Site icon ଆଜିକାଲି

ଆଇପିଏଲ-୨୦୨୩ : ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ

ଚେନ୍ନାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୩ର ଆଜି ୧୭ତମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ । ବୁଧବାର ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ଏହି ମ୍ୟାଚ ଚେନ୍ନାଇର ଚେପକ ଷ୍ଟାଡିୟମରେ ଖେଳାଯିବ । ବର୍ତ୍ତମାନ ସୁଦ୍ଧା ରାଜସ୍ଥାନ ରୟାଲ୍ସ ୩ଟି ମ୍ୟାଚ୍‌ ଖେଳି ୨ଟି ଜିତି ଥିବା ବେଳେ ୩ ମ୍ୟାଚ୍‌‌ ଖେଳିଥିବା ଚେନ୍ନାଇ ପ୍ରଥମ ମ୍ୟାଚ୍‌ ହାରିବା ପରେ ପରବର୍ତ୍ତୀ ଦୁଇଟି ଯାକ ମ୍ୟାଚ୍‌ ଜିତି ଦୃଢ଼ ମନୋବଳରେ ରହିଛି।

ଚଳିତ ଆଇପିଏଲ୍‌ରେ ଫର୍ମରେ ଥିବା ରାଜସ୍ଥାନ ରୟାଲ୍ସର ଓପନିଂ ଯୋଡ଼ି ଜୋସ ବଟଲର ଓ ଯଶସ୍ବୀ ଜୟସ୍ବାଲ ସ୍ପିନ୍‌ ପରୀକ୍ଷାର ସମ୍ମୁଖୀନ ହେବେ। ଏହି ଯୋଡ଼ି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌ଏକେ) ବିପକ୍ଷ ମ୍ୟାଚ୍‌ରେ ଏହାର ସ୍ପିନ୍ ତ୍ରିମୂର୍ତ୍ତିଙ୍କୁ କିପରି ମୁକାବିଲା କରିବେ ତାହା ଦେଖିବାର ଅଛି। ଇଂଲଣ୍ଡ ଧଳା ବଲ୍‌ ଅଧିନାୟକ ବଟଲର ୧୬୪.୪୭ ଓ ଭାରତୀୟ ଯୁବ ତାରକା ଜୟସ୍ବାଲ ୧୮୦.୮୫ ଷ୍ଟ୍ରାଇକ୍‌ରେଟ୍‌ରେ ଏପର୍ଯ୍ୟନ୍ତ ୨ଟି ଲେଖାଏଁ ଅର୍ଦ୍ଧଶତକ ଅର୍ଜନ କରିସାରିଛନ୍ତି। ଅନ୍ୟପକ୍ଷରେ ୩ ଜଣ ଅଭିଜ୍ଞ ସ୍ପିନର ମୋଇନ ଅଲୀ, ରବୀନ୍ଦ୍ର ଜାଦେଜା ଓ ମିଚେଲ ସାଣ୍ଟନର ମିଶି ୧୧ ୱିକେଟ୍‌ ଦଖଲ କରିଛନ୍ତି। ଏମାନଙ୍କ ଇକୋନୋମି ମଧ୍ୟ ଭଲ ରହିଛି। ମୋଇନଙ୍କ ଇକୋନୋମି ୬.୫୦ ରହିଥିଲା ବେଳେ ଜାଦେଜାଙ୍କ ୬.୮୮ ଓ ସାଣ୍ଟନରଙ୍କ ୬.୭୫ ରହିଛି। ଗତ ମ୍ୟାଚ୍‌ରେ ଫୁଡ୍‌ ପଏଜନିଂ ପାଇଁ ମୋଇନ ଖେଳିପାରିନଥିଲେ। କିନ୍ତୁ ବୁଧବାର ସେ ଖେଳିବାର ସମ୍ଭାବନା ରହିଛି। ତାଙ୍କ ସ୍ଥାନରେ ସିସାନ୍ଦା ମଗାଲା ଖେଳିଥିଲା ବେଳେ ଫିଟ୍‌ ନଥିବା ‌ବେନ୍‌ ଷ୍ଟୋକ୍ସଙ୍କ ଜାଗା ପୂରଣ କରିଥିଲେ ଅଲ୍‌ରାଉଣ୍ଡର ଡ୍ବାନ୍‌ ପ୍ରିଟୋରିଅସ। ସ୍ପିନ୍‌କୁ ସୁହାଉଥିବା ଚେପକ୍‌ରେ ମୋଇନ, ଜାଦେଜା ଓ ସାଣ୍ଟନର କମାଲ କଲେ ରୟାଲ୍ସ ବ୍ୟାଟର୍‌ଙ୍କୁ ଅଟକାଇବାକୁ ସକ୍ଷମ ହେବ ସିଏସ୍‌କେ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଗତ ମ୍ୟାଚ୍‌ରେ ଅଜିଙ୍କ୍ୟ ରାହାଣେଙ୍କ ବିସ୍ଫୋରକ ପାଳି ସହ ସ୍ପିନର ଜାଦେଜା ଓ ସାଣ୍ଟନରଙ୍କ ବୋଲିଂ ଯୋଗୁଁ ସିଏସ୍‌କେ ବିଜୟୀ ହୋଇଥିଲା। ଋତୁରାଜ ଗାଏକ୍ବାଡଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଛି। ସେହିପରି ରୟାଲ୍ସ ନିକ‌ଟରେ ରବିଚନ୍ଦ୍ରନ ଅଶ୍ବିନ, ୟୁଝବେନ୍ଦ୍ର ଚହଲଙ୍କ ଭଳି ଅଭିଜ୍ଞ ସ୍ପିନରଙ୍କ ସହିତ ମୁରୁଗାନ ଅଶ୍ବିନ ମଧ୍ୟ ରହିଛନ୍ତି। ଏମାନେ ସିଏସ୍‌କେ ବ୍ୟାଟର୍‌ଙ୍କୁ ଅଟକାଇବାକୁ ପୂରା ସକ୍ଷମ ହେବେ। ଦୁଇ ଓପନର୍‌ ‌ବଟଲର ଓ ଜୟସ୍ବାଲଙ୍କ ପରେ ଅଧିନାୟକ ସଂଜୁ ସାମସନ ଓ ସିମ୍ରନ ହେଟମାୟରଙ୍କ ବ୍ୟାଟ୍‌ରୁ ବଡ଼ ସଟ୍‌ ବାହ‌ାରିଲେ ଦଳ ଭଲ ସ୍କୋର୍‌ କରିପାରିବ।

