Site icon ଆଜିକାଲି

ବାଂଲାଦେଶକୁ ୧୦ ୱିକେଟରେ ହରାଇ ଏସିଆ କପ୍‌ ଫାଇନାଲରେ ଭାରତୀୟ ମହିଳା ଦଳ

ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ଚାଲିଥିବା ଏସିଆ କପ୍‌ର ଫାଇନାଲରେ ପହଞ୍ଚିଯାଇଛି ଭାରତୀୟ ମହିଳା ଦଳ। ଆଜି ଖେଳା ଯାଇଥିବା ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ରେ ବାଂଲାଦେଶକୁ ୧୦ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତ। ୪ ଓଭରରେ ୧୦ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା ରେଣୁକା ସିଂହଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ପୁରସ୍କାର ଦିଆଯାଇଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୮୦ ରନ୍ କରିବାକୁ ସକ୍ଷମ ହୋଇଥିଲା। ୮୧ ରନ୍‌ର ବିଜୟ ଲକ୍ଷ୍ୟକୁ କୌଣସି ୱିକେଟ ନହରାଇ ୧୧ ଓଭରରେ ହାସଲ କରି ନେଇଥିଲା ଭାରତୀୟ ମହିଳା ଦଳ। ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା ଯଥାକ୍ରମେ ୫୫ ଓ ୨୬ ରନ୍ କରି ଅପରାଜିତ ରହିଥିଲେ। ମନ୍ଧାନା ୩୯ଟି ବଲ୍‌ରୁ ୯ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୫ ରନ୍ କରିଥିବା ବେଳେ ଶେଫାଳି ବର୍ମା ୨୮ଟି ବଲ୍‌ରୁ ୨ଟି ଚୌକା ସହାୟତାରେ ୨୬ ରନ୍ କରିଥିଲେ। ବାଂଲାଦେଶର କୌଣସି ବୋଲରଙ୍କୁ ସଫଳତା ମିଳି ନଥିଲା। ସେମାନଙ୍କ ମଧ୍ୟରୁ କେହି ଭାରତର ଏହି ଓପନିଂ ଯୋଡ଼ିଙ୍କୁ ଭାଙ୍ଗି ପାରି ନଥିଲେ।

ଅନ୍ୟପକ୍ଷରେ ବାଂଲାଦେଶ ତରଫରୁ ଅଧିନାୟିକା ନିଗାର ସୁଲତାନା ଓ ଶୋରନା ଅଖତରଙ୍କୁ ଛାଡ଼ି ବ୍ୟାଟିଂ କରିବାକୁ ଆସିଥିବା ଅନ୍ୟ ୬ ଜଣ ବ୍ୟାଟର ଏକ ଅଙ୍କ ପାର କରି ପାରି ନଥିଲେ। ନିଗାର ସୁଲତାନା ୫୧ଟି ବଲ୍‌ରୁ ୩୨ ନ୍ କରିଥିବା ବେଳେ ଶୋରନା ଅଖତର ୧୮ଟି ବଲ୍‌ରୁ ୧୯ ରନ୍ କରିଥିଲେ। ବ୍ୟାଟିଂ କରିବାକୁ ଆସିଥିବା ଅନ୍ୟ ୬ ଜଣ ୬, ୪, ୮,୧,୧ ଓ ୫ ରନ୍ କରିଥିଲେ। ନାହିଦା ଅଖତର ଖାତା ଖୋଲି ପାରି ନଥିବା ବେଳେ ଶୋରନା ଅଖତର ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ରେଣୁକା ସିଂହ ଓ ରାଧା ଯାଦବ ଭଲ ପ୍ରଦର୍ଶନ କରିଥିଲେ। ଉଭୟ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ପୂଜା ବସ୍ତ୍ରକାର ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

Exit mobile version