Site icon ଆଜିକାଲି

୨୦ ବର୍ଷରୁ କମ୍‌ ବିଶ୍ୱ ରେସଲିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଲେ ଭାରତୀୟ ମହିଳା ରେସଲର ଅନ୍ତିମ ପଂଘଲ

ନୂଆଦିଲ୍ଲୀ : ଇତିହାସ ରଚିଲେ ଭାରତୀୟ ମହିଳା ରେସଲର ଅନ୍ତିମ ପଂଘଲ। ବୁଲଗାରିଆର ରାଜଧାନୀ ସୋଫିଆ ଠାରେ ଅନୁଷ୍ଠିତ ୨୦ ବର୍ଷରୁ କମ ବିଶ୍ୱ ରେସଲିଂ ଚାମ୍ପିଅନଶିପରେ ୫୩ କେଜି କ୍ୟାଟୋଗୋରୀ ଫାଇନାଲରେ କାଜାଖସ୍ତାନର ଆତଲିନ ଶାଗାୟେଭାଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଲେ ଅନ୍ତିମ । ୨୦ ବର୍ଷରୁ କମ ବିଶ୍ୱ ରେସଲିଂ ଚାମ୍ପିଅନସିପର ୩୪ ବର୍ଷ ଇତିହାସରେ ଆଜି ସୁଦ୍ଧା ଭାରତର କୌଣସି ମହିଳା ରେସଲର ଏହି ସଫଳତା ହାସଲ କରି ପାରି ନ ଥିଲେ ।

ହରିୟାଣାର ହିସାର ଜିଲ୍ଲା ଅନ୍ତର୍ଗତ ଭାଗନା ଗ୍ରାମରେ ଜନ୍ମ ଗ୍ରହଣ କରି ଥିବା ୧୭ ବର୍ଷୀୟା ଅନ୍ତିମ ଏହି ବିଶ୍ୱ ଚାମ୍ପିଅନଶି ର ସମସ୍ତ ଲଢ଼େଇରେ ବିଜୟୀ ହୋଇ ଥିଲେ । ପ୍ରଥମ ମୁକାବିଲାରେ ୟୁରୋପୀୟାନ ଚାମ୍ପିଅନ ଓଲିଭା ଆଣ୍ଡରିକଙ୍କୁ ୧୧-୦ରେ ପରାସ୍ତ କରିବା ପରେ କ୍ୱାଟରଫାଇନାଲରେ ଜାପାନର ଆୟାକା କିମୁରା ଓ ସେମିଫାଇନାଲରେ ୟୁକ୍ରେନର ନାତାଲିଆ କିଭଚୂକାଙ୍କ ବିରୋଧରେ ୧୧-୨ ବିଜୟ ହାସଲ କରି ଥିଲେ । ଭାରତୀୟ ମହିଳା କବାଡି ଦଳର ଅନ୍ୟତମ ସଦସ୍ୟା ତଥା ବଡ ଭଉଣୀ ସରିତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ରେସଲିଂ ପ୍ରତି ଆଗ୍ରହ ସୃଷ୍ଟି କରି ଥିବା ଅନ୍ତିମ ପଂଘଲ କହିଛନ୍ତି ଯେ ୨୦ ବର୍ଷରୁ କମ ବିଶ୍ୱ ରେସଲିଂ ଚାମ୍ପିଅନଶି ରେ ପ୍ରଥମ ଭାରତୀୟ ମହିଳା ରେସଲର ଭାବେ ସ୍ୱର୍ଣ୍ଣ ପଦକ ଜିତି ନିଜକୁ ଅତି ଗର୍ବ ଅନୁଭବ କରୁଛି । ସେହି ରି ଆଗାମୀ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିବା ପରବର୍ତ୍ତୀ ଲକ୍ଷ୍ୟ ବୋଲି ଅନ୍ତିମ କହିଛନ୍ତି ।

ସେହିପରି ଭାରତର ଅନ୍ୟତମ ମହିଳା ରେସଲର ସୋନାମ ମଲିକ ଓ ପ୍ରିୟଙ୍କା ଚଳିତ ୨୦ ବର୍ଷରୁ କମ ବିଶ୍ୱ ରେସଲିଂ ଚାମ୍ପିଅନଶି ର ୬୨ ଓ ୬୫ କେଜି କ୍ୟାଟେଗୋରରେ ରୌପ୍ୟ ଓ ରିତିକା ଏବଂ ସିତୋ ୭୨ ଓ ୫୭ କେଜି କ୍ୟାଟେଗୋରୀରେ ବ୍ରୋଞ୍ଜ ପଦକ ଅକ୍ତିଆର କରିଛନ୍ତି । ଏହି ଚାମ୍ପିଅନଶି ରେ ଭାରତୀୟ ଫୁରୁଷ ଫ୍ରିଷ୍ଟାଇଲ ରେସଲର ଗୋଟିଏ ରୌପ୍ୟ ଓ ୬ ବ୍ରୋଞ୍ଜ ପଦକ ପାଇ ଥିବା ବେଳେ ମହିଳା ରେସଲର ୧ ସ୍ୱର୍ଣ୍ଣ ସହିତ ୨ ରୌପ୍ୟ ,୨ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ଚାମ୍ପିଅନସିପରେ ସଫଳ ଭାରତୀୟ ଯୁବ ରେସଲରମାନେ ଆଗାମୀ ସମୟରେ ଭାରତ ପାଇଁ ଅଧିକ ସଫଳତା ଆଣିପାରିବେ ବୋଲି ଆଶା କରାଯାଉଛି ।

Exit mobile version