Site icon ଆଜିକାଲି

ଆଇପିଏଲ-୨୦୨୩ : ଆଜି ଗୁଜରାଟ ଟାଇଟନ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ଲଢେଇ

ଅହମ୍ମଦାବାଦ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ର ୬୨ତମ ଲିଗ୍‌ ମୁକାବିଲାରେ ଆଜି ସନ୍ଧ୍ୟାରେ ଡିଫେଣ୍ଡିଂ ଚାମ୍ପିଆନ୍‌ ଗୁଜରାଟ ଟାଇଟନ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍‌ ସନ୍‌ରାଇଜର୍ସ ପାଇଁ ‘କର ବା ମର’ ସ୍ଥିତି ସଦୃଶ ରହିଛି । ଟାଇଟନ୍ସଠୁ ହାରିଲେ ପ୍ଲେ-ଅଫ୍‌ ଦୌଡ଼ରୁ ବାଦ ପଡ଼ିବ ଦଳ, ଜିତିଲେ ମଧ୍ୟ ଆଶା କ୍ଷୀଣ ରହିଛି । ଅନ୍ୟ ପଟରେ ଟାଇଟନ୍ସ ଘରୋଇ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳିବ । ସନ୍‌ରାଇଜର୍ସକୁ ହରାଇ ଦଳ ପ୍ଲେ-ଅଫରେ ସ୍ଥାନ ପକ୍କା କରିବ ।

ଟାଇଟନ୍ସ ୧୨ଟି ମ୍ୟାଚ୍‌ରୁ ୮ ବିଜୟ ସହ ମୋଟ ୧୬ ପଏଣ୍ଟ ପାଇଛି । ପ୍ଲେ- ଅଫ୍‌ରୁ ଦଳ ଗୋଟିଏ ପାଦ ଦୂରରେ ରହିଛି । ସେହିପରି ସନ୍‌ରାଇଜର୍ସ ୧୧ଟି ମ୍ୟାଚ୍‌ରୁ ୪ ବିଜୟ ସହ ୮ ପଏଣ୍ଟ ପାଇଛି । ପ୍ଲେ- ଅଫ୍‌ ଦୌଡ଼ରେ ରହିବାକୁ ହେଲେ ଶେଷ ୩ଟି ଯାକ ମ୍ୟାଚ୍‌କୁ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ । ୩ଟି ଯାକ ମ୍ୟାଚ୍‌ ଜିତିଲେ ମଧ୍ୟ ଅନ୍ୟ ଦଳଙ୍କ ପ୍ରଦର୍ଶନ ଉପରେ ସନ୍‌ରାଇଜର୍ସର ପ୍ଲେ-ଅଫ୍‌ ଭାଗ୍ୟ ନିର୍ଭର କରିବ । ଆଇପିଏଲ୍‌ରେ ଉଭୟ ଦଳ ଗତବର୍ଷ ୨ଥର ପରସ୍ପରକୁ ଭେଟିଥିବାବେଳେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଥିଲେ ।

ଚଳିତ ସିଜନରେ ପ୍ରଥମ ଥର ସନ୍‌ରାଇଜର୍ସ ଓ ଟାଇଟନ୍ସ ସାମ୍ନାସାମ୍ନି ହେବେ । ଘରୋଇ ଗ୍ରାଉଣ୍ଡ୍‌ ଏବଂ ସମର୍ଥକଙ୍କ ଗହଣରେ ଖେଳୁଥିବାରୁ ଟାଇଟନ୍ସର ପଲା ଭାରି ରହିବ । ପୂର୍ବ ମ୍ୟାଚ୍‌ରେ ଦଳ ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ୨୭ରନ୍‌ରେ ପରାଜିତ ହୋଇଥିଲା । ଏହି ମ୍ୟାଚ୍‌ରେ ବିଜୟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛି ।

ସନ୍‌ରାଇଜର୍ସ ଦଳ ସ୍ଥିର ପ୍ରଦର୍ଶନ ଦେବାରେ ବିଫଳ ହୋଇଛି । ଟପ୍‌ ଅର୍ଡ଼ର ବ୍ୟାଟିଂ ବିଫଳତା ଦଳର ମୁଖ୍ୟ ସମସ୍ୟା । ଅଧିନାୟକ ଆଡେନ ମାରକ୍ରମ ଏବେବି ଶ୍ରେଷ୍ଠ ଫର୍ମକୁ ଫେରି ନାହାନ୍ତି । ଯାହାକି ଦଳୀୟ ପ୍ରଦର୍ଶନକୁ ପ୍ରଭାବିତ କରୁଛି ।

Exit mobile version