Site icon ଆଜିକାଲି

କୂଟନୈତିକ ତିକ୍ତତା ମଧ୍ୟରେ କାନାଡାରେ ଭିସା ସେବା ବନ୍ଦ କଲା ଭାରତ

ନୂଆଦିଲ୍ଲୀ: ଦୁଇ ଦେଶ ମଧ୍ୟରେ କୂଟନୈତିକ ତିକ୍ତତା ମଧ୍ୟରେ ଭାରତ କାନାଡାରେ ଭିସା ସେବା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛି । କାନାଡ଼ାରେ ଭିସା ସେବା ବନ୍ଦ ପାଇଁ ପରିଚାଳନାଗତ କାରଣ ଦର୍ଶାଯାଇଛି।

କାନାଡାର ଭାରତୀୟ ଭିସା ସେଣ୍ଟର ୱେବସାଇଟରେ ସୂଚନା ଅନୁଯାୟୀ, ପରିଚାଳନାଗତ କାରଣରୁ ଭାରତୀୟ ଭିସା ସେବା ୨୧ ସେପ୍ଟେମ୍ବର ୨୦୨୩ରୁ ପରବର୍ତ୍ତୀ ନୋଟିସ୍ ପର୍ଯ୍ୟନ୍ତ ବନ୍ଦ ରହିବ। ଅଧିକ ଅପଡେଟ୍ ପାଇଁ ବିଏଲ୍ଏସ୍ ୱେବସାଇଟ୍ ଯାଞ୍ଚ କରିବାକୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଖଲିସ୍ତାନୀ ନେତା ହାର୍ଦ୍ଦିକ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ୟରେ ସମ୍ପ୍ରତି କୂଟନୈତିକ ତିକ୍ତତା ଦେଖାଦେଇଛି । ଭାରତରେ ମୋଷ୍ଟ ଓ୍ବାଣ୍ଟେଡ୍ ଥିବା ନିଜ୍ଜରଙ୍କୁ ଚଳିତ ବର୍ଷ ଜୁନରେ କାନାଡ଼ାର ବ୍ରିଟିଶ କଲମ୍ବିଆରେ ଏକ ଗୁରୁଦ୍ୱାର ବାହାରେ ଗୁଳିକରି ହତ୍ୟା କରାଯାଇଥିଲା। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ୍ଜରଙ୍କ ହତ୍ୟାରେ ଭାରତୀୟ ଗୁଇନ୍ଦା ସଂସ୍ଥାର ହାତ ଥିବା ଅଭିଯୋଗ କରିଥିଲେ । ଟ୍ରୁଡୋଙ୍କ ଏହି ଅଭିଯୋଗକୁ ଭାରତ ଭିତ୍ତିହୀନ ବୋଲି ଖଣ୍ଡନ କରିଥିଲା । ନିଜ୍ଜର ଖଲିସ୍ତାନ ଟାଇଗର ଫୋର୍ସ (କେଟିଏଫ) ନାମକ ସଂସ୍ଥାର ମୁଖ୍ୟ ଥିଲେ।

ଏହି ପ୍ରସଙ୍ଗରେ କାନାଡା ପୂର୍ବରୁ ଜଣେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା। ଭାରତ ମଧ୍ୟ ଯେସାକୁ ତେସା ନୀତିରେ କାନାଡାର ଜଣେ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା।

Exit mobile version