରଶଂସା କରିଛନ୍ତି । ଭାରତର ସରକାର ଜଣେ ଦାୟିତ୍ବବାନ ସରକାର ଏବଂ ନିଜ ଉପଭୋକ୍ତାଙ୍କ ସ୍ବାର୍ଥକୁ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଋଷିଆରୁ ତୈଳ ଆଣିବା ପ୍ରସଙ୍ଗରେ ଜୟଶଙ୍କର କହିଥିଲେ ।

Exit mobile version