Site icon ଆଜିକାଲି

ଟି-୨୦ ବିଶ୍ୱକପରେ ଆଜିଠୁ ଭାରତର ଅଭିଯାନ, ଆୟର୍ଲାଣ୍ଡ ସହ ପ୍ରଥମ ମୁକାବିଲା

ନ୍ୟୁୟର୍କ: ଚଳିତ ଟି-୨୦ ବିଶ୍ୱକପରେ ଭାରତ ନିଜ ଅଭିଯାନ ବୁଧବାର ଆୟର୍ଲାଣ୍ଡ ବିପକ୍ଷରେ ଆରମ୍ଭ କରିବ। ଦୀର୍ଘ ୧୧ ବର୍ଷ ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇବା ଲକ୍ଷ୍ୟରେ ଥିବା ଭାରତ ଏଥର ସଫଳ ହେବ ବୋଲି ପ୍ରଶଂସକ ଆଶା ବାନ୍ଧିଛନ୍ତି। କ୍ୟାରିୟରର ଶେଷ ଟି-୨୦ ବିଶ୍ବକପ୍ ଖେଳୁଥିବା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରି ଷ୍ଟାର ଖେଳାଳି ମଧ୍ୟ ଆଇସିସି ଟ୍ରଫି ଧରିବାକୁ ବ୍ୟଗ୍ର। ଯଶପ୍ରୀତ୍ ବୁମ୍‌ରା ଓ ରବୀନ୍ଦ୍ର ଜାଡେଜାଙ୍କ ସମେତ ଅନ୍ୟ ସମସ୍ତ ଖେଳାଳି ଏଥ‌ିପାଇଁ ବ୍ୟଗ୍ର ଅଛନ୍ତି। ୨୦୧୩ ଚାମ୍ପିୟନ୍ସ ଟ୍ରଫି ପରଠୁ ଭାରତ କୌଣସି ଆଇସିସି ଟାଇଟଲ୍ ଜିତି ପାରିନାହିଁ। ଗତବର୍ଷ ମଧ୍ୟ ଦଳ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଠାରୁ ଦିନିକିଆ ବିଶ୍ୱକପ ଫାଇନାଲ ହାରି ଯାଇଥିଲା। ପରେ ଭାରତୀୟ ଡ୍ରେସିଂ ରୁମରେ ରୋହିତ ଶର୍ମା କାନ୍ଦୁଥିବାର ଦୃଶ୍ୟ ଟିଭିରେ ପରିଦୃଶ୍ୟ ହୋଇଥିଲା। କୋହଲି ଟୁର୍ନାମେଣ୍ଟରେ ୭୬୫ ରନ ସ୍କୋର କରିଥିଲେ ହେଁ ଅନ୍ୟମାନଙ୍କ ବିଫଳତା ଯୋଗୁ ଦଳ ଟ୍ରଫି ଜିତିପାରି ନ ଥିଲା । ୩୭ ବର୍ଷରେ ପଦାର୍ପଣ କରିଥିବାରୁ ହାକୁ ରୋହିତ ଶର୍ମାଙ୍କର ଶେଷ ବିଶ୍ୱକପ କୁହାଯାଉଛି।

୨୦୦୭ ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇଥିବା ଭାରତ ପରବର୍ତ୍ତୀ ତିନି ସଂସ୍କରଣରେ ରାଉଣ୍ଡ-୨ରୁ ବିଦାୟ ନେଇଥିଲା । ଦଳ ୨୦୧୪ରେ ରନରଅପ୍ ହୋଇଥିଲା। ୨୦୧୬ରେ ସେମିଫାଇନାଲରୁ ଏବଂ ୨୦୨୧ରେ ରାଉଣ୍ଡ ୨ରୁ ଅଭିଯାନ ଶେଷ କରିଥିଲା ଭାରତ । ୨୦୨୨ରେ ଗତ ସଂସ୍କରଣରେ ଟିମ୍ ଇଣ୍ଡିଆ ସେମିଫାଇନାଲରୁ ବିଦାୟ ନେଇଥିଲା। ଅନ୍ୟପକ୍ଷରେ ଆୟର୍ଲାଣ୍ଡ ଏପର୍ଯ୍ୟନ୍ତ ୭ଟି ସଂସ୍କରଣରେ ଖେଳିଥିଲେ ହେଁ କେବଳ ୨୦୦୯ ଓ ୨୦୨୨ରେ ଦ୍ଵିତୀୟ ରାଉଣ୍ଡ ଖେଳିବାକୁ ସକ୍ଷମ ହୋଇଛି। ଅନ୍ୟ ୫ ରାଉଣ୍ଡରେ ଦଳ ପ୍ରଥମ ରାଉଣ୍ଡରୁ ହିଁ ବିଦାୟ ନେଇଛି।

Exit mobile version