Site icon ଆଜିକାଲି

ଆଇପିଏଲ-୨୦୨୩ : ରାଜସ୍ଥାନକୁ ୧୧୨ ରନରେ ହରାଇଲା ବାଙ୍ଗାଲୋର

ଜୟପୁର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୩ର ୬୦ତମ ମ୍ୟାଚରେ ରବିବାର ରାଜସ୍ଥାନ ରୟାଲ୍ସକୁ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୧୨ ରନରେ ପରାସ୍ତ କରିଛି। ଜୟପୁର ସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମରେ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ରାଜସ୍ଥାନ ଟିମ୍‌ ୧୦.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ ୫୯ ରନରେ ଅଟକି ଯାଇଥିଲା।

ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ବାଙ୍ଗାଲୋର। ଟିମ୍‌ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୭୧ ରନ୍‌ କରିଥିଲା। ବାଙ୍ଗାଲୋର ପାଇଁ ଅଧିନାୟକ ଫାଫ୍‌ ଡୁ’ପ୍ଲେସିସ ସର୍ବାଧିକ ୫୫ ରନ୍‌ ସଂଗ୍ରହ କରିଥିଲେ। ସେ ୪୪ଟି ବଲ୍‌ ଖେଳି ୩ଟି ଚୌକା ଓ ୨ଟି ଛକା ମାରିଥିଲେ। ଗ୍ଲେନ ମେକ୍ସୱେଲଙ୍କ ବ୍ୟାଟରୁ ୫୪ ରନ୍‌ ଅମଳ ହୋଇଥିଲା। ସେ ୩୩ଟି ବଲ୍‌ ଖେଳି ୫ଟି ଚୌକା ଓ ୩ଟି ଛକା ମାରିଥିଲେ। ସେହିପରି ଅନୁଜ ରାୱତ ୧୧ଟି ବଲ୍‌ ଖେଲି ୩ଟି ଚୌକା ଓ ୨ଟି ଛକା ମାଧ୍ୟମରେ ୨୯ ରନ୍‌ ସଂଗ୍ରହ କରିଥିଲେ। ବିରାଟ କୋହଲି ୧୯ଟି ବଲ୍‌ ଖେଳି ୧୮ ରନ୍‌ କରିଥିଲେ। ଏଥିରେ ଗୋଟିଏ ଚୌକା ସାମିଲ ଥିଲା।

୧୭୨ର ବିଜୟ ଲକ୍ଷ୍ୟକୁ ପିଛା କରି ପଡ଼ିଆକୁ ଓହ୍ଲାଇଥିଲା ରାଜସ୍ଥାନ ରୟାଲ୍‌ସ । ହେଲେ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ । ପ୍ରଥମ ଓଭରରେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ଘାତକ ବୋଲିଂର ଶିକାର ହୋଇଥିଲେ ଦୁର୍ଦ୍ଦାନ୍ତ ହିଟର ଜୟସ୍ବାଲ । ସେ ମାତ୍ର ୨ଟି ବଲ୍ ଖେଳି ଶୂନରେ ଆଉଟ୍ ହୋଇଥିଲେ । ସେହିପରି ଦ୍ବିତୀୟ ଓଭରରେ ଜସ୍ ବଟଲର ଓ ଅଧିନାୟକ ସଞ୍ଜୁ ସାମସନଙ୍କ ଓ୍ବିକେଟ୍ ନେଇ ଓ୍ବେନ ପାର୍ନେଲ୍ ଆର୍‌ଆର୍ ଅଣ୍ଟା ଭାଙ୍ଗି ଦେଇଥିଲେ । ଏହା ପରେ ଓ୍ବିକେଟ୍ ଝଡ଼ି ଲାଗିଥିଲା । ପରେ ଦେବଦତ୍ତ ପାଡ଼ିକଲ ଓ ଜୋ ରୁଟ୍ ପାଭେଲିୟନକୁ ଫେରିଥିଲେ । ସିମରନ୍ ହେଟମାୟର କିଛି ସମୟ ପାଇଁ ପଡ଼ିଆରେ ଛକା-ଚୌକା ବର୍ଷା କରିଥିଲେ ମଧ୍ୟ ଦଳକୁ ବିଜୟ ଦ୍ବାରଦେଶକୁ ନେଇ ପାରିନଥିଲେ । ହେଟମାୟର ୩୫ ରନ କରି ବ୍ରାସଓ୍ବେଲଙ୍କ ଶିକାର ହୋଇଥିଲା । ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଲା ରାଜସ୍ଥାନ ରୟାଲ୍‌ସ ୫ଜଣ ଖେଳାଳି ଶୂନରେ ଆଉଟ୍ ହୋଇଛନ୍ତି । ଆରସିବି ପକ୍ଷରୁ ଓ୍ବେନ ପାର୍ନେଲ୍ ୩ ଓଭର ବୋଲିଂ କରି ସର୍ବାଧିକ ୩ଟି ଓ୍ବିକେଟ୍ ନେଇଛନ୍ତି । ସେହିପରି ବ୍ରାସଓ୍ବେଲ ଓ କରନ ଶର୍ମାଙ୍କୁ ୨ଟି ଲେଖାଏଁ ଓ୍ବିକେଟ୍ ମିଳିଛି । ଦ୍ରୁତ ବୋଲର ମହମ୍ମଦ ସିରାଜ ଓ ସ୍ପିନର ଗ୍ଲେନ୍ ମ୍ୟାକ୍ସଓ୍ବେଲ ଗୋଟିଏ ଲେଖାଏଁ ଓ୍ବିକେଟ୍ ପାଇଛନ୍ତି ।

Exit mobile version