Site icon ଆଜିକାଲି

ଆଇପିଏଲ ୨୦୨୩: ଆଜି କ୍ୱାଲିଫାୟର-୧ରେ ମୁହାଁମୁହିଁ ଗୁଜରାଟ ଓ ଚେନ୍ନାଇ ମୁକାବିଲା

ଚେନ୍ନଇ: ଚଳିତ ଆଇପିଏଲ୍‌‌ରେ ୫୧ ଦିନ ଓ ୭୦ ମ୍ୟାଚ୍‌‌ ଖେଳାଯିବ ପରେ ପ୍ଲେ ଅଫ୍‌‌କୁ ୪ଟି ଦଳ ଯୋଗ୍ୟତା ଅର୍ଜନ କରିଛନ୍ତି। ସ୍ଥାନୀୟ ଏମ୍‌‌ଏ ଚିଦାମ୍ବରମ ଷ୍ଟାଡିୟମରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍‌‌ସ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ କ୍ୱାଲିଫାୟର-୧ରେ ପରସ୍ପର ସହ ମୁକାବିଲା କରିବେ। ଏହି ନିର୍ଣ୍ଣାୟକ ମ୍ୟାଚ୍‌‌ର ବିଜୟୀ ଦଳ ସିଧାସଳଖ ଫାଇନାଲ ମ୍ୟାଚ୍‌‌ ଖେଳିବ। ଦୁଇ ଦଳ ପଏଣ୍ଟ ତାଲିକାର ପ୍ରଥମ ଦୁଇଟି ସ୍ଥାନରେ ରହି ପ୍ଲେ-ଅଫ୍‌‌ରେ ପ୍ରବେଶ କରିଥିଲେ। ଗୁଜରାଟ ୧୪ଟି ମ୍ୟାଚ୍‌‌ ଖେଳି ୧୦ ବିଜୟ ଓ ୪ ପରାଜୟ ସହ ୨୦ ପଏଣ୍ଟ ପାଇ ଶୀର୍ଷରେ ରହିଥିଲା। ସେହିପରି ଚେନ୍ନାଇ ୧୪ ମ୍ୟାଚ୍‌‌ ଖେଳି ୮ ବିଜୟ, ୫ ପରାଜୟ ସହ ୧୭ ପଏଣ୍ଟ ପାଇ ଉନ୍ନତ ନେଟ୍‌‌ ରନରେଟ୍‌‌ରେ ଲକ୍ଷ୍ନୌ ସୁପରଜାଏଣ୍ଟସକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଥିଲା। ରବିବାର ଏହି ପ୍ରତିଯୋଗିତାର ଫାଇନାଲ ଖେଳାଯିବ।

ପ୍ଲେ ଅଫ୍‌‌ରେ ଗୁଜରାଟର ଶତ ପ୍ରତିଶତ ବିଜୟ ରେକର୍ଡ ରହିଛି। ଗତ ୨୦୨୨ରେ ଗୁଜରାଟ ପଦାର୍ପଣ କରିଥିଲା। ଗତ ବର୍ଷ ପ୍ଲେ ଅଫ୍‌‌ରେ ୨ଟି ମ୍ୟାଚ୍‌‌ ଖେଳି ଗୁଜରାଟ ଦୁଇଟିରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରି ଶେଷରେ ଚାମ୍ପିଅନ ବିବେଚିତ ହୋଇଥିଲା। ଚେପକ୍‌‌ ଷ୍ଟାଡିୟମରେ ଗୁଜରାଟ କୌଣସି ମ୍ୟାଚ୍‌‌ ଖେଳିନାହିଁ। କିନ୍ତୁ ଲିଗ ପର୍ଯ୍ୟାୟରେ ଉଭୟ ଦଳ ମଧ୍ୟରେ ୩ଥର ମୁକାବିଲା ହୋଇଛି। ଏ ସମସ୍ତ ମୁକାବିଲାରେ ଗୁଜରାଟ ପ୍ରତିଦ୍ୱନ୍ଦ୍ୱୀ ଚେନ୍ନାଇକୁ ପରାସ୍ତ କରିଛି। ଏଠାରେ ଦୁଇ ପୂର୍ବ ଚାମ୍ପିଅନ ଦଳ ପରସ୍ପରକୁ ପ୍ରଥମଥର ପାଇଁ ଭେଟିବେ। ଅନ୍ୟପଟେ ଚେନ୍ନାଇ କେବଳ ଦୁଇଥର ୨୦୨୦ ଓ ୨୦୨୨ରେ ପ୍ଲେ- ଅଫ୍‌‌ରେ ପ୍ରବେଶ କରିପାରି ନଥିଲା। ଏହି ଦୁଇଟି ସଂସ୍କରଣରେ ଚେନ୍ନାଇ ସେକେଣ୍ଡ ଲାଷ୍ଟ ସ୍ଥାନରେ ରହିଥିଲା। ପ୍ଲେ ଅଫ୍‌‌ରେ ଚେନ୍ନାଇ ମୋଟ୍‌‌ ଉପରେ ୨୪ଟି ମ୍ୟାଚ୍‌‌ ଖେଳି ୧୫ଟିରେ ବିଜୟୀ ହୋଇଥିବା ବେଳେ ୯ଟିରେ ପରାଜୟ ବରଣ କରିଛି। ଅର୍ଥାତ ଚେନ୍ନାଇ ପ୍ଲେ ଅଫ୍‌‌ରେ ୬୨.୫ ପ୍ରତିଶତ ମ୍ୟାଚ୍‌‌ ଜିତିଛି। ଏହି ଦଳ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଚାମ୍ପିଅନ ହୋଇଥିଲା। ସେହିପରି ୨୦୦୮, ୨୦୧୨, ୨୦୧୩ ଓ ୨୦୧୫ରେ ଫାଇନାଲରେ ପରାସ୍ତ ହୋଇ ରନର୍ସଅପ ହୋଇଥିଲା। ୨୦୧୧ରେ ପ୍ରଥମଥର ପାଇଁ ପ୍ଲେ- ଅଫ୍‌‌ ପ୍ରଣାଳୀ ଲାଗୁ ହୋଇଥିଲା।

Exit mobile version