Site icon ଆଜିକାଲି

ଆଇପିଏଲ-୨୦୨୩ : ରାଜସ୍ଥାନକୁ ୭ ରନରେ ହରାଇଲା ବାଙ୍ଗାଲୋର

ବେଙ୍ଗାଲୁରୁ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ର ୩୨ତମ ମ୍ୟାଚରେ ଅଧିନାୟକ ଫାଫ ଡୁପ୍ଲେସିସ୍‌ଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୭ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ବେଙ୍ଗାଲୁରୁର ଏନ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ମୁକାବିଲାରେ ଶେଷ ପର୍ଯ୍ୟନ୍ତ ଲଢି ପରାଜିତ ହୋଇଛି ରାଜସ୍ଥାନ। ବ୍ୟାଟିଂ ଏବଂ ବୋଲିଂ ଉଭୟ ବିଭାଗରେ ଉନ୍ନତ ପ୍ରଦର୍ଶନ କରି ଆରସିବି ସପ୍ତମ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ହାସଲ କରିଥିବା ବେଳେ ସମାନ ମ୍ୟାଚରୁ ରାଜସ୍ଥାନ ରୟାଲ୍ସ ଚତୁର୍ଥ ପରାଜୟ ଭୋଗିଛି। ପ୍ରଥମ ୬ଟି ଦଳର ପଏଣ୍ଟ ସମାନ ଥିଲେ ହେଁ ଉନ୍ନତ ରନରେଟ୍ କାରଣରୁ ରାଜସ୍ଥାନ ରୟାଲ୍ସ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆରସିବିକୁ ମ୍ୟାଚ୍‌ର ପ୍ରଥମ ବଲ୍‌ରେ ହିଁ ଝଟକା ଲାଗିଥିଲା। ଇନଫର୍ମ ବ୍ୟାଟର ବିରାଟ କୋହଲି(୦) ପାଭିଲିୟନ ପେରିଥିଲେ। ଦଳୀୟ ସ୍କୋର ୧୨ରେ ଶାହାବାଜ ଅହମ୍ମଦ(୨) ଆଉଟ୍ ହୋଇଥିଲେ। ଡବଲ୍ ଝଟକା ପରେ ଅଧିନାୟକ ଫାଫ ଡୁପ୍ଲେସିସ୍ ଏବଂ ଗ୍ଲେନ ମ୍ୟାକ୍ସଓ୍ଵେଲ୍ ଇନିଂସ ସମ୍ଭାଳିଥିଲେ। ଉଭୟ ବିସ୍ଫୋରକ ବ୍ୟାଟିଂ କରି ରାଜସ୍ଥାନ ବୋଲରଙ୍କ ଉପରେ ଚାପ ପକାଇଥିଲେ। ଦୁଇ ବ୍ୟାଟର ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦଳୀୟ ସ୍କୋର ୧୩୯ ରନରେ ଡୁପ୍ଲେସିସ୍ ଆଉଟ୍ ହୋଇଥିଲେ। ସେ ୩୯ ବଲ୍‌ରେ ୮ ଚୌକା ଏବଂ ୨ ଛକା ସହ ୬୨ ରନ କରିଥିଲେ। ସେ ଏବଂ ମ୍ୟାକ୍ସଓ୍ଵେଲ୍ ତୃତୀୟ ଓ୍ଵିକେଟ୍‌ରେ ଶତକୀୟ ଭାଗିଦାରୀ କରିବା ସହ ୧୨୭ ରନ ଯୋଡିଥିଲେ। ଡୁପ୍ଲେସିସ୍‌ଙ୍କ ପରେ ମ୍ୟାକ୍ସଓ୍ଵେଲ୍ ପାଭିଲିୟନ ଫେରିଥିଲେ। ସେ ୪୪ ବଲ୍‌ରୁ ୬ ଚୌକା ଏବଂ ୪ ଛକା ସହାୟତାରେ ୭୭ ରନ କରିଥିଲେ। ଦୁଇ ବ୍ୟାଟରଙ୍କ ଆଉଟ୍ ପରେ ଆରସିବି ପୁଣି ଥରେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇତିଲା। ଦିନେଶ କାର୍ତ୍ତିକ ୧୬ ରନ କରିଥିଲେ। ଆରସିବି ୮ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଶେଷରେ ବାଙ୍ଗାଲୋର ୯ ଓ୍ଵିକେଟ୍ ହରାଇ ୧୮୯ ରନ କରିଛି।

Exit mobile version