Site icon ଆଜିକାଲି

ଅଧୁରା ରହିଗଲା ଭାରତର ତୃତୀୟ ବିଶ୍ୱକପ୍‌ ବିଜୟ ସ୍ୱପ୍ନ, ଅଷ୍ଟ୍ରେଲିଆ ଷଷ୍ଠ ଥର ବିଶ୍ବ ବିଜେତା

ଅହମ୍ମଦାବାଦ: ପୁଣି ଧୂଳିସାତ୍ ହୋଇଛି ଭାରତର ବିଶ୍ବକପ ସ୍ବପ୍ନ । ଲଗାତାର ୧୦ ବିଜୟ ସହ ଫାଇନାଲରେ ପହଞ୍ଚିଥିବା ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଦଳ ୧୨ ବର୍ଷ ଅପେକ୍ଷାର ଅନ୍ତ ଘଟାଇବେ ବୋଲି ଆଶା ଥିଲା। ହେଲେ ଟାଇଟଲ୍ ଲଢ଼େଇରେ ଝୁଣ୍ଟିଛି ଭାରତ । ଅଷ୍ଟ୍ରେଲିଆ ଠାରୁ ହାରି ଭାରତ ପୁଣି ଏକ ଆଇସିସି ଇଭେଣ୍ଟରୁ ଖାଲି ହାତରେ ଫେରିଛି। ପୁଣି ଲମ୍ବିଛି ଆଇସିସି ଟ୍ରଫି ପାଇଁ ଅପେକ୍ଷା ।

ବୋଲରଙ୍କ ଶୃଙ୍ଖଳିତ ବୋଲିଂ ପରେ ଟ୍ରାଭିସ୍ ହେଡଙ୍କ ଚମତ୍କାର ଶତକ ବଳରେ ଅଷ୍ଟ୍ରେଲିଆ ଭାରତକୁ ୬ ଓ୍ବିକେଟରେ ହରାଇ ରେକର୍ଡ ଷଷ୍ଠ ଥର ପାଇଁ ବିଶ୍ବକପ୍ ଟାଇଟଲ୍ ଜିତିଛି । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଭାରତକୁ ସବୁ ବିଭାଗରେ ପଛରେ ପକାଇ ଦେଇଥିଲା ଅଷ୍ଟ୍ରେଲିଆ ‌। ୧୯୮୭, ୧୯୯୯, ୨୦୦୩, ୨୦୦୭, ୨୦୧୫ ପରେ ଏବେ ପୁଣି ବିଶ୍ବ ମୁକୁଟ ପିନ୍ଧି ନିଜ ଶ୍ରେଷ୍ଠତା ସାବ୍ୟସ୍ତ କରିଛି ଅଷ୍ଟ୍ରେଲିଆ ।

ଅଷ୍ଟ୍ରେଲିଆ କ୍ୟାପଟେନ୍ ପ୍ୟାଟ୍ କମିନ୍ସ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହାକୁ ଯଥାର୍ଥ ସାବ୍ୟସ୍ତ କରିଥିଲେ ତାଙ୍କ ସାଥୀ ବୋଲର ଓ ସେ ନିଜେ ମଧ୍ୟ। ଶାଣିତ ପ୍ରଦର୍ଶନ ସହ ଅଷ୍ଟ୍ରେଲିଆ ପ୍ରଥମେ ଭାରତକୁ ୨୪୦ ରନରେ ଅଟକାଇଥିଲା । ଏହାପରେ ହେଡଙ୍କ ବିସ୍ଫୋରକ ଶତକ‌ ଓ ଲାବୁସେନଙ୍କ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ୭ ଓଭର ବାକିଥାଇ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା । ହେଡ୍ ତାଙ୍କ କ୍ୟାରିୟରର ସ୍ମରଣୀୟ ଇନିଂସ୍ ଖେଳିଥିଲେ । ସେ ୧୨୦ ବଲରେ ୧୫ଟି ଚୌକା ଓ ୪ଟି ଛକା ସହ ୧୩୭ ରନର ମ୍ୟାଚ୍ ବିଜୟୀ ପାଳି ଖେଳିଥିଲେ । ତାଙ୍କୁ ଉପଯୁକ୍ତ ସହାୟତା ଦେଇ ଲାବୁସେନ୍ ୪ଟି ଚୌକା ସହ ୫୮ ରନ୍ କରି ଅପରାଜିତ ରହିଥିଲେ ।

୨୪୧ ରନର ଜବାବରେ ଅଷ୍ଟ୍ରେଲିଆ ୪୭ ରନରେ ତିନୋଟି ଓ୍ବିକେଟ୍ ହରାଇଥିଲା। ଡେଭିଡ୍ ଓ୍ବାର୍ଣ୍ଣର (୭), ମିଚେଲ ମାର୍ଶ (୧୫) ଓ ଷ୍ଟିଭ୍ ସ୍ମିଥ୍ (୪) ସଅଳ ପ୍ୟାଭିଲିୟନ ଫେରିଥିଲେ । ଲାଗୁଥିଲା ଭାରତୀୟ ବୋଲରମାନେ କିଛି ଚମତ୍କାର କରିବେ। ହେଲେ ହେଡ୍ ଓ ଲାବୁସେନ୍ ଚତୁର୍ଥ ଓ୍ବିକେଟରେ ୧୯୨ ରନର ଭାଗିଦାରୀ ସହ ଭାରତର ଆଶାରେ ପାଣି ଢ଼ାଳି ଦେଇଥିଲେ। ସ୍ତବ୍ଧ ହୋଇଯାଇଥିଲେ ଷ୍ଟାଡିୟମରେ ଉପସ୍ଥିତ ଲକ୍ଷେରୁ ଊର୍ଦ୍ଧ୍ବ ଦର୍ଶକ । ହେଡ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଇଥିବା ବେଳେ ଟୁର୍ଣ୍ଣାମେଣ୍ଟରେ ୭୬୫ ରନ୍ କରିଥିବା ବିରାଟ କୋହଲି ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ପାଇଥିଲେ ।

ଭାରତର ପରାଜୟ ପରେ ସାରା ଦେଶରେ ନୈରାଶ୍ୟ ଖେଳିଯାଇଛି ‌। ଭାରତ ଦ୍ବିତୀୟ ଥର ଅଷ୍ଟ୍ରେଲିଆ ଠାରୁ ଦିନିକିଆ ବିଶ୍ୱକପର ଫାଇନାଲରେ ହାରିଛି। ୨୦୦୩ରେ ମଧ୍ୟ ଭାରତକୁ ହରାଇଥିଲା ଭାରତ ।

ପୂର୍ବରୁ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଟସ୍‌ ହାରି ଯାଇଥିଲେ। ଏକ ମନ୍ଥର ପିଚରେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ କମିନ୍ସ । ତେବେ ସବୁ ମ୍ୟାଚ୍‌ ଭଳି ରୋହିତ ଦଳକୁ ବିସ୍ଫୋରକ ଷ୍ଟାର୍ଟ ଦେଇଥିଲେ। କିନ୍ତୁ ତାଙ୍କୁ ଶୁଭମାନ ଗିଲ୍(୪)ଙ୍କ ସାଥ ମିଳିନଥିଲା । ଦଳୀୟ ସ୍କୋର ୩୦ ଥିବା ବେଳେ ଗିଲ୍‌ ଷ୍ଟାର୍କଙ୍କ ଏକ ସର୍ଟ ବଲକୁ ପୁଲ୍ କରିବା ଉଦ୍ୟମରେ ମିଡ୍ ଅନ୍ ଅଞ୍ଚଳରେ କ୍ୟାଚ୍ ଆଉଟ୍ ହୋଇଥିଲେ ।

ରୋହିତ ୩୧ ବଲରେ ୪ ଚୌକା ଓ ୩ ଛକା ବଳରେ ୪୭ ରନର ଦ୍ରୁତ ଇନିଂସ ଖେଳି ମ୍ୟାକ୍ସଓ୍ବେଲଙ୍କ ବଲରେ ଆଉଟ୍ ହୋଇଥିଲେ । ପଛକୁ ଦୌଡ଼ି ରୋହିତଙ୍କ‌ ଚମତ୍କାର କ୍ୟାଚ୍ ନେଇଥିଲେ ଟ୍ରାଭିସ୍ ହେଡ୍। ଏହାପରେ କ୍ରିଜକୁ ଓହ୍ଲାଇଥିବା ଶ୍ରେୟସ ଆୟର କେବଳ ୪ ରନ୍ କରି କମିନ୍ସଙ୍କ ବଲରେ ଓ୍ବିକେଟ୍ କିପରଙ୍କୁ କ୍ୟାଚ୍ ଦେଇଥିଲେ । ୮୧ ରନରେ ଭାରତ ତୃତୀୟ ୱିକେଟ ହରାଇଥିଲା।

ଏତିକି ବେଳେ କେଏଲ ରାହୁଲ ଓ ବିରାଟ କୋହଲି ସ୍ଥିତି ସମ୍ଭାଳିଥିଲେ। ବିରାଟ ମଧ୍ୟ ଚଳିତ ବିଶ୍ୱକପରେ କ୍ରମାଗତ ୫ମ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଏହାକୁ ସେ ବଡ଼ ସ୍କୋରରେ ପରିଣତ କରି ପାରି ନଥିଲେ। ସେ ୫୪ ରନ କରିଥିବା ବେଳେ ତାଙ୍କୁ ପାଟ କମିନ୍ସ ବୋଲ୍ଡ କରି ଦର୍ଶକଙ୍କୁ ସ୍ତବ୍ଧ କରିଦେଇଥିଲେ। କୋହଲି ଏହି ଇନିଂସ୍ ପାଇଁ ୬୩ ବଲ୍ ଖେଳିଥିବା ବେଳେ ୪ଟି ଚୌକା ମାରିଥିଲେ । ଭାରତ ୧୪୮ ରନରେ ଚତୁର୍ଥ ୱିକେଟ ହରାଇଥିଲା। ଭାରତର ରନ୍ ଗତି ମଧ୍ୟ ଧିମେଇ ଯାଇଥିଲା । ୨୯ ଓଭର ଖେଳ ମଧ୍ୟରେ ଭାରତୀୟ ଇନିଂସରେ ମାତ୍ର ଗୋଟିଏ ଚୌକା ଆସିଥିଲା । ଏଥିରୁ ଅଷ୍ଟ୍ରେଲୀୟ ବୋଲର କିପରି ଟାଇଟ୍ ବୋଲିଂ କରିଥିଲେ ତାହା ଜଣାପଡ଼ୁଛି ।

ପ୍ରମୋସନ ପାଇ ୬ନଂରେ ବ୍ୟାଟିଂ କରିବାକୁ ଆସିଥିବା ରବୀନ୍ଦ୍ର ଜାଡେଜା କେବଳ ୯ ରନ କରିବାକୁ ସକ୍ଷମ ହୋଇଥିଲେ। ତେବେ କେଏଲ ରାହୁଲ ଗୋଟିଏ ପଟେ ଛିଡ଼ା ହୋଇ ପ୍ରଥମେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ସେ ଅତ୍ୟଧିକ ସତର୍କତା ଅବଲମ୍ବନ କରିଥିଲେ । କିନ୍ତୁ ଦଳୀୟ ସ୍କୋର ୨୦୩ ଥିବା ବେଳେ ତାଙ୍କୁ ଷ୍ଟାର୍କ ଆଉଟ କରି ଭାରତକୁ ପୁଣି ବ୍ୟାକଫୁଟକୁ ଠେଲି ଦେଇଥିଲେ ।ରାହୁଲ ୧୦୭ ବଲରେ ମାତ୍ର ଗୋଟିଏ ଚୌକା ସହ ୬୬ ରନ୍ କରିଥିଲେ। ମହମ୍ମଦ ସାମି(୬) ଓ ଯଶପ୍ରୀତ ବୁମରା (୧) ବେଶୀ କିଛି କରି ପାରିନଥିଲେ।

ସୂର୍ଯ୍ୟ କୁମାର କ୍ରିଜ୍‌ରେ ଥିବାରୁ ତାଙ୍କ ଠାରୁ ଦଳ କିଛି ସଟ୍ ଆଶା କରିଥିଲା। କିନ୍ତୁ ସେ ମଧ୍ୟ ୪୭.୨ ଓଭରରେ ଜୋଶ ହେଜେଲଉଡଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ସୂର୍ଯ୍ୟ କୁମାର ୨୮ ବଲରେ କେବଳ ୧୮ ରନ୍ କରିଥିଲେ ।

ଭାରତ ମଧ୍ୟ ୨୨୬ ରନରେ ୯ମ ୱିକେଟ ହରାଇଥିଲା। ୪୮ ଓଭର ଶେଷ ସୁଦ୍ଧା ଭାରତ ୯ ୱିକେଟ ହରାଇ ୨୨୭ ରନ କରିଥିଲା। ୪୯ତମ ଓଭର ନେଇ ଆସିଥିଲେ କମିନ୍ସ। ତାଙ୍କ ସାମ୍ନାରେ ଥିଲେ ମହମ୍ମଦ ସିରାଜ। ଏହି ଓଭରରୁ ଭାରତକୁ ୫ ରନ ମିଳିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କମିନ୍ସ ତାଙ୍କ ୧୦ ଓଭର୍‌ରେ କୌଣସି ବାଉଣ୍ଡରୀ ଦେଇନଥିଲେ ।

ଶେଷ ଓଭରରେ ହେଜେଲଉଡ୍ ଆସିଥିବା ବେଳେ ତାଙ୍କର ଦ୍ୱିତୀୟ ବଲକୁ ସିରାଜ ଚୌକା ମାରିଥିଲେ। ତୃତୀୟ ବଲରେ ସେ ୧ ରନ ନେଇଥିଲେ। କୁଲଦୀପ ଯାଦବ ୪ର୍ଥ ବଲ ଡଟ୍‌ କରିଥିଲେ। ୫ମ ବଲରୁ ଭାରତକୁ ୧ ରନ ମିଳିଥିଲା। ଇନିଂସର ଶେଷ ବଲରେ ସିରାଜ ୨ ରନ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ କୁଲଦୀପ ରନ୍ ଆଉଟ ହୋଇଯାଇଥିଲେ। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ ହରାଇ ୨୪୦ ରନ କରିବାକୁ ସକ୍ଷମ ହୋଇଥିଲା ।

ଭାରତ ପ୍ରଥମଥର ପାଇଁ ଚଳିତ ବିଶ୍ୱକପରେ ଅଲଆଉଟ ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ହେଜେଲଉଡ ଓ କମିନ୍ସ ୨ଟି ଲେଖାଏ ସଫଳତା ପାଇଛନ୍ତି। ଆଡା ଜାମ୍ପା ଓ ମ୍ୟାକ୍ସୱେଲଙ୍କ ଖାତାକୁ ୧-୧ ଓ୍ବିକେଟ୍ ପାଇଥିଲେ ।

Exit mobile version