Site icon ଆଜିକାଲି

ଭାରତର ପ୍ରଥମ ଭୋଟର ଶ୍ୟାମ ଶରଣ ନେଗିଙ୍କ ୧୦୬ ବର୍ଷ ବୟସରେ ପରଲୋକ

ଶିମଲା: ଦେଶର ପ୍ରଥମ ଭୋଟର ମାଷ୍ଟର ଶ୍ୟାମ ଶରଣ ନେଗିଙ୍କ ଶନିବାର ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୬ ବର୍ଷ ବୟସ ହୋଇଥିଲା । ସେ ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲାର କଳ୍ପା ନିବାସୀ ଥିଲେ। ଦୁଇ ଦିନ ତଳେ ନେଗି ପୋଷ୍ଟାଲ ବାଲାଟ ମାଧ୍ୟମରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଭୋଟ୍ ଦେଇଥିଲେ। ୧୯୫୧-୫୨ରେ ଅନୁଷ୍ଠିତ ସ୍ବାଧୀନ ଭାରତର ପ୍ରଥମ ନିର୍ବାଚନରେ ନେଗି ଦେଶର ପ୍ରଥମ ଭୋଟର ଭାବେ ମତାଧିକାର ସାବ୍ୟସ୍ତ କରିଥିଲେ | ନେଗି ତାଙ୍କ ଜୀବନକାଳ ମଧ୍ୟରେ ୩୪ ଥର ଭୋଟ୍ ଦେଇଥିଲେ। କିନ୍ନୌର ଜିଲ୍ଲା ପ୍ରଶାସନ ଶ୍ୟାମ ସରନ ନେଗିଙ୍କ ଅନ୍ତିମ ସଂସ୍କାର ପାଇଁ ସବୁ ବ୍ୟବସ୍ଥା କରିଛି । ସମ୍ମାନର ସହ ତାଙ୍କୁ ବିଦାୟ ଦିଆଯିବ ବୋଲି କିନ୍ନୌର ଜିଲ୍ଲାପାଳ ଆବିଦ୍ ହୁସେନ୍ ସାଦିକ୍ କହିଛନ୍ତି ।

ସରକାରୀ ରେକର୍ଡ ଅନୁଯାୟୀ, ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ଶ୍ୟାମ ଶରଣ ନେଗି ଜୁଲାଇ ୧, ୧୯୧୭ ରେ ଜନ୍ମଗ୍ରହଣ କରିଥିଲେ। ମୃତ୍ୟୁର କିଛି ଦିନ ପୂର୍ବରୁ ସେ ହିମାଚଳ ନିର୍ବାଚନରେ ​​ଭୋଟ୍ ଦେଇଥିଲେ। ଯେତେବେଳେ ସେ ପ୍ରଥମ ଥର ଭୋଟ୍ ଦେଇଥିଲେ ସେତେବେଳେ ତାଙ୍କୁ ୩୩ ବର୍ଷ ହୋଇଥିଲା। ସେବେଠାରୁ ସେ ମତଦାନ କରିବା ସୁଯୋଗ କେବେ ବି ହାତଛଡ଼ା କରିନଥିଲେ। କିନ୍ନୌରର କଳ୍ପା ସହରର ବାସିନ୍ଦା ଶ୍ୟାମ ଶରଣ ୫୧ ବର୍ଷ ପୂର୍ବେ ଶିକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ ।

ଫେବୃଆରୀ ୧୯୫୨ରେ ସ୍ବାଧୀନ ଭାରତର ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କିନ୍ତୁ ହିମାଚଳ ପ୍ରଦେଶର ଦୁର୍ଗମ ତଥା ଆଦିବାସୀ ଅଞ୍ଚଳରେ ପ୍ରତିକୂଳ ପାଗ ଓ ହିମପାତ ଯୋଗୁଁ ପାଞ୍ଚ ମାସ ପୂର୍ବରୁ ଅର୍ଥାତ୍ ୨୩ ଅକ୍ଟୋବର ୧୯୫୧ରେ ମତଦାନ ହୋଇଥିଲା। ସେତେବେଳେ ଶ୍ୟାମ ଶରଣ ନେଗି ଜଣେ ସ୍କୁଲ ଶିକ୍ଷକ ଥିଲେ ଏବଂ ନିର୍ବାଚନ ଡ୍ୟୁଟିରେ ଥିଲେ। ଏହି କାରଣରୁ ସେ ସକାଳ ୭ ଟାରେ କିନ୍ନୌରର କଳ୍ପା ପ୍ରାଥମିକ ବିଦ୍ୟାଳୟରେ ନିଜ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ୍ ଦେଇଥିଲେ। ଶ୍ୟାମ ଶରଣ ନେଗି ପ୍ରଥମ ବ୍ୟକ୍ତି ଯିଏ ସେଠାରେ ପହଞ୍ଚି ଭୋଟ୍ ଦେଇଥିଲେ। ତେଣୁ ତାଙ୍କୁ ସ୍ବାଧୀନ ଭାରତର ପ୍ରଥମ ମତଦାତା ଭାବେ ବିବେଚନା କରାଯାଏ ।

Exit mobile version