Site icon ଆଜିକାଲି

ଭାରତର ସବୁଠୁ ବୟସ୍କ ଟେଷ୍ଟ କ୍ରିକେଟର ଦତ୍ତାଜିରାଓ ଗାଏକୱାଡଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଭାରତର ସବୁଠୁ ବୟସ୍କ ଟେଷ୍ଟ କ୍ରିକେଟର ତଥା ପୂର୍ବତନ ଅଧିନାୟକ ଦତ୍ତାଜିରାଓ ଗାଏକୱାଡଙ୍କ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ମଙ୍ଗଳବାର ୯୫ ବର୍ଷରେ ଦେହାନ୍ତ ହୋଇଯାଇଛି। ସେ ଭାରତୀୟ ଦଳର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ତଥା ଜାତୀୟ କୋଚ୍ ଅଂଶୁମାନ ଗାଏକୱାଡଙ୍କ ବାପା ଥିଲେ।

ପରିବାରର ସୂତ୍ରରୁ ପ୍ରକାଶ, ଦତ୍ତାଜିରାଓ ଗାଏକୱାଡ ଗତ ୧୨ ଦିନ ଧରି ବରୋଦାସ୍ଥିତ ଏକ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଆଜି ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଦତ୍ତାଜିରାଓ ଗାଏକୱାଡ ୧୯୫୨ ରୁ ୧୯୬୧ ମଧ୍ୟରେ ଭାରତ ପାଇଁ ୧୧ଟି ଟେଷ୍ଟ ଖେଳିଥିଲେ। ସେ ୧୯୫୯ରେ ଇଂଲଣ୍ଡ ଗସ୍ତରେ ଜାତୀୟ ଦଳର ଅଧିନାୟକ ମଧ୍ୟ ହୋଇଥିଲେ। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ୧୯୫୨ ମସିହାରେ ଲିଡ୍ସରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ । ସେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୧୯୬୧ ମସିହାରେ ଚେନ୍ନାଇରେ ପାକିସ୍ତାନ ବିପକ୍ଷରେ ଖେଳିଥିଲେ।

ଗାଏକୱାଡ ୧୯୪୭ ରୁ ୧୯୬୧ ପର୍ଯ୍ୟନ୍ତ ରଣଜୀ ଟ୍ରଫିରେ ବରୋଦାର ପ୍ରତିନିଧିତ୍ୱ କରିଥିଲେ। ଘରୋଇ କ୍ରିକେଟରେ ସେ ୪୭.୫୬ ଆଭରେଜ୍ ସହ ୩୧୩୯ ରନ୍ କରିଥିଲେ । ଏଥିରେ ୧୪ଟି ଶତକ ସାମିଲ ଥିଲା । ୧୯୫୯-୬୦ ସିଜନରେ ମହାରାଷ୍ଟ୍ର ବିପକ୍ଷରେ ସେ ତାଙ୍କ ସର୍ବାଧିକ ସ୍କୋର ଅପରାଜିତ ୨୪୯ ରନ୍ କରିଥିଲେ।

ଦତ୍ତାଜିରାଓ ୨୦୧୬ରେ ଭାରତର ସବୁଠୁ ବୟସ୍କ ଟେଷ୍ଟ କ୍ରିକେଟର ହୋଇଥିଲେ। ତାଙ୍କ ପୂର୍ବରୁ ଦୀପକ ଶୋଧନ ଭାରତର ବୟୋଜ୍ୟେଷ୍ଠ ଟେଷ୍ଟ କ୍ରିକେଟର ଥିଲେ। ପୂର୍ବତନ ବ୍ୟାଟ୍ସମ୍ୟାନ୍ ଶୋଧନଙ୍କ ୮୭ ବର୍ଷ ବୟସରେ ଅହମ୍ମଦାବାଦରେ ପରଲୋକ ହୋଇଥିଲା ।

Exit mobile version