Site icon ଆଜିକାଲି

ଆଇପିଏଲ-୨୦୨୩ : ଆଜି ଗୁଜୁରାଟ-କୋଲକାତା, ହାଇଦ୍ରାବାଦ-ପଞ୍ଜାବମୁକାବିଲା

ଅହମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୨୦୨୩ର ରବିବାର ଡବଲ୍‌ ହେଡର ମ୍ୟାଚ ଖେଳାଯିବ। ସୁପର ସଣ୍ଡେରେ ଆଇପିଏଲର ୧୩ତମ ମ୍ୟାଚ ଗୁଜରାଟ ଟାଇଟନ୍ସ-କୋଲକାତା ନାଇଟ୍‌ ରାଇଡର୍ସ ଓ ୧୪ତମ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ-ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେବେ ।

ରବିବାରର ପ୍ରଥମ ମ୍ୟାଚ ଅପରାହ୍ନ ୩ଟା ୩୦ ମିନିଟ ସମୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଗୁଜରାଟ ଟାଇଟନ୍ସ-କୋଲକାତା ନାଇଟ୍‌ ରାଇଡର୍ସ ମ୍ୟାଚ ଖେଳାଯିବ । ଲଗାତାର ଦୁଇଟି ବିଜୟ ପରେ ଏବେ ହ୍ୟାଟ୍ରିକ୍‌ ଲକ୍ଷ୍ୟରେ ରହିଛି ଗତଥରର ବିଜେତା ଗୁଜରାଟ ଟାଇଟନ୍ସ। ସେହିପରି ଗତ ଘରୋଇ ମ୍ୟାଚ୍‌ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଇଡେନ୍‌ ଗାର୍ଡେନ୍‌ସରେ ହରାଇଥିବା କେକେଆର୍‌ ଧାରା ଅବ୍ୟାହତ ରଖିବାକୁ ଚାହିଁବ। ଚେନ୍ନାଇ ସୁପରକଙ୍ଗ୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଶୁବମନ ଗିଲ୍‌ ଓ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସାଇ ସୁଦର୍ଶନ ଶୀର୍ଷ ପ୍ରଦର୍ଶନକାରୀ ହୋଇପାରିଛନ୍ତି। ବୋଲିଂ ବିଭାଗରେ ମହମ୍ମଦ ସାମିଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ଓ ରସିଦ୍‌ ଖାନ୍‌ ଦଳକୁ ଅଧିକ ଶକ୍ତି ଯୋଗାଉଥିଲା ବେଳେ କୋଲ୍‌କାତା ପାଇଁ ଏ‌ମାନେ ସତର୍କ ଘଣ୍ଟି ହୋଇପାରନ୍ତି। ସେହିପରି ଜାସନ ରଏ ନାଇଟ୍‌ ରାଇଡର୍ସରେ ଯୋଗଦେଇ ସାରିଥିବାରୁ ଶ୍ରେୟସ ଆୟର ଓ ସାକିବ ଅଲ୍‌ ହାସନଙ୍କ ଶୂନ୍ୟସ୍ଥାନକୁ ସେ ପୂରଣ କରିପାରିବେ ବୋଲି ଦଳ ଆଶା ରଖିଛି। ତେବେ ଜାସନ୍‌ଙ୍କୁ କେଉଁ ସ୍ଥାନରେ ଖେଳାଯିବ ତାହାକୁ ନେଇ ଦ୍ବନ୍ଦ୍ବ ରହିଛି। କାରଣ ଆଫଗାନିସ୍ଥାନ ବ୍ୟାଟର ରହମନୁଲ୍ଲା ଗୁରବାଜ୍‌ ଆକ୍ରମଣାତ୍ମକ ଖେଳିଛନ୍ତି। ତେଣୁ ତାଙ୍କୁ ହଟାଇ ଜାସନ୍‌ଙ୍କୁ ପାଳି ଆରମ୍ଭ କରିବାକୁ ଦେବା ଉଚିତ୍‌ ହେବ କି ନାହିଁ ତାହାକୁ ଦଳର ନେତୃତ୍ବମାନେ ବିଚାର କରିବାକୁ ପଡ଼ିବ। ସେହିପରି ଆର୍‌ସିବି ବିପକ୍ଷ ବିଜୟରେ ବଡ଼ ଭୂମିକା ନେଇଥିବା ଶାର୍ଦ୍ଦୁଳ ଠାକୁରଙ୍କ ପାଇଁ ଗୁଜରାଟକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ।

ଅନ୍ୟପକ୍ଷରେ ରବିବାର ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ସନରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେବେ। ହେଲେ ହାଇଦ୍ରାବାଦ ପାଇଁ ପରାଜୟର ସାମ୍ନା କରିବା ଅଭ୍ୟାସରେ ପରିଣତ ହୋଇଯାଇଥିବା ଭଳି ମନେହେଉଛି । ଗତ ଦୁଇ ସଂସ୍କରଣରେ ତଳ ଭାଗରେ ରହିଆସୁଥିବା ହାଇଦ୍ରାବାଦ ପ୍ରଥମ ଦୁଇ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ଠୁ ହାରିସାରିଛି। ତେଣୁ ଏଥର କିଛି ପରିବର୍ତ୍ତନ କରି ଜିତିବା ଲକ୍ଷ୍ୟରେ ଖେଳିବାକୁ ପଡ଼ିବ। ନୂଆ ଅଧିନାୟକ ଏଡେନ୍‌ ମାରକ୍ରମ୍‌ ଆସିବା ପରେ ବି ଦଳର ଭାଗ୍ୟ ବଦଳିନାହିଁ। ଅସ୍ଥିର ପ୍ରାରମ୍ଭିକ ବ୍ୟାଟରଙ୍କ ସହିତ ଦୁର୍ବଳ କ୍ଷେତ୍ରରକ୍ଷଣ ଦଳକୁ ସବୁବେଳେ ପଛକୁ ଠେଲୁଛି। ସେହିପରି ଶିଖର ଧାୱନଙ୍କ ଦଳର ମଜବୁତ୍‌ ବ୍ୟାଟିଂ କ୍ରମ ରହଛି। ବ୍ୟାଟିଂରେ ପ୍ରଭସିମ୍ରନ ସିଂହ ଓ ଭାନୁକା ରାଜପ‌କ୍ଷ ଆବଶ୍ୟକ ସମୟରେ ଦଳ ପାଇଁ ରନ୍‌ ବାହର କରିଛନ୍ତି। ବ୍ୟାଟର ବଡ଼ ସ୍କୋର କରିବା ପରେ ଅର୍ଶଦୀପ ସିଂହ, ନାଥନ୍ ଏଲିସ୍‌ଙ୍କ ଭଳି ବୋଲର ଦଳକୁ ଜିତାଇ ଆସୁଛନ୍ତି। କିନ୍ତୁ ସାଢେ ୧୮ କୋଟି ଟଙ୍କାରେ କିଣା ହୋଇଥିବା ସାମ୍‌ କରନ୍‌ ନିରାଶ କରି ସବୁଠୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି। ତେଣୁ ବିଜୟ ଧାରାକୁ ଜାରି ରଖିବାକୁ ହେଲେ ଛୋଟଛୋଟ ତ୍ରୁଟିଗୁଡ଼ିକୁ ସୁଧାରିବା ପଞ୍ଜାବ ପାଇଁ ଆବଶ୍ୟକ ରହିବ।

Exit mobile version