ଚେନ୍ନାଇ ସୁପର କିଙ୍ଗ୍ସ ସମ୍ଭାବ୍ୟ ଏକାଦଶ : ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ଡେଭନ କନୱେ, ଋତୁରାଜ ଗାଏକ୍ବାଡ, ଅମ୍ବାତି ରାୟୁଡ଼ୁ, ମୋଇନ ଅଲୀ, ବେନ ଷ୍ଟୋକ୍ସ, ରବୀନ୍ଦ୍ର ଜାଦେଜା, ଅଜିଙ୍କ୍ୟ ରାହାଣେ, ସିସାନ୍ଦା ମଗାଲା, ଶିବମ ଦୁବେ, ଡ୍ବାନ୍‌ ପ୍ରିଟୋରିଅସ, ଆୟ ମଣ୍ଡଳ, ନିଶାନ୍ତ ସିନ୍ଧୁ, ରାଜବର୍ଦ୍ଧନ ହଙ୍ଗାରଗେକର, ମିଚେଲ ସାଣ୍ଟନର, ଶୁଭ୍ରାଂଶୁ ସେନାପତି, ସିମରଜିତ ସିଂହ, ମାଥିସା ପଥିରଣା, ମହେଶ ତୀକ୍ଷ୍‌ଣା, ଭଗତ ବର୍ମା, ପ୍ରଶାନ୍ତ ସୋଲାଙ୍କି, ଶେଖ ରସିଦ, ତୁଷାର ଦେଶପାଣ୍ଡେ।

ରାଜସ୍ଥାନ ରୟାଲ୍ସ ସମ୍ଭାବ୍ୟ ଏକାଦଶ : ଜୋସ ବଟଲର, ଯଶସ୍ବୀ ଜୟସ୍ବାଲ, ସଞ୍ଜୁ ସାମସନ (ଅଧିନାୟକ), ଧ୍ରୁବ ଜୋରେଲ, ରିୟାନ ପରାଗ, ସିମ୍ରନ ହେଟମାୟର, ଆର୍‌ ଅଶ୍ବିନ, ଜାସନ ହୋଲଡର, ଟ୍ରେଣ୍ଟ ବୋଲ୍ଟ, ସନ୍ଦୀପ ଶର୍ମା, ୟୁଝବେନ୍ଦ୍ର ଚହଲ, ନଭଦୀପ ସୈନି, ଏମ୍‌ ଅଶ୍ବିନ, କେଏମ୍‌ ଅସିଫ, କେସି କାରିଆପ୍ପା, ଡୋନୋଭାନ ଫେରିଇରା, ଦେବଦତ୍ତ ପଡ଼ିକଲ, ଓବେ ମ୍ୟାକୟ, ଜୋ ରୁଟ, କୁଲଦୀପ ସେନ, ଆକାଶ ବଶିଷ୍ଟ, କୁଲଦୀପ ଯାଦବ, ଆଦାମ ଜାମ୍ପା, ଅବଦୁଲ ବଶିଷ୍ଟ।

FacebookTwitterLinkedinWhatsapp
Exit mobile version