Site icon ଆଜିକାଲି

ପରଲୋକରେ ରତନ ଟାଟା, ୮୬ ବର୍ଷରେ ଆଖି ବୁଜିଲେ

ନୂଆଦିଲ୍ଲୀ : ଆରପାରିରେ କିମ୍ବଦନ୍ତୀ ଉଦ୍ୟୋଗପତି ତଥା ପଦ୍ମ ବିଭୂଷଣ ରତନ ଟାଟା। ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଗ୍ରୁପ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ରାତିରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଦେହାନ୍ତ ପରେ ଶିଳ୍ପପତି ରତନ ଟାଟାଙ୍କ ମୃତଦେହ କୋଲାବା ସ୍ଥିତ ତାଙ୍କ ବାସଭବନକୁ ନିଆଯାଇଛି। ତାଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁଯାୟୀ ତାଙ୍କୁ ଦର୍ଶନ ପାଇଁ ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଏନସିପିଏରେ ରଖାଯିବ।

ରତନ ଟାଟାଙ୍କ ମୃତ୍ୟୁ ହେତୁ ଆଜି ମୁମ୍ବାଇରେ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି ବୋଲି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କୁହାଯାଛି । ରତନ ଟାଟାଙ୍କ ଦେହାନ୍ତ ପରେ ହସ୍ପିଟାଲ ଯାଇ ଶେଷ ଦର୍ଶନ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କହିଛନ୍ତି ରତନ ଟାଟା ମହାରାଷ୍ଟ୍ରର ଗର୍ବ ଥିଲେ। ଦେଶର କୋହିନୋର ଥିଲେ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ପ୍ରତିକ୍ରିୟା ରଖି କହିଛନ୍ତି ବହୁତ ବଡ ହୃଦୟ ଥିବା ବ୍ୟକ୍ତି ଆଜି ଆମକୁ ଛାଡିଛନ୍ତି, ଏହା ଦେଶ ପାଇଁ ଏକ ବଡ କ୍ଷତି।

ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ  ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ କୋଲାବାସ୍ଥିତ ବାସଭବନରେ ତାଙ୍କର ମର ଶରୀରକୁ ରଖାଯାଇଛି। ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଏନସିପିଏରେ ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷ ଶେଷ ଦର୍ଶନ କରିବେ। ରତନ ଟାଟାଙ୍କ ବିୟୋଗରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ , ଗୃହମନ୍ତ୍ରୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି।

୧୯୩୭ ମସିହା ଡିସେମ୍ବର ୨୮ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ରତନ ନାଭାଲ ଟାଟା। ନିଜର ଅମାୟିକ ବ୍ୟକ୍ତିତ୍ୱ, ସରଳ ଜୀବନଶୈଳୀ, ମେଳାପି ସ୍ୱଭାବ ଏବଂ ବଦାନ୍ୟତା ପାଇଁ ପରିଚିତ ଥିଲେ ରତନ ଟାଟା। ୧୯୬୨ରେ ସେ ପ୍ରଥମେ ଟାଟା ଗ୍ରୁପରେ ଯୋଗ ଦେଇଥିଲେ। ଟାଟା ଗ୍ରୁପକୁ ଶୀର୍ଷ ସ୍ତାନରେ ପହଞ୍ଚାଇବାରେ ତାଙ୍କର ପ୍ରମୂଖ ଭୂମିକା ଥିଲା। ୧୯୯୧ ମସିହାରୁ ୨୦୧୨ ମସିହା ଯାଏଁ ସେ ଥିଲେ ଟାଟା ଗ୍ରୁପର ଅଧ୍ୟକ୍ଷ।  ୧୯୯୮ ମସିହାରେ ସେତେବେଳେ  ଦେଶର ସବୁଠୁ ଛୋଟ ଗାଡି ଟାଟା ଇଣ୍ଡିକା ସେ ଭେଟି ଦେଇଥିଲେ। ପରେ ୨୦୦୮ ମସିହାରେ ଲକ୍ଷେ ଟଙ୍କାରେ ନାନୋ ଭଳି ବିଶ୍ଵର ସବୁଠୁ ଶସ୍ତା କାର୍ ସେ ଭେଟି ଦେଇଥିଲେ। ୨୦୦୮ରେ ଜାଗୁଆର-ଲ୍ୟାଣ୍ଡ ରୋଭରକୁ ଅକ୍ତିଆର କରିଥିଲା ଟାଟା। ଅନେକ ସମାଜସେବା କାର୍ଯ୍ୟରେ ମଧ୍ୟ ସେ ଜଡିତ ଥିଲେ। ୨୦୦୮ ମସିହାରେ ସେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ ହୋଇଥିଲେ। ୨୦୧୨ ମସିହାରେ ରକଫେଲାର ଫାଉଣ୍ଡେସନଦ୍ୱାରା ଆଜୀବନ ପାରଦର୍ଶିତା ପାଇଁ ପୁରସ୍କୃତ ହୋଇଥିଲେ ରତନ ଟାଟା। ଅନ୍ୟପଟେ ରତନ ଟାଟାଙ୍କ ବିୟୋଗରେ ଝାଡଖଣ୍ଡ ସରକାରଙ୍କ ପକ୍ଷରୁ ଦିନିକିଆ ଛୁଟି ଘୋଷଣା କରାଯାଇଛି।

Exit mobile version