Site icon ଆଜିକାଲି

ଆଇପିଏଲ-୨୦୨୩ : ଆଜି ଦ୍ଵିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଚେନ୍ନାଇ ସୁପରକିଙ୍ଗସ୍‌

ଗୌହାଟୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୨୦୨୩ରେ ଆଜି ଡବଲ୍‌ ହେଡର ମ୍ୟାଚ ଖେଳାଯିବ। ଶନିବାର ଅପରାହ୍ନରେ ପ୍ରଥମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ଏବଂ ସନ୍ଧ୍ୟାରେ ଦ୍ଵିତୀୟ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍‌ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ।

ଶନିବାର ସନ୍ଧ୍ୟା ୭ଟା୩୦ ମିନିଟ ସମୟରେ ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍‌ ମଧ୍ୟରେ ଖେଳାଯିବ । ୫ଥର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ଗ୍ରାଉଣ୍ଡ୍‌ରେ ୪ଥର ଚାମ୍ପିଅନ୍‌ ଚେନ୍ନାଇ ସୁପରକିଙ୍ଗ୍‌ସକୁ ଭେଟିବ । ସମଗ୍ର ଭାରତୀୟ କ୍ରିକେଟ୍‌ପ୍ରେମୀ ଏହି ମ୍ୟାଚ୍‌କୁ ନେଇ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ଘରୋଇ ଗ୍ରାଉଣ୍ଡ୍‌ ହୋଇଥିଲେ ହେଁ ସୁପରକିଙ୍ଗ୍‌ସ ସମର୍ଥକଙ୍କ ଭିଡ଼ରେ ୱାଙ୍ଖଡ଼େ ପୂର୍ଣ୍ଣ ହୋଇଯିବ । ଉଭୟ ଦଳ ଆଇପିଏଲ୍‌ରେ ପରସ୍ପରକୁ ୩୪ଥର ଭେଟି ସାରିଛନ୍ତି । ଏଥିରୁ ମୁମ୍ବାଇ ଇଣ୍ଡିଆନ୍ସ ୨୦ଟି ମ୍ୟାଚ୍‌ ଜିତିଥିବାବେଳେ ସୁପରକିଙ୍ଗସ୍‌ ୧୪ଟି ମ୍ୟାଚ୍‌ ବିଜୟୀ ହୋଇଛି । ୨୦୧୩, ୨୦୧୫ ଓ ୨୦୧୯ ସିଜନରେ ଉଭୟ ଦଳ ପରସ୍ପରକୁ ୪ଥର ଲେଖାଏଁ ଭେଟିଛନ୍ତି । ୨୦୧୦, ୨୦୧୨ ଓ ୨୦୧୪ ସିଜନରେ ଉଭୟଙ୍କ ମଧ୍ୟରେ ୩ଥର ଲେଖାଏଁ ଭେଟ ହୋଇଛି । ଏହି ସବୁ ରେକର୍ଡକୁ ଦେଖିଲେ ଉଭୟ ଦଳ କେତେ ଶକ୍ତିଶାଳୀ, ଅନୁମାନ କରିହେବ । ତେଣୁ ଆଜିର ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର ।

ଅନ୍ୟପକ୍ଷରେ ସୁପରକିଙ୍ଗ୍‌ସ ୨ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ସହ ୨ପଏଣ୍ଟ ହାସଲ କରିଛି । ପ୍ରଥମ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ପରାଜିତ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଶନିବାର ବିଜୟ ଖାତା ଖୋଲିବାକୁ ପ୍ରୟାସ କରିବ । ତେବେ ଏହା ପୂର୍ବରୁ ଷ୍ଟାର୍‌ ବ୍ୟାଟରମାନେ ଫର୍ମକୁ ଫେରିବା ଜରୁରି। ବିଶେଷ କରି ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ୍‌ରୁ ଉପଯୋଗୀ ଇନିଂସ ଆଶା କରାଯାଉଛି । ସୁପରକିଙ୍ଗ୍‌ସର ବ୍ୟାଟିଂ ବିଭାଗ ସୁଦୃଢ ରହିଛି । ଋତୁରାଜ ଗାଏକୱାଡ୍‌ ୨ଟି ଅର୍ଦ୍ଧଶତକ ଅର୍ଜନ କରିସାରିଛନ୍ତି । ଡେଭନ କନୱେ ମଧ୍ୟ ଫର୍ମ ଫେରିପାଇଛନ୍ତି । କେବଳ ବେନ ଷ୍ଟୋକ୍ସଙ୍କ ପ୍ରଦର୍ଶନକୁ ନେଇ ଦଳ ସାମାନ୍ୟ ଚିନ୍ତାରେ ରହିଛି । ମୁମ୍ବାଇ ଇଣ୍ଡିଆନ୍ସ ଏକ ସନ୍ତୁଳିତ ବୋଲିଂ ବିଭାଗ ପ୍ରସ୍ତୁତ କରିପାରିନାହିଁ । ଜସପ୍ରୀତ ବୁମରା ଓ ଝେୟ ରିଚାର୍ଡସନ ଆହତ ହୋଇ ବାଦ ପଡ଼ିବାରୁ ଏମାନଙ୍କ ସ୍ଥାନ ପୂରଣ କରିବା କଷ୍ଟକର । ଜୋଫ୍ରା ଆର୍ଚ୍ଚର ଏପର୍ଯ୍ୟନ୍ତ ଲୟ ଫେରି ପାଇ ନାହାନ୍ତି । ତେଣୁ ସୁପରକିଙ୍ଗ୍‌ସ ବିପକ୍ଷରେ ଶୃଙ୍ଖଳିତ ବୋଲିଂ ଅତ୍ୟନ୍ତ ଜରୁରି ।

Exit mobile version