Site icon ଆଜିକାଲି

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିପାରିଲାନି ଭାରତୀୟ ମହିଳା ହକି ଟିମ୍

ରାଞ୍ଚି: ଭାରତୀୟ ମହିଳା ହକି ଦଳ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛି। ଏଫଆଇଏଚ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟରେ ତୃତୀୟ ଓ ଚତୁର୍ଥ ସ୍ଥାନ ମ୍ୟାଚରେ ଭାରତ ଶୁକ୍ରବାର ଜାପାନ ଠାରୁ ୧-୦ରେ ପରାସ୍ତ ହୋଇ ପ୍ୟାରିସ୍ ଅଲିମ୍ପିକ୍ସ ଟିକେଟରୁ ବଞ୍ଚିତ ହୋଇଛି ।

ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ଚତୁର୍ଥ ସ୍ଥାନ ପରେ ଭାରତୀୟ ମହିଳା ହକି ଦଳ ପ୍ୟାରିସ୍ ଅଲିମ୍ପିକ୍ସରେ ପଦକ ଜିତିବ ବୋଲି ପ୍ରଶଂସକମାନେ ଆଶା ବାନ୍ଧିଥିଲେ । ହେଲେ ଭାରତୀୟ ଦଳ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିନପାରିବା ସେମାନଙ୍କୁ ନିରାଶ କରିଛି ।

ଷଷ୍ଠ ମିନିଟରେ ପେନାଲ୍ଟି କର୍ଣ୍ଣରରୁ କାନା ଉରାଟା ଜାପାନ ପାଇଁ ଗୋଲ୍ ଦେଇଥିଲେ। ଜାପାନ ଏହି ଅଗ୍ରଣୀ ଶେଷ ମିନିଟ ପର୍ଯ୍ୟନ୍ତ ବଜାୟ ରଖିଥିଲାବେଳେ ଭାରତୀୟ ଦଳ ଗୋଟିଏ ବି ଗୋଲ୍ ସ୍କୋର କରିପାରିନଥିଲା ।

ଏହି ମ୍ୟାଚରେ ଭାରତ ୯ଟି ପେନାଲ୍ଟି କର୍ଣ୍ଣର ପାଇଥିଲା । ତେବେ ଦଳ‌ ଗୋଟିଏ ବି ଗୋଲରେ ରୂପାନ୍ତର କରିପାରି ନଥିଲା। ଆମେରିକା ଏବଂ ଜର୍ମାନୀ ଫାଇନାଲରେ ପ୍ରବେଶ କରି ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି।

Exit mobile version