Site icon ଆଜିକାଲି

ସଫଳ ହେଲା ଭାରତର ମୁନ୍‌ ମିଶନ, ଦକ୍ଷିଣ ମେରୁରେ ଲ୍ୟାଣ୍ଡରର ସଫଳ ଅବତରଣ

ନୂଆଦିଲ୍ଲୀ : ଇତିହାସ ରଚିଲା ଭାରତ। ଜହ୍ନରେ ପାଦ ଥାପିଲା ‘ଚନ୍ଦ୍ରଯାନ-୩’। ସଫଳ ହେଲା ଭାରତର ମୁନ୍‌ ମିଶନ। ଦେଶ ପାଇଁ ଗୌରବ ଆଣିଲା ଇସ୍ରୋ। ବୁଧବାର ସନ୍ଧ୍ୟା ୬ଟା ୪ ମିନିଟ୍‌ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି ଲ୍ୟାଣ୍ଡର୍‌ ବିକ୍ରମ। ଭାରତର ଏହି ମୁନ୍ ମିଶନକୁ ସାରା ବିଶ୍ୱ କରିଥିଲା ଅପେକ୍ଷା। ବୈଜ୍ଞାନିକମାନେ ଶତ ପ୍ରତିଶତ ନିଶ୍ଚିତ ଥିଲେ ଯେ, ଚୂଡ଼ାନ୍ତ ପରୀକ୍ଷାରେ ବି ଉତ୍ତୀର୍ଣ୍ଣ ହେବ ଚନ୍ଦ୍ରଯାନ-୩। ସମୟ ଯେତିକି ପାଖେଇ ଆସୁଥିଲା, ଦେଶବାସୀଙ୍କ ଉତ୍କଣ୍ଠା ସେତିକି ବଢ଼ି ଚାଲିଥିଲା।

ସନ୍ଧ୍ୟା ୫ଟା ୪୫ରୁ ଆରମ୍ଭ ହୋଇଥିଲା ପାୱାର ଡିସେଣ୍ଟ। ପାଖାପାଖି ୨୫ କି.ମି. ଉଚ୍ଚତାରୁ ତଳକୁ ଖସିଥିଲା ଲ୍ୟାଣ୍ଡର। ସେହି ସମୟରେ ବିକ୍ରମର ବେଗ ପ୍ରତି ସେକେଣ୍ଡରେ ଥିଲା ୧.୬୮ କି.ମି। ଅବତରଣ ସ୍ଥାନରୁ ପ୍ରାୟ ୭୪୫ କି.ମି ଦୂରରେ ରହିଥିଲା ଲ୍ୟାଣ୍ଡର। ଚନ୍ଦ୍ରର ଗୁରୁତ୍ୱାକର୍ଷଣ ବଳ ଲ୍ୟାଣ୍ଡରକୁ ଟାଣିଥିଲା। ସନ୍ଧ୍ୟା ୫ଟା ୪୫ରୁ ୬ଟା ୪, ପ୍ରାୟ ୨୦ ମିନିଟ୍ ଚନ୍ଦ୍ରଯାନ ପାଇଁ ବିପଦପୂର୍ଣ୍ଣ ସମୟ ଥିଲା, ଯାହାକୁ ‘୨୦ ମିନିଟ୍ ଅଫ୍‌ ଟେରର୍‌’ ବୋଲି କୁହାଯାଇଥିଲା। ଚନ୍ଦ୍ରଯାନ-୨ରେ ଶେଷ ଅଢେଇ କିଲୋମିଟରରେ ତ୍ରୁଟି ଦେଖା ଦେଇଥିଲା। ଏଥର ଇସ୍ରୋ କିନ୍ତୁ ଦୃଢ଼ ଆଶାବାଦୀ ଥିଲା।

ଜୁଲାଇ ୧୪ ତାରିଖରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ କେନ୍ଦ୍ରରୁ ଉତକ୍ଷେପଣ ହୋଇଥିବା ଚନ୍ଦ୍ରଯାନ-୩ ଆଜି ସନ୍ଧ୍ୟା ୬ଟା ୪ ମିନିଟ୍‌ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରିଛି। ଏହି ଐତିହାସିକ ମିଶନର ସଫଳତା ଉପରେ ପୂରା ଦେଶର ଆଶା ଏବଂ ନଜର ରହିଥିଲା।

Exit mobile